ଗୋଲାପ ନନ୍ଦ ସେତୁବନ୍ଧ ସମ୍ମାନରେ ସମ୍ମାନିତ

ତାଳଚେର,୭/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ହାଟତୋଟାସ୍ଥିତ ସୂର୍ଯ୍ୟନଗରରେ ଅବସ୍ଥାନ କରୁଥିବା କବୟତ୍ରୀ ଗୋଲାପ ନନ୍ଦଙ୍କୁ ସେତୁବନ୍ଧ ସମ୍ମାନରେ ସମ୍ମାନୀତ କରାଯାଇଛି । ନୟାଗଡ଼ ପଂଚାୟତ ସମିତି ସଭାଗୃହରେ ଗତ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା ‘ସେତୁବନ୍ଧ’ର ବାର୍ଷିକ ଉତ୍ସବ ଅବସରରେ ଶ୍ରୀମତୀ ନନ୍ଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ଅରୁଣ କୁମାର ସାହୁ,ସମ୍ମାନୀତ ଅତିଥିଭାବେ ଇଟାମାଟି କଲେଜର ଅଧ୍ୟକ୍ଷ ଅଶୋକ ନାୟକ,କବି ବସିରନ୍ ବିବି,ନାଟ୍ୟକାର ରାମଚନ୍ଦ୍ର ମିଶ୍ର,ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ସୁରଦେଓ ଏବଂ ସେତୁବନ୍ଧର ସମ୍ପାଦିକା ଉଷାମଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଚିନ୍ତାଧାରାକୁ ନିଜର ସୃଜନୀ ସ୍ପର୍ଶରେ କବିତା ମାଧ୍ୟମରେ ଏକ ନୂତନ ଦିଗ ପ୍ରଦାନ କରିଥିବାରୁ କବୟତ୍ରୀ ଶ୍ରୀମତୀ ନନ୍ଦଙ୍କୁ ମୁଖ୍ୟ ଅତିଥି ଉତରୀୟ ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବି,ଲେଖକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପୂର୍ବରୁ ଜଣେ ପ୍ରତିଭାବାନ୍ କବୟତ୍ରୀ ଭାବରେ ଶ୍ରୀମତୀ ନନ୍ଦ ବିଭିନ୍ନ ଅନୁଷ୍ଠାନରୁ ବହୁ ପୁରସ୍କାର ଲାଭ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *