ଗୃହରକ୍ଷୀଙ୍କ ନ୍ୟାର୍ଯ୍ୟଦାବିକୁ ଚାପିଦେବାକୁ ଗୃହବିଭାଗର ଷଡଯନ୍ତ୍ର

ଭୁବନେଶ୍ୱର ୨୭-୦୮ (ଓଡ଼ିଆ ପୁଅ): ଗୃହରକ୍ଷୀଙ୍କ ଦରମା କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତ, ନିକଟରେ ଦେଇଥିବା ନିର୍ଦେଶ ଅନୁଯାୟୀ ଦୈନିକ ଭତ୍ତା ପ୍ରଦାନ କରିବା ନିମନ୍ତେ, ରାଜ୍ୟ ଗୃହରକ୍ଷୀ ମହାସଂଘ ତରଫରୁ ଗତ ତା୧୭.୦୮.୨୦୧୮ରିଖରେ ଦିଆଯାଇଥିବା ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ନେବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ, ଗୃହବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ଏହାକୁ ଭଣ୍ଡୁର କରିବାପାଇଁ ଷଡଯନ୍ତ୍ର ଜାରି ରଖିଛନ୍ତି ବୋଲି, ରାଜ୍ୟ ଗୃହରକ୍ଷୀ ମହାସଂଘ ଅଭିଯୋଗ କରିଛି।

ଏଠାରେ ସୂଚନା ଯୋଗ୍ୟ ଯେ ଗୃହରକ୍ଷୀଙ୍କୁ ୮ଘଣ୍ଟାରୁ ଉର୍ଦ୍ଧ୍ୱ କାର୍ଯ୍ୟକରାଇ ଦୈନିକ ଭତ୍ତା ୩୦୦/- ଟଙ୍କା ମିଳୁଥିବା ବେଳେ, ସେମାନଙ୍କୁ କୌଣସି ଜୀବନ/ସ୍ୱାସ୍ଥ୍ୟ/ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ କାରାଯାଉନାହିଁ କି କୌଣସି ସାମାଜିକ ସୁରକ୍ଷାର ବ୍ୟବସ୍ଥା ନାହିଁ ଏବଂ ନିକଟରେ ତା୦୪.୦୫.୨୦୧୬ରିଖ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ମୁତାବକ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ନିୟମିତ କନଷ୍ଟେବଳଙ୍କ ସର୍ବନିମ୍ନ ୭ମ ବେତନହାର ଅନୁଯାୟୀ ମଧ୍ୟ୍ୟ ପ୍ରଦାନ କାରାଯାଉନାହିଁ। ଏହି ଅନ୍ୟାୟକୁ ତୀବ୍ର ବିରୋଧକରି ରାଜ୍ୟ ଗୃହରକ୍ଷୀ ମହାସଂଘ, ଓଡିଶା, ତରଫରୁ ଦିର୍ଘଦିନଧରି ଆନ୍ଦୋଳନ ଏବଂ ଦାବି କରିଆସୁଥିଲେ ମଧ୍ୟ୍ୟ ଏହାକୁ ଅଣଦେଖା କରି ରାଜ୍ୟ ଗୃହବିଭାଗ, ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶକୁ ଖୋଲା ଖୋଲି ଭାବରେ ଅବମାନନା କରିଚାଲିଛନ୍ତି। ଗୃହରକ୍ଷୀମାନେ ପୋଲିସ ବିଭାଗ ସହିତ ହାତକୁହତ ମିଶାଇ ସମାଜରେ ବହୁ ଗୁରୁତ୍ୱପୁର୍ଣ କାର୍ଯ୍ୟ ନିର୍ବାହ କରିଆସୁଛନ୍ତି ଏବଂ ଯାହା ଗୃହବିଭାଗ ପାଇଁ ଏକ ଅତ୍ୟାବଶ୍ୟକ ଜରୁରୀ କାର୍ଯ୍ୟ ଶ୍ରେଣୀରେ ପରିଗଣିତ ହେଉଅଛି କିନ୍ତୁ ତାଙ୍କର ଭରଣପୋଷଣ ପାଇଁ ଉପଯୁକ୍ତ ପ୍ରାପ୍ୟ ଏବଂ ତାଙ୍କ ସାମାଜିକ ସୁରକ୍ଷାର ସଠିକ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାର କୌଣସି ଆଗ୍ରହ ନ ଦେଖାଇବା ଏକ ଗଭୀର ଦୁଃଖର ବିଷୟ ଅଟେ ବୋଲି ମହାସଂଘର ଆଇନ ପରାମର୍ଶଦାତା ତଥା ଆଇନଜୀବୀ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ କହିଛନ୍ତି। ପୁନଶ୍ଚ ଆଇନଜୀବୀ ଶ୍ରୀ ତ୍ରିପାଠୀ କ୍ଷୋଭ ପ୍ରକାଶକରି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ୮ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପାଇଁ କାର୍ଯ୍ୟକରିବାକୁ ଦୈନିକ ୩୦୦/- ଟଙ୍କା ହିସାବରେ ଯଦି ଗୋଟିଏ ଲୋକ ଆଣିପାରିବେ ତାହେଲେ ରାଜ୍ୟର ସମସ୍ତ ୧୭, ୬୭୫ଜଣ ଗୃହରକ୍ଷୀଙ୍କ ତରଫରୁ ମହାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବ ଏବଂ ଏପରି ପରିସ୍ଥିତିରେ ଗୃହରକ୍ଷୀମାନେ ଦୈନିକ ୩୦୦/- ଟଙ୍କାରେ ୮ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ କାର୍ଯ୍ୟ କରୁଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ଦେବାକୁ ହେବ ବୋଲି ସେ କହିଛନ୍ତି।

ପୁନଶ୍ଚ ଏଠାରେ ସୂଚନା ଯୋଗ୍ୟ ଗତ ତା୧୭.୦୮.୨୦୧୮ରିଖରେ ରାଜ୍ୟ ଗୃହରକ୍ଷୀ ମହାସଂଘ, ଓଡିଶା ତରଫରୁ ଏହି ଅନ୍ୟାୟ ବିରୁଦ୍ଧରେ ଏବଂ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶକୁ ଶୀଘ୍ର ସଠିକଭାବରେ କାର୍ଯ୍ୟକାରୀ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱରସହ ବିଚାରକୁ ନେଇ ଗୃହରକ୍ଷୀଙ୍କ ନ୍ୟାର୍ଯ୍ୟଦାବିକୁ ସଠିକ କାର୍ଯ୍ୟକ୍ଷମ କରିବାପାଇଁ ଉଦ୍ୟମ ଆରମ୍ଭ କରିଥିବାବେଳେ; ଗୃହବିଭାଗର କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଭଣ୍ଡୁର କରିବାପାଇଁ କିଛି ପୋଲିସ ଅଧିକାରୀ ଏବଂ ମୃଷ୍ଟିମେୟ ଗୃହରକ୍ଷୀଙ୍କୁ ଦଲାଲ କରି ବିଭିନ୍ନ ପ୍ରକାରର ପ୍ରଚାର ପ୍ରସାର ପ୍ରେସ୍ର-ଇସ୍ତାହାର ମାନ ଜାରି କରୁଛନ୍ତି ବୋଲି ମହାସଂଘର ସଭାପତି ଉପେନ୍ଦ୍ର ମହାପାତ୍ର ଏବଂ ସମ୍ପାଦକ ନିରଂଞ୍ଜନ ସେନାପତି ପ୍ରମୁଖ ଅଭିଯୋଗ ଉଠାଇଛନ୍ତି ବୋଲି ଏକ ପ୍ରେସ ଇସ୍ତାହାରରେ ମହାସଂଘ ଜଣାଇଛି।

Leave a Reply

Your email address will not be published. Required fields are marked *