ଗୋଟିଏ ପ୍ଳାଟଫର୍ମରୁ ଛାଡିବ ସବୁ ଗାଡି

ପୁରୀ:୧୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଯାତ୍ରୀ ଉଠାଇବାକୁ ନେଇ ବସ୍ ମାଲିକମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ପୁରୀ-ଭୁବନେଶ୍ୱର ରୁଟ୍ ରେ ବସ ଚଳାଚଳ ବ୍ୟାହତ ହୋଇଥିଲା। ତେବେ ଏ ନେଇ ଗତକାଲି ଉଭୟ ଭୁବନେଶ୍ୱର ଏବଂ ପୁରୀର ବସ୍ ମାଲିକମାନଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ସମାଧାନ ପାଇଁ ବାଟ ଫିଟିଥିଲେ ବି ଏହା ଦୁଇ ସହର ମଧ୍ୟରେ ଚଳାଚଳ କରୁଥିବା ଡିଟିଏସ୍ ସିଟି ବସ୍ ପାଇଁ ସମସ୍ୟା ସୃଷ୍ଟି କରିଛି। ପୁରୀ ବସ୍ଷ୍ଟାଣ୍ଡର ଭିନ୍ନ ଭିନ୍ନ ବେ’ରୁ ଭୁବନେଶ୍ୱରକୁ ବସ୍ ନଛାଡି ସମସ୍ତ ବସ୍ ଗୋଟିଏ ବେ’ରୁ ଛାଡିବ ବୋଲି କଟକ ଓ ଭୁବନେଶ୍ୱର ବସ୍ ମାଲିକମାନେ ସହମତ ହୋଇଥିଲେ। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ବସ୍ଷ୍ଟାଣ୍ଡରେ ଗୋଟିଏ ବେ’ରୁ ସବୁ ବସ୍ ଛାଡିଥିଲା। ତେବେ ଡିଟିଏସ୍ ଦ୍ୱାରା ଭୁବନେଶ୍ୱରକୁ ଚଳାଚଳ କରୁଥିବା ସିଟି ବସ୍ଗୁଡିକ ଅନ୍ୟ ବେ’ରୁ ଛାଡିବାରୁ ଘରୋଇ ବସ୍ ମାଲିକମାନେ ହସ୍ତକ୍ଷେପ କରିଥିଲେ। ଫଳରେ ଡିଟିଏସ୍ ବସ୍ଗୁଡିକୁ ଆଜି ପୁରୀ ନଯାଇ ବସ୍ଷ୍ଟାଣ୍ଡରେ ରହିଥିଲା। ଗୋଟିଏ ବସ୍ ବେ’ରୁ ସବୁ ବସ୍ ଛାଡିବାକୁ ନିଷ୍ପତ୍ତି ନିଆଯାଇ ବିବାଦ ସମାଧାନ ଉଦ୍ୟମ ହୋଇଥିଲେ ବି ଏହା ନୂଆ ବିବାଦ ସୃଷ୍ଟି କରିବ ବୋଲି କିଛି ବସ୍ ମାଲିକ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *