ଗୋପାଳପୁର ଉପଡାକଘରେ ବ୍ୟାପକ ଅବ୍ୟବସ୍ଥା

ବାହାନଗା/ବାଲେଶ୍ୱର, ୨୫/୦୨(ଓଡ଼ିଆ ପୁଅ/ ଭଗବାନ ଦାସ)-ବାହାନଗା ବ୍ଲକ ଗୋପାଳପୁର ସ୍ଥିତ ଉପଡାକଘରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଚଳିତ ମାସ ୧୫ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଡାକ ବ୍ୟବସ୍ଥାର ସୁଧାର ଆଣିବା ତଥା ଗ୍ରାହକଙ୍କ ସୁବିଧା ନିମନ୍ତେ ନିଆ ଯାଇଥିବା କାର୍ଯ୍ୟକ୍ରମ ଶେଷରେ ଗ୍ରାହକଙ୍କ ପାଇଁ କାଳ ହୋଇଥିବାର ଜଣାପଡ଼ିଛି।ଅବ୍ୟବସ୍ଥା ସମ୍ପର୍କରେ କାର୍ଯ୍ୟରତ ପୋଷ୍ଟମାଷ୍ଟର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ସୂଚନା ଦେଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଧାର ଆସି ନଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଡାକ ବିଭାଗର ସୁଧାରନିମନ୍ତେ ସିଏସଆଇ ରେ ଶତପ୍ରତିଶତ ନେଟ କାର୍ଯ୍ୟକ୍ରମ ପାଇଁ ଗୋପାଳପୁର ଉପଡାକଘର ଦେଣନେଣ ବନ୍ଦ ରହିଥିଲା। ଯାହାକୁ ନୋଟିସ ମାଧ୍ୟମରେ ବିଭାଗ ତରଫରୁ ଗ୍ରାହକଙ୍କୁ ଅବଗତ କରାଯାଇଥିଲା। ତେବେ ୨୧ ତାରିଖରେ ପରୀକ୍ଷାମୁଳକ ଭାବେ ଉକ୍ତ ସିଏସଆଇ ନେଟ କାର୍ଯ୍ୟକ୍ରମକୁ ଚାଲୁ କରାଯାଇଥିଲା। କିନ୍ତୁ ତହିଁ ପରଦିନ ମାତ୍ର ୫-୬ଜଣ ଗ୍ରାହକଙ୍କର ନେଣଦେଣ ହୋଇଥିଲା। ସେବେ ଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଇଣ୍ଟରନେଟ ସମ୍ପୁର୍ଣ୍ଣ ଠପ୍ ହେବା ଯୋଗୁଁ କୌଣସି ପ୍ରକାରର କାରବାର ହୋଇପାରି ନାହିିଁ। ଫଳରେ ଦୀର୍ଘ ୮ଦିନ ଧରି କାରବାର ବନ୍ଦ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗୀଛି। ଏପରିକି ବିଭିନ୍ନ ଚାକିରୀ ପାଇଁ ଆଶାୟୀ ମାନେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି।ଅଭିଯୋଗ ବାବଦରେ ଗୋପାଳପୁର ପୋଷ୍ଟ ମାଷ୍ଟର ବରେନ୍ଦ୍ର କୁମାର ମାଝୀ କହନ୍ତି ଲିଙ୍କ ନଥିବାଯୋଗୁଁ ଏଭଳି ସମସ୍ୟା ହେଉଛି। ତେବେ ସୋର ପୋଷ୍ଟାଲ ଇନସ୍ ପେକ୍ଟର ଦେବାଶିଷ ଶତପଥି କହନ୍ତି ମୁଖ୍ୟ ସରଭର ସିଂକ୍ରୋନାଇଜ ପାଇଁ ଉକ୍ତ ସମସ୍ୟା ଦେଖାଦେଇଥିବାର ପ୍ରକାଶ କରିବା ସହ ଏହା ସର୍ବଭାରତୀୟ ସମସ୍ୟା ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *