ଓଡ଼ିଶା

ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ପତ୍ର: ଶିକ୍ଷା, ଗବେଷଣା, ଅଭିନବତ୍ୱକୁ ଗୁରୁତ୍ୱ ଦେଉଥିବା ସମାଜ ଏକବିଂଶ ଶତାବ୍ଦୀର ଭାଗ୍ୟ ନିର୍ଦ୍ଧାରଣ କରିବ

ନୂଆଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ଦେଶର ଶିକ୍ଷକ ସମାଜକୁ ମୋର ଅଭିନନ୍ଦନ ଏବଂ ପବିତ୍ର ଗୁରୁ ଦିବସ ଅବସରରେ ମୁଁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆଜି ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକମାନେ ସମାଜକୁ କେବଳ ଉଦ୍ବୁଦ୍ଧ କରିନଥାନ୍ତି ପରନ୍ତୁ ସେମାନେ ସମାଜକୁ ଜ୍ଞାନର ସୂଚନା ପ୍ରଦାନ କରିବା ସହ ଶିକ୍ଷାଦାନ ଓ ମାର୍ଗଦର୍ଶନ କରିଥାନ୍ତି।

ଦେଶର ଲକ୍ଷ ଲକ୍ଷ ଶିକ୍ଷକମାନଙ୍କୁ ଏକ ଇ-ମେଲ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଶୁମାନଙ୍କ ଜୀବନକୁ ଶିକ୍ଷକମାନେ ଗଭୀର ଭାବେ ପ୍ରଭାବିତ କରିଥାନ୍ତି। ସେମାନଙ୍କ ପ୍ରେରଣା ଛାତ୍ରଛାତ୍ରୀମାନଙ୍କ ମନରେ ଜୀବନ ବ୍ୟାପୀ ରେଖାପାତ କରିଥାଏ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଯେ ଡ଼କ୍ଟର କଲାମ ଏକଦା କହିଥିଲେ: “ଶିକ୍ଷକତା ଏଭଳି ଏକ ଆଦର୍ଶ ପେଶା ଯାହା ବ୍ୟକ୍ତିର ଚରିତ୍ର, ସାମର୍ଥ୍ୟ ଏବଂ ଭବିଷ୍ୟତକୁ ରୂପ ପ୍ରଦାନ କରିଥାଏ।”

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଶିକ୍ଷା, ଗବେଷଣା ଓ ଅଭିନବତ୍ୱକୁ ଗୁରୁତ୍ୱ ପ୍ରଦାନ କରୁଥିବା ସମାଜ ହିଁ ଏକବିଂଶ ଶତାବ୍ଦୀର ଭାଗ୍ୟ ନିର୍ଦ୍ଧାରଣ କରିବ। “ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଏହାହିଁ ଆମର ଶିକ୍ଷକମାନଙ୍କ ଭୂମିକାକୁ ଅତୀବ ଗୁରତ୍ୱପୂର୍ଣ୍ଣ ବୋଲି ସୂଚୀତ କରେ” ବୋଲି ସେ ମତ ପୋଷଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ଦୃଢ଼ ବିଶ୍ୱାସ ଯେ ଆପଣମାନେ ପ୍ରଯୁକ୍ତିର ସର୍ବାଧୁନିକ ପ୍ରଗତି ସହ ନିଜକୁ ସାମିଲ କରି ଆଗକୁ ଅଗ୍ରସର ହେଉଛନ୍ତି ଏବଂ ଆପଣମାନେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ପ୍ରଯୁକ୍ତିଧାରା ସହ ଯୋଡ଼ି ପାରୁଛନ୍ତି।” ପ୍ରଧାନମନ୍ତ୍ରୀ ତାଙ୍କର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାରତ ସରକାର ଆଣୁଥିବା କେତେଗୋଟି ସଂସ୍କାର ବୈପ୍ଳବିକ ପରିବର୍ତ୍ତନ ଘଟାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷକମାନଙ୍କ ଉଲ୍ଲେଖନୀୟ ପ୍ରୟାସ ସଦାବେଳେ ପ୍ରଶଂସନୟ। ସେମାନଙ୍କର ପ୍ରୟାସରୁ ଏବେ ରାଷ୍ଟ୍ର ଓ ଛାତ୍ରସମାଜ ସୁଫଳ ପାଇପାରିଛି। ଶିକ୍ଷାଦାନ ଠାରୁ ଏହା ଶିକ୍ଷାଲାଭରେ ପରିଣତ ହୋଇପାରିଛି। ଦେଶରେ କୌଶଳ ବିକାଶର ବ୍ୟାପକ ପ୍ରସାର ଘଟିଛି। ଅଟଳ ନବୋନ୍ମେଷ ପ୍ରୟୋଗଶାଳା ଯୋଗୁ ଏହା ସମ୍ଭବପର ହୋଇପାରିଛି। ଭାରତରେ ଏବେ ଅନେକ ନୂଆ ନୂଆ ବିଶ୍ୱବିଦ୍ୟାଳୟମାନ ସ୍ଥାପନ ହେଉଛି ଯଦ୍ୱାରା ଯୁବକମାନେ ଗୁଣାତ୍ମକ ଶିକ୍ଷା ଅତି ଆନନ୍ଦମୟ ପରିବେଶ ମଧ୍ୟରେ ପାଇପାରୁଛନ୍ତି।

ଅକ୍ଟୋବର ୨ ତାରିଖ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ। ଏହାକୁ ଏକ ଅବସର ଭାବେ ଗ୍ରହଣ କରି ବାପୁଙ୍କ ଆଦର୍ଶ ଓ ଚିନ୍ତନକୁ ଅଭିନବ ଉପାୟରେ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚାଇବା ଓ ସେଥିରେ ସେମାନଙ୍କୁ ଉଦବୁଦ୍ଧ କରିବା ସକାଶେ ପ୍ରଧାନମନ୍ତ୍ରୀ ଶିକ୍ଷକ ସମାଜକୁ ଆହ୍ୱାନ ଜଣାଇଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ସାକାର କରିବା ଦିଗରେ ଦେଶର ଶିକ୍ଷକ ସମାଜ ଗ୍ରହଣ କରିଥିବା ଗୁରୁ ଦାୟିତ୍ୱକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି।

୨୦୨୨ ମସିହା ସୁଦ୍ଧା ଏକ ନୂତନ ଭାରତର ପରିକଳ୍ପନା ସଂପର୍କରେ ଦୋହରାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସେହି ବର୍ଷ ଆମେ ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରିବାକୁ ଯାଉଛୁ। ତେଣୁ ଦେଶର ଶିକ୍ଷକ ସମାଜ ଆଗାମୀ ଚାରି ବର୍ଷ ମଧ୍ୟରେ ସେମାନଙ୍କର ଚିନ୍ତନ ଓ ଶ୍ରମକୁ ଏଥିରେ ଉପଯୋଗ କରି ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଦେଶର ଅଜସ୍ର ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବାକୁ ବଦ୍ଧପରିକର ହେବାକୁ ସେ ଆହ୍ୱାନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଶିକ୍ଷକ ସମାଜକୁ ନିବେଦନ କରି କହିଛନ୍ତି ଯେ ସେମାନଙ୍କ ହୃଦୟକୁ ଯେଉଁ ପ୍ରସଙ୍ଗ ନିଷ୍ଠାର ସହ ଛୁୁଉଁଛି, ସେମାନେ ସେ ସଂପର୍କରେ ସ୍ଥାନୀୟ ସମାଜକୁ ଉଦବୁଦ୍ଧ କରନ୍ତୁ। ଏହାଦ୍ୱାରା ସେ ବସବାସ କରୁଥିବା ଚତୁଃପାର୍ଶ୍ୱ ସମାଜରେ ସକରାତ୍ମକ ପରିବର୍ତ୍ତନ ଘଟିପାରିବ। ଏହା ଆମର ସ୍ୱାଧୀନତା ସେନାନୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ନୂତନ ଭାରତ ଗଠନ କରିବା ସକାଶେ ବଚନବଦ୍ଧ ହେବା ସକାଶେ ସମସ୍ତଙ୍କୁ ଅନୁପ୍ରେରିତ କରିବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top