ଗୋପାଳପୁର ପାଇଁ କେବେ ଉଇଁବ ସୁଖର ସୂରୁଜ!

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ଶ୍ୟାମସୁନ୍ଦରପୁର ପଂଚାୟତର ଗୋପାଳପୁର ଗାଁ। ବାସ କରନ୍ତି ୪ ଶହରୁ ଅଧିକ ଲୋକ। ସମସ୍ତେ ବିପିଏଲ୍ ତାଲିକାରେ। ଦାରିଦ୍ର୍ୟ ବସା ବାନ୍ଧିଛି ଏଠାରେ। ନାହିଁ ନାହିଁରେ ବିତୁଛି ସେମାନଙ୍କ ଜୀବନ। ସବୁଦିନିଆ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିମଳ ଓ ଶିକ୍ଷା ବ୍ୟବସ୍ଥା ଅପହଞ୍ଚ ହୋଇ ରହିଯାଇଛି। ଖରାଦିନେ ଆବଡାଖାବଡା ରାସ୍ତରେ ଯା ଆସ ଚଳିଯାଏ। ବର୍ଷାଦିନେ ପୁରା ସଂଗୀନ ଦଶା। ଗାଁକୁ ଆମ୍ବୁଲାନ୍ସ ଆସିପାରେନି। ଗର୍ଭବତୀ ମହିଳା ଓ ରୋଗୀଙ୍କୁ ସଙ୍ଗିଭାର କରି ଦୀର୍ଘ ୨ କିମି ବୋହିବାକୁ ପଡେ। ଗାଁରେ ୯୫ ପ୍ରତିଶତ ଘର ନଡା ଛପର। ପକ୍କା ଘର ସାତ ସପନ। ଏଥି ପାଇଁ ନିଆଁକୁ ଡର। ନିଆଁ ଲାଗିଲେ ସହସା ଦମକଳ ଗାଡି ଆସିପାରେନି। ପାଣି ଯୋଗାଣ ପାଇଁ ଗାଁ ମୁଣ୍ଡ ଯାଏ ପାଇପ୍ ବିଛାଯାଇଥିଲା। ମାତ୍ର କାମ ଅଧପନ୍ତରିଆ। ପାଇପ୍ ଫାଟି ଆଁ କଲାଣି। ବହୁ ବର୍ଷ ତଳେ ପକ୍କା ରାସ୍ତାଟିଏ ତିଆରି କରାଯାଇଥିଲା ଯେ ମରାମତି ଅଭାବରୁ ୯୦ ପ୍ରତିଶତ ଭାଗର ଚିହ୍ନବର୍ଣ୍ଣ ନାହିଁ। ସମେସ୍ତ ଗରିବ। ମାତ୍ର ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଫଳରେ ଗାଁର ୯୮ ଭାଗ ପରିବାର ଝାଟିମାଟି ନଡା ଛପର ଘରେ ରହୁଥିବାବେଳେ ଖୋଲା ପଡିଆରେ ଶୌଚ କରୁଛନ୍ତି। ୨୦୧୨ ମସିହାରେ ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ପ୍ରତିଷ୍ଠା ହୋଇଥିଲା। ୫ଟି ଶ୍ରେଣୀ। ମାତ୍ର କୋଠରୀ ଗୋଟିଏ। ସେଇ କୋଠରୀରେ ୫ଟି ଯାକ ଶ୍ରେଣୀର ପିଲା ବସିବା ସହ ଶିକ୍ଷକ ବସୁଛନ୍ତି। ପ୍ରଧାନ ଶିକ୍ଷକ ଅଫିସ୍ କାମ କରୁଛନ୍ତି। ଆଉ କୌଣସି ସ୍ମୁଲ ନଥିବାରୁ ପିଲାମାନେ ଏମ୍ଇ, ହାଇସ୍କୁଲରେ ପଢିବାକୁ ଦୀର୍ଘ ୨ କିମି ବାଟ ଚାଲି ଚାଲି ତଳଦୁମୁକା ଓ ନାନ୍ଦପୁର ଗାଁକୁ ଯାଉଛନ୍ତି। ଗାଁର ସନ୍ୟାସୀ ଦାସ, ହୃଦାନନ୍ଦ ମଳିକ, ସଜନୀ ମଳିକଙ୍କ କହିବା ଅନୁଯାୟୀ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ବର୍ଷା ଋତୁ ୪ ମାସ ଗାଁ ଲୋକେ ନାନା ଦୁର୍ଦ୍ଦଶା ଭୋଗ କରିବା ସହ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଯାଏ। ଏହା ସହ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ସୁବିଧା ନଥିବାରୁ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାଉ। ଏହି ସମସ୍ୟାଗୁଡିକ ବାବଦରେ ସ୍ଥାନୀୟ ସରପଞ୍ଚଙ୍କୁ ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସ୍ୱଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ମିଳିବ ବୋଲି କୁହାଯାଇଥିଲେ ହେଁ ଏହି ଯୋଜନା କେବେ ଆମ ଗାଁକୁ ଆସିବ, ତାହା କେବଳ ପ୍ରଶାସନକୁ ହିଁ ଜଣା ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଗାଁର ଏହି ଗରିବ ଲୋକଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ପ୍ରଶାସନ ତୁରନ୍ତ ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *