ତିର୍ତ୍ତୋଲ୧୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀଧର ମନ୍ତ୍ରୀ ତାଙ୍କ ଘର ସମ୍ମୁଖରେ ଥିବା ଗୋଚର ଖୋଳାକୁ ନେଇ ତିର୍ତ୍ତୋଲ ଥାନା, ତହସିଲ ଓ ମଣିଜଙ୍ଗା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ ସେହି ଗ୍ରାମର ଦିପ୍ତିରଞ୍ଜନ ଜେନା ଓ ସଞ୍ଜୟ ଦାଶ ଜେସିପି ମେସିନ ଓ ଟ୍ରାକ୍ଟର ସାହଯ୍ୟରେ ଘର ସମ୍ମୁଖରେ ଥିବା ରାସ୍ତା କଡ଼ ଲାଗି ଗୋଚର ଜମିରୁ ମାଟି ଖୋଳି ଗାଡ଼ିଆ କରିଥିବାବେଳେ ଲକ୍ଷ୍ମୀଧର ମନ୍ତ୍ରୀ ସେମାନଙ୍କୁ ବିରୋଧ କରିଥିଲେ। ବିରୋଧ କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉପରୋକ୍ତ ଦୁଇଜଣ ଧମକ ଚମକ ଦେବା ପରେ ଲକ୍ଷ୍ମୀଧର ୧୦୦ ନଂମ୍ବରରେ ପୋଲିସକୁ ଜଣାଇଥିବା କହିଥିଲେ। ଅପରପକ୍ଷରେ ଅକ୍ଷୟ କୁମାର ଜେନାଙ୍କ ପୁଅ ଦିପ୍ତିରଞ୍ଜନ ଜେନା, ରଘୁନାଥ ଦାଶଙ୍କ ପୁଅ ସଞ୍ଜୟ କୁମାର ଦାଶ ଏହି କାରଣରୁ ବିଭିନ୍ନ ଧମକ ଦେବା ସହିତ ଲାଇନ୍ ନଥିବା ସମୟରେ ଗତ ୬ ତାରିଖ ରାତିରେ ଲକ୍ଷ୍ମୀଧରଙ୍କ ଘରେ ପଶି ଷ୍ଟାବାଲାଇଜର, ୧୫ ହଜାରରୁ ଉର୍ଦ୍ଧଟଙ୍କା, ବାଡ଼ିରେ ଥିବା ଟୁଲୁ ପାଣିପମ୍ପକୁ ଚୋରୀ କରି ନେଇଥିବା ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଲକ୍ଷ୍ମୀଧର ମନ୍ତ୍ରୀ ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ଥାନା ଅଫିସର ରବିନାରାୟଣ ଲେଙ୍କାଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇ ତଦନ୍ତ କରୁଥିବା କହିଛନ୍ତି।
