ଗୁମୁଡୁମାହା ଗୁଳିକାଣ୍ଡ କ୍ଷତିଗ୍ରସ୍ତ ପରିବାରର ଲୋକେ ଭେଟିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ

– ଖୋଦ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳତାକୁ ସ୍ଥାଣୁ ଓ ଅପାରଗ କୁହାଯିବନି ତ ଆଉ କେଉଁ ଶବ୍ଦ ବ୍ୟବହାର କରା ଯିବ – ଧର୍ମେନ୍ଦ୍ର ପ୍ରଧାନ
– ଏହି ସମ୍ବେଦନଶୀଳ ମାମଲାରେ ପ୍ରତିଶ୍ରୁତି ଦେଇ କ୍ରିୟାନ୍ୱିତ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବାରୁ ବିଳମ୍ବକୁ ସ୍ୱୀକାର କରି ପ୍ରତିଶ୍ରୁତି ପାଳନ କରନ୍ତୁ
– ଆଉ କାହାର ଭୁଲ ପାଇଁ ଦଣ୍ଡ ଭୋଗୁଥିବା ଏହି ଲୋକ ମାନଙ୍କର ବର୍ତମାନର ସ୍ଥିତିକୁ ସୁଧୁରା ଯିବା ପାଇଁ ପ୍ରତିଶ୍ରୁତି ଅନୁସାରେ ପଦକ୍ଷେପ ନ ନିଆ ଯିବା ଦୁଃଖ ଓ ପରିତାପର ବିଷୟ
– ମୃତ ଓ ଅକର୍ମଣ୍ୟ ହୋଇ ଯାଇଥିବା ଲୋକଙ୍କ ପରିବାରବର୍ଗକୁ ସ୍ଥାୟୀ ନିଯୁକ୍ତି ଘଟଣାକୁ ଦୁଇ ବର୍ଷ ପୁରିଲେ ମଧ୍ୟ ଏବେ ସୁଦ୍ଧା ମିଳି ନାହି

ଭୁବନେଶ୍ୱର, ୩୦ ଜୁନ (ଓଡ଼ିଆ ପୁଅ) – ଗୁମୁଡୁମାହା ଗୁଳିକାଣ୍ଡକୁ ଦୁଇ ବର୍ଷ ପୂର୍ତିର ଅବ୍ୟବହିତ ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳତାକୁ ସ୍ଥାଣୁ ଓ ଅପାରଗ କୁହାଯିବନି ତ ଆଉ କେଉଁ ଶବ୍ଦ ବ୍ୟବହାର କରା ଯିବ ବୋଲି ସାମାଜିକ ଗଣମାଧ୍ୟମରେ ମତ ରଖି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପରି ସମ୍ବେଦନଶୀଳ ମାମଲାରେ ପ୍ରତିଶ୍ରୁତି ଦେଇ କ୍ରିୟାନ୍ୱିତ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବାରୁ ବିଳମ୍ବ ହେଲେ ବି ଦୋଷ ସ୍ୱୀକାର କରିବା ସହ ଓଡିଶାର ଏହି ସାଧାରଣ ଗରୀବ ଦଳିତ, ଜନଜାତି ଓ ଦୁର୍ଗମ ଜଙ୍ଗଲରେ ରହୁଥିବା ଓଡିଆ ମାନଙ୍କର ଦୁଃଖକୁ ସହୃଦୟତାର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।।

କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଠାରେ ଘଟିଥିବା ଗଣ ହତ୍ୟାର ଦୁଇ ବର୍ଷ ପୂର୍ତି ଅବ୍ୟବହିତ ପୂର୍ବରୁ ଏହି ଗୁଳିକାଣ୍ଡରେ ଆହତ ଆଦିବାସୀ, ଦଳିତ ମହିଳା, ପୁରୁଷ ତଥା କ୍ଷତିଗ୍ରସ୍ତ ପରିବାର ଲୋକ ମାନେ ତାଙ୍କୁ ଭେଟିବା ସମୟରେ ସେମାନଙ୍କର କାନ୍ଦ ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି।

ଦୁଇ ବର୍ଷ ପୂର୍ବେ ଜୁଲାଇ ୮ ତାରିଖରେ ଗୁମୁଡାମାହା ଠାରେ ଅତର୍କିତ ପୋଲିସ ଗୁଳିରେ ଆହତ ହୋଇ ପରେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ମାତ୍ର ଅକର୍ମଣ୍ୟ ହେବା କାରଣରୁ ନିଜ ଜୀବିକା ଅର୍ଜନ କରିବାରେ ବିଫଳ ମହିଳା ଓ ପୁରୁଷ ମାନଙ୍କ ଠାରୁ ସେଦିନର ଲୋମହର୍ଷଣକାରୀ ଘଟଣା ଶୁଣି ପୁଣି ପୁରୁଣା ସ୍ମୃତି ତାଙ୍କୁ ବ୍ୟଥିତ କରୁଛି ବୋଲି ସେ କହିଛନ୍ତି।

ଗୁଳିକାଣ୍ଡ ପରେ ବଂଚି ଯାଇଥିବା ଲୋକ ମାନଙ୍କର ଜୀବନ ସଂଘର୍ଷର କାହାଣୀ ଆହୁରି କଷ୍ଟ ଓ ବେଦନାଦାୟକ। ଗଣତନ୍ତ୍ର ଓ ବିକାଶର ଯୁଗରେ ଆଉ କାହାର ଭୁଲ ପାଇଁ ଦଣ୍ଡ ଭୋଗୁଥିବା ଏହି ଲୋକ ମାନଙ୍କର ବର୍ତମାନର ସ୍ଥିତିକୁ ସୁଧୁରା ଯିବା ପାଇଁ ପ୍ରତିଶ୍ରୁତି ଅନୁସାରେ ପଦକ୍ଷେପ ନ ନିଆ ଯିବା ଦୁଃଖ ଓ ପରିତାପର ବିଷୟ।

ତାଙ୍କୁ ସାକ୍ଷାତ ସମୟରେ କ୍ଷତିଗ୍ରସ୍ତ ପରିବାର ସଦସ୍ୟ ମାନେ ଜଣେ ଶିଶୁ ସମେତ ପାଂଚ ଜଣଙ୍କର ବର୍ଷାଭିଜା ରାତିରେ ପୋଲିସର ଅତର୍କିତ ଗୁଳି ଚାଳନାରେ ମୃତ୍ୟୁର ଦୁଃଖ ସହ ଏହି ଗୁଳିକାଣ୍ଡ ପରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ ହେବା ନେଇ ଦୁଃଖ ଓ କୋହ ଭରା କଣ୍ଠରେ ଦୁଃଖ ବର୍ଣନା କଲେ ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି।

ମୃତକ ପରିବାରକୁ କିଛି ଅର୍ଥ ସହାୟତା ଛଡା ରାଜ୍ୟ ସରକାର ଦେଇଥିବା କୌଣସି ବି ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ନେଇ ନେଇ ସେମାନେ କହିବା ସହ ଏହି ଗଣହତ୍ୟା ପରେ ବସା ଯାଇଥିବା ଏସଆଇଟି, ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରି ଦୋଷୀକୁ ଦଣ୍ଡ ଦେଉ ନାହାନ୍ତି ବୋଲି ସେମାନେ କହିଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ମୃତ ଓ ଅକର୍ମଣ୍ୟ ହୋଇ ଯାଇଥିବା ଲୋକଙ୍କ ପରିବାରବର୍ଗକୁ ସ୍ଥାୟୀ ନିଯୁକ୍ତି ଘଟଣାକୁ ଦୁଇ ବର୍ଷ ପୁରିଲେ ମଧ୍ୟ ଏବେ ସୁଦ୍ଧା ମିଳି ନାହିଁ। ଯେଉଁ କାଦୁଅ ରାସ୍ତା ଯୋଗୁ ଏତେ ଲୋକ ବଳିଦାନ ଓ ଅକର୍ମଣ୍ୟ ହେଲେ, ସେ ରାସ୍ତାର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏବେ ବି ଦୈନିକ କାମ, ଡାକ୍ତରଖାନା ଓ ପ୍ରସୁତି ମହିଳାଙ୍କୁ ବାଲିଗୁଡାକୁ ୩୦ କିମି ରାସ୍ତା ଅତିକ୍ରମ କରି ଖଟ ବା ଅଟୋରେ ନେବାକୁ ପଡୁଛିା ଗାଁରେ ପିଇବା ପାଣିର ଅବସ୍ଥା ଖରାପ। ଗାଁକୁ ବିଜୁଳି ଖୁଂଟ ପଡିଲେ ମଧ୍ୟ ବହୁ ସମୟ ବିଜୁଳି କାଟ ଓ ଲୋ ଭୋଲଟେଜ ଯୋଗୁ ପିଲା ମାନେ ରାତିରେ ପାଠ ପଢି ପାରୁ ନାହାନ୍ତି ବୋଲି ସେମାନେ କହିଥିବା ଶ୍ରୀ ପ୍ରଧାନ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଘଟଣାର ଦୁଇ ବର୍ଷ ପୁରିବାକୁ ବସିଲା ବେଳେ ଯଦି ମୁଖ୍ୟମନ୍ତ୍ରୀ ନିଜେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ତେବେ ତାଙ୍କୁ ସ୍ଥାଣୁ ଓ ଅପାରଗ କୁହାଯିବନି ତ ଆଉ କେଉଁ ଶବ୍ଦ ବ୍ୟବହାର କରା ଯିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଅପାରଗ କହିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତାବକ ମାନେ ଅତ୍ୟନ୍ତ କ୍ରୋଧୀ ଓ ପ୍ରତିକ୍ରିୟାଶୀଳ ହୋଇ ଉଠୁଛନ୍ତି। ଗୁମୁଡୁମାହା ଗୁଳିକାଣ୍ଡ ସାଢେ ଚାରି କୋଟି ଓଡିଆଙ୍କ ମନକୁ ଗଭୀର ଦୁଃଖ ପହଂଚାଇବା ସହ ମୃତାହତଙ୍କ ପରିବାର ପ୍ରତି ସମ୍ବେଦନଶୀଳତାର ସୁଅ ତିଆରି କରାଇଥିଲା। ଏପରି ସମ୍ବେଦନଶୀଳ ମାମଲାରେ ପ୍ରତିଶ୍ରୁତି ଦେଇ କ୍ରିୟାନ୍ୱିତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ବିଫଳତାର କାରଣ ଓଡିଆ ଜନମାନସର ଭାବାବେଗ ସହ ଖେଳିବା ପରି କାର୍ଯ୍ୟ। ବିଳମ୍ବ ହେଲେ ବି ଦୋଷ ସ୍ୱୀକାର କରିବା ସହ ଓଡିଶାର ଏହି ସାଧାରଣ ଗରୀବ ଦଳିତ, ଜନଜାତି ଓ ଦୁର୍ଗମ ଜଙ୍ଗଲରେ ରହୁଥିବା ଓଡିଆ ମାନଙ୍କର ଦୁଃଖକୁ ସହୃଦୟତାର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *