ଗୁରୁ ଦିବସରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷୋଭ

– ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଷ୍ଠାପର ଉଦ୍ୟମ କରୁ ନାହାଁନ୍ତି।
– ସୋସିଆଲ ମିଡିଆରେ ଏକ ଭିଡ଼ିଓ ବାର୍ତ୍ତା ପ୍ରସାରଣ କରି ଶିକ୍ଷକମାନଙ୍କ ଦାବି ପ୍ରତି ସମର୍ଥନ ଜ୍ଞାପନ କରିବା ସହ ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା
– ସରକାର ଚଳାଉଥିବା ବନ୍ଧୁମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ନିଜ ଅହଂକାର ଛାଡି ବଡ଼ ହୃଦୟ ଦେଖାଇ ସମାଧାନର ରାସ୍ତା ବାହାର କରନ୍ତୁ ଚା ଓଡ଼ିଆ ପିଲାମାନଙ୍କର ମେଧାଶକ୍ତି ଓଡ଼ିଶାର ମୂଳ ପୁଞ୍ଜି ଚା ସାଧାରଣ ଓଡିଆ ପରିବାରର ପିଲାର ଶିକ୍ଷା ଓ ଭବିଷ୍ୟତ ସରକାରୀ ସ୍କୁଲ କଲେଜ ଉପରେ ମୋଟାମୋଟି ନିର୍ଭରଶୀଳ
– ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏପରି ଅବ୍ୟବସ୍ଥା ଓ ଦୁର୍ଭାଗ୍ୟପୂର୍ଣ୍ଣ ଅରାଜକତା ଆମର ବଂଶଧରମାନଙ୍କ ଭବିଷ୍ୟତକୁ ଅନ୍ଧାର ଓ ଅନିଶ୍ଚିତତା ଆଡ଼କୁ ଠେଲି ଦେବ
– ଶିକ୍ଷକ ସମ୍ମାନ ଓ ମର୍ଯ୍ୟାଦା ଦେଇ ଶ୍ରେଣୀ ଗୃହକୁ ଫେରାଇଲେ ହିଁ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ଓ ସୁରକ୍ଷିତ ହେବା

ଭୁବନେଶ୍ୱର, ତା ୦୫/୦୯ (ଓଡ଼ିଆ ପୁଅ) : ପବିତ୍ର ଗୁରୁଦିବସ ଅବସରରେ ଓଡିଶାର ଶିକ୍ଷକ ସମାଜ, ଛାତ୍ରଛାତ୍ରୀ ତଥା ଶିକ୍ଷା ପରିବାର ସହ ଜଡିତ ସମସ୍ତଙ୍କୁ ଶୁଭକାମନା ଜଣାଇବା ସହ ରାଜ୍ୟରେ ଶିକ୍ଷକ ସଙ୍ଗଠନ ମାନଙ୍କର କଳା ଦିବସ ଓ ଆନ୍ଦୋଳନ ସତ୍ତ୍ୱେ ରାଜ୍ୟ ସରକାର ସମାଧାନର ପନ୍ଥା ନ କାଢୁ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋସିଆଲ ମିଡିଆରେ ଏକ ଭିଡ଼ିଓ ବାର୍ତ୍ତା ପ୍ରସାରଣ କରି ଶ୍ରୀ ପ୍ରଧାନ ଶିକ୍ଷକମାନଙ୍କ ଦାବି ପ୍ରତି ସମର୍ଥନ ଜ୍ଞାପନ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ଭିଡ଼ିଓ ବାର୍ଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ପିଲାମାନଙ୍କର ମେଧାଶକ୍ତି ଓଡ଼ିଶାର ମୂଳ ପୁଞ୍ଜି। ସାଧାରଣ ଓଡିଆ ପରିବାରର ପିଲାର ଶିକ୍ଷା ଓ ଭବିଷ୍ୟତ ସରକାରୀ ସ୍କୁଲ କଲେଜ ଉପରେ ମୋଟାମୋଟି ନିର୍ଭରଶୀଳ। ଆଜିର ପବିତ୍ର ଦିନକୁ ଓଡ଼ିଶାର ଶିକ୍ଷକ ସମାଜ କଳା ଦିବସଭାବେ ପାଳନ କରିବା ଘୋର ଚିନ୍ତାର ବିଷୟ।

ଯଦି ଆମରି ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏପରି ଅବ୍ୟବସ୍ଥା ଓ ଦୁର୍ଭାଗ୍ୟପୂର୍ଣ୍ଣ ଅରାଜକତା ଆମର ବଂଶଧରମାନଙ୍କ ଭବିଷ୍ୟତ ଅନ୍ଧାର ଓ ଅନିଶ୍ଚିତତା ଆଡ଼କୁ ଠେଲି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ କଲେଜ ଶିକ୍ଷା ପଯ୍ୟନ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘଦିନ ଧରି ସେମାନଙ୍କର ବିଭିନ୍ନ ଦାବି ପୂରଣ ପାଇଁ ଅହୋରାତ୍ର ଆନ୍ଦୋଳନ ଚାଲୁ ରଖୁଛନ୍ତି। ଗୁରୁଦିବସକୁ ଶିକ୍ଷକ ଓ କର୍ମଚାରୀମାନେ କଳାଦିବସ ପାଳନ କରିବା ବେଳେ ରାଜ୍ୟ ସରକାର କଥାବାର୍ତ୍ତା ମାଧ୍ୟମରେ ସମାଧାନର ରାସ୍ତା ପାଇଁ ନିଷ୍ଠାର ସହ ଉଦ୍ୟମ ନ କରିବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି।

ଗଣତନ୍ତ୍ରରେ ବିକ୍ଷୋଭ, ଧାରଣା, ପ୍ରତିବାଦ ବ୍ୟବସ୍ଥାର ଅଙ୍ଗ। ସରକାର ଚଳାଉଥିବା ବନ୍ଧୁମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ନିଜ ଅହଂକାର ଛାଡି ବଡ଼ ହୃଦୟ ଦେଖାଇ ସମାଧାନର ରାସ୍ତା କାଢ଼ିବା ପାଇଁ ସେ ଏହି ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରି କହିଛନ୍ତି ଯେ ସରକାରଙ୍କ ତରଫରୁ ଶିକ୍ଷକ ସମାଜର ନାର୍ଯ୍ୟ ଦାବିଗୁଡିକୁ ସହୃଦୟତାର ସହ ବିଚାର କରି ଶିକ୍ଷା ବ୍ୟବସ୍ଥାର ଅଭାବନୀୟ ପରିସ୍ଥିତିକୁ ଏଡାଇବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସରକାର ସଠିକ ଭାବରେ ଉଦ୍ୟମ କଲେ ଶିକ୍ଷକମାନେ କଳାଦିବସ ପାଳନ କରିବା, ବିଧାୟକଙ୍କ ଘର ଘେରାଉ କରିବା, ସ୍କୁଲ କଲେଜକୁ ବନ୍ଦ ପରିସ୍ଥିତିକୁ ନେବା, ସବୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବା ଓ ଫଚାୟତ ବୁଲି ନିଜ ଦାବି ସପକ୍ଷରେ ବାତାବରଣ ସୃଷ୍ଟି କରିବା ଭଳି ଆନ୍ଦୋଳନାତ୍ମକ କାର୍ଯ୍ୟରୁ ବିରତ କରାଯାଇପାରିବ।

ସେ ଆଶାବ୍ୟକ୍ତ କରିଛନ୍ତି ଯେ ସରକାର ଶିକ୍ଷକମାନଙ୍କ ସହ ଆଲୋଚନା ମାଧ୍ୟମରେ ସେମାନଙ୍କର ବିଶ୍ୱାସ ଜିତିବେ ଓ ସମାଧାନର ପନ୍ଥା କାଢିବେ। ଶିକ୍ଷକ ସମ୍ମାନ ଓ ମର୍ଯ୍ୟାଦା ଦେଇ ଶ୍ରେଣୀ ଗୃହକୁ ଫେରାଇଲେ ହିଁ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ଓ ସୁରକ୍ଷିତ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *