ଗୋପାଳପୁର ମହାବିଦ୍ୟାଳୟରେ +୩ ବର୍ଦ୍ଧିତ ଫି ପ୍ରତ୍ୟାହାର ଦାବି: ଛାତ୍ର ଅଶାନ୍ତି, ଗେଟରେ ତାଲା

ବାହାନଗା/ ବାଲେଶ୍ୱର, ୦୮/୦୮ ( ଭାରତୀ ଦାସ/ ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମହାବିଦ୍ୟାଳୟରେ +୩ ୨ୟ ଓ ୩ୟ ବାର୍ଷିକ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ରି ଏଡ଼ମିଶନ ଫି ପ୍ରତ୍ୟାହାର ଦାବିରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ଅସନ୍ତୁଷ୍ଟ ଛାତ୍ରଗୋଷ୍ଠୀ ମୁଖ୍ୟ ଫାଟକରେ ତାଲା ପକାଇ ନିଜର ଅସନ୍ତୋଷ ଜାହିର କରିଛନ୍ତି। ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ର ଗୋଷ୍ଠୀଙ୍କ ସହ ଆଲୋଚନା ପରେ ମହା ବିଦ୍ୟାଳୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟସରକାରଙ୍କ ଉଚ୍ଚ ଶିକ୍ଷାବିଭାଗ ତରଫରୁ ଫି ବୃଦ୍ଧି ପାଇଁ ଚିଠି ଆସିଥିବାରୁ ଗୋପାଳପୁର ମହାବିଦ୍ୟାଳୟରେ +୩ ୨ୟ ଓ ୩ୟ ବାର୍ଷିକ ଛାତ୍ରଛାତ୍ରୀଙ୍କର ଗତ ବର୍ଷ ଫି ଠାରୁ ୩୫୦ଟଙ୍କା ଅଧିକ ଫି ପାଇଁ ନୋଟିସ ହୋଇଥିଲା। ତେବେ କଲେଜର ଛାତ୍ରଛାତ୍ରୀ ମାନେ ଫି କମାଇବାକୁ ଅଧ୍ୟକ୍ଷଙ୍କ ନିକଟରେ ଦାବି ଜଣାଇଥିଲେ। କଲେଜ ପ୍ରଶାସନ ତରଫରୁ ଦାବିକୁ ଅଣଦେଖା କରାଯିବା ଅଭିଯୋଗରେ ଆଜି ପୁର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ର ଗୋଷ୍ଠୀ ଆନ୍ଦୋଳନ କରିଥିଲେ। ପରେ ଅପରାହ୍ନ ୧ଟାରେ ଅଧ୍ୟକ୍ଷ ନରେଶ କୁମାର ପାଢୀ ଆନ୍ଦୋଳନ କାରୀ ଛାତ୍ରଙ୍କ ସହ ଆଲୋଚନା କରିବାକୁ ଡାକିବା ପରେ ମହାବିଦ୍ୟାଳୟର ଫାଟକ ଖୋଲିବା ସହ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ଏବାବଦରେ ଅଧ୍ୟକ୍ଷ ଶ୍ରୀ ପାଢୀଙ୍କୁ ପଚାରିବାରୁ ଗତ ବର୍ଷ ଠାରୁ ଚଳିତ ବର୍ଷ ସରକାରୀ ଫି ଛାଡ଼ି ମାତ୍ର ୧୫୦ଟଙ୍କା କଲେଜ ପ୍ରଶାସନ ବଢାଇଛି। ଏହାକୁ ନେଇ କିଛି ସମସ୍ୟା ଉପୁଜିଛି ତେବେ ଖୁବ ଶିଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *