ଆମ ସଂସ୍କୃତି, କଳା ଓ ଐତିହ୍ୟ

ଗୁପ୍ତ ଗଙ୍ଗା ସ୍ୱରୂପିଣୀ ପୂଣ୍ୟତୋୟା ବୈତରଣୀ

– ସନାତନ ମହାକୁଡ଼

ଓଡ଼ିଶାର ପ୍ରମୁଖ ନଦୀମାନଙ୍କ ମଧ୍ୟରୁ ବୈତରଣୀ ନଦୀ ଅନ୍ୟତମ। କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତମାଳାରୁ ବାହାରି କେନ୍ଦୁଝର, ଝାଡଖଣ୍ଡସୀମା, ମୟୁରଭଞ୍ଜ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମଧ୍ୟରେ ୪୨ଗୋଟି ବ୍ଲକ ମଧ୍ୟ ଦେଇ ୩୬୦ କି.ମି. ବା ୨୨୪ ମାଇଲ୍ ଅତିକ୍ରମ କରି ଏହା ଧାମରା ମୁହାଁଣଠାରେ ବ୍ରାହ୍ମଣୀ ନଦୀକୁ ନିଜ ସହ ମିଶାଇଦେଇ ପବିତ୍ର ଆଖଣ୍ଡଳମଣି ପୀଠ ଆରଡି ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି। ବୈତରଣୀ ଗଙ୍ଗାଠାରୁ ୧୨ ବର୍ଷ ପୁରାତନ ବୋଲି ଲୋକମୁଖରେ ପ୍ରଚଳିତ। ଗରୁଡ଼ ପୁରାଣରେ ବୈତରଣୀର ପବିତ୍ରତା ବିଷୟରେ ଉଲ୍ଲେଖ ଅଛି। ଗୋନାସିକା ପର୍ବତର ଏକ ଗୋମୁଖର ଦୁଇ ନାଶା ପୁଡାରୁ ଏହି ନଦୀ ବାହାରିଅଛି। ଏହା ଅତ୍ୟନ୍ତ ପବିତ୍ର ନଦୀର ମର୍ଯ୍ୟାଦା ପାଇଆସିଅଛି। ବୈତରଣୀ ନଦୀ ଓଡ଼ିଶାର ଆଠ ଗୋଟି ଜିଲ୍ଲା ସହ ପଡ଼ୋଶୀ ଝାଡଖଣ୍ଡ ରାଜ୍ୟର ଜୀବନରେଖା ସଦୃଶ। ଏହି ନଦୀ ୩୧ଗୋଟି ଉପନଦୀ ଓ ୫୫ଗୋଟି ଛୋଟବଡ଼ ନାଳର ସମ୍ମିଶ୍ରଣରେ ନିଜର କାୟା ବିସ୍ତାର କରି ଯୁଗଯୁଗ ଧରି ଲୋକଙ୍କ ଜୀବନ ଜୀବିକା ଓ ଆଧ୍ୟାତ୍ମିକ ଧାରାକୁ ପ୍ରଭାବିତ କରିଆସିଅଛି। ଏହି ନଦୀର ବାର୍ଷିକ ଜଳପ୍ରବାହ କ୍ଷମତା ୮୨୯୬ମିଲିୟନ କ୍ୟୁବିକ୍ ମିଟର ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବେକ୍ଷଣରୁ ପ୍ରକାଶ ପାଇଛି, ମାତ୍ର ବାସ୍ତବ ସ୍ଥିତି ଏହାର ଚାରିଭାଗରୁ ଏକ ଭାଗ ରହିଅଛି, ଯାହାକି ପୁନଃ ସର୍ବେକ୍ଷଣରୁ ପ୍ରମାଣିତ ହୋଇପାରିବ। ଏହି ନଦୀର ଜଳ ଉପରେ ବ୍ୟାପକ ଅଂଚଳର କୃଷି କାର୍ଯ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଆତ୍ମନିର୍ଭରଶୀଳ। ବୈତରଣୀ ଉପରେ ମୋଟ୍ ୧ଲକ୍ଷ ୧୪, ୪୪୦ ହେକ୍ଟର ଜମିର ଜଳସେଚନ ବ୍ୟବସ୍ଥା ନିର୍ଭରଶୀଳ। ଏହା ଉପରେ ରେମାଳ, କାନ୍ଝରି ଓ ଶାଳନ୍ଦୀ ନଦୀବନ୍ଧ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦେଓ, କାନପୁର ଓ ଆନନ୍ଦପୁର ବୃହତ୍ତ ନଦୀବନ୍ଧ ଜଳସେଚନ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଏହାବ୍ୟତୀତ ଭୀମକୁଣ୍ଡ, ସୀତାବିଞ୍ଜ, କୋରାଇ, ଝାରପଡ଼ା, ଖଇରୀ, ବନ୍ଧନ, ମୁସଲ ଓ ସିମ୍ କଂଟାମୁଳି ଆଦି ୧୧ ଗୋଟି ଜଳସେଚନ ପ୍ରକଳ୍ପ ପ୍ରସ୍ତାବାଧିନ ଅଛି। ଏହି ନଦୀ ପାର୍ବତ୍ୟାଞ୍ଚଳ ମଧ୍ୟଦେଇ ଗତିକରି ଆନନ୍ଦପୁରଠାରେ ସମତଳ ଭୂମିକୁ ପ୍ରବେଶ କରି ଏକ ତ୍ରିକୋଣଭୂମି ସୃଷ୍ଟି କରିଅଛି।

ବୈତରଣୀ ନଦୀର ଉତ୍ପତିସ୍ଥଳ ଗୋନାସିକା ପର୍ବତଠାରୁ ଆରମ୍ଭ କରି ଆରଡି ଆଖଣ୍ଡଳମଣୀ ପର୍ଯ୍ୟନ୍ତ ବୈତରଣୀର ଦୁଇ ପାଶ୍ୱର୍ରେ ବହୁ ପ୍ରସିଦ୍ଧ ଶୈବ ପୀଠ ରହିଅଛି। ଶୈବ ଉପାସନାରେ ବୈତରଣୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି। ଶ୍ରାବଣ ମାସର ଜଳାଭିଷେକଠାରୁ ଆରମ୍ଭ କରି ଜାଗର ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଉତ୍ସବ ଅନୁଷ୍ଠାନରେ ବୈତରଣୀ ତଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି। ଏହାର ତଟରେ ଯାଜପୁରର ପ୍ରସିଦ୍ଧ ବିରଜାଇ ମନ୍ଦିର ଅବସ୍ଥିତ। ଯାଜପୁର ବୈତରଣୀ ତୀର୍ଥ ଭାବରେ ବିଶ୍ୱ ଦରବାରରେ ସୁପରିଚିତ। ଏଠାରେ ଥିବା ନାଭିଗୟାରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷପ୍ରାପ୍ତି ହୋଇଥାଆନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଛି। ଦୈନନ୍ଦିନ ଦେଶ ବିଦେଶରୁ ଅସଂଖ୍ୟ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଶ୍ରାଦ୍ଧ ତର୍ପଣ ଉଦ୍ଦେଶ୍ୟରେ ଏଠାକୁ ଆସିଥାଆନ୍ତି।

ଗୋମୁଖରୁ ବାହାରିଥିବା ବୈତରଣୀ ନଦୀର ଜଳ ଅତି ପବିତ୍ର। ଏହା ପାନ କଲେ ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ବୋଲି ଯୁଗଯୁଗର ବିଶ୍ୱାସ ରହିଅଛି। କେବଳ ମାନବ ସମାଜ ନୁହଁନ୍ତି ପଶୁପକ୍ଷୀ, ଜୀବଜନ୍ତୁ ଓ ବୃକ୍ଷଲତା ସମସ୍ତେ ବୈତରଣୀର ଶୁଦ୍ଧ ଜଳଧାରା ମାଧ୍ୟମରେ ତୃଷା ନିବାରଣ କରିବା ସହ ବଞ୍ଚି ରହିଥିଲେ। ବର୍ତ୍ତମାନ ସେହି ପୁଣ୍ୟତୋୟା ବୈତରଣୀ ଆଜି ସଂକଟ ମଧ୍ୟ ଦେଇ ଗତିକରୁଛି। ଏହାର ଉତ୍ପତିସ୍ଥଳଠାରୁ ଆରମ୍ଭ କରି ମୁହାଣ ପର୍ଯ୍ୟନ୍ତ ଏହା ପ୍ରଦୂଷଣର ଘୋର ଯନ୍ତ୍ରଣାରେ ଜର୍ଜରିତ ହୋଇଅଛି। ଅବିଚାରିତ ଭାବରେ ଜଙ୍ଗଲ ସମ୍ପଦ ନଷ୍ଟ ଯୋଗୁଁ ପରିବେଶର ଭାରସାମ୍ୟ ହରାଇ ବୃଷ୍ଟିପାତ ହ୍ରାସ ପାଇଛି। ଖଣି ଖନନ ଓ ଶିଳ୍ପାୟନ ପାଇଁ ବ୍ୟାପକ ବୃକ୍ଷଛେଦନ ଯୋଗୁଁ ସବୁଜିମା ନଷ୍ଟ ହୋଇ ବୈତରଣୀର ଉପନଦୀ, ପ୍ରାକୃତିକ ଝରଣା, ପ୍ରାକୃତିକ ଚିରସ୍ରୋତା ନାଳଗୁଡ଼ିକର ଜଳ ନିର୍ଗମନ କ୍ଷମତା ହ୍ରାସ ପାଇ ଏଗୁଡ଼ିକ ମୃତ ଜଳାଧାରାରେ ପରିଣତ ହୋଇଅଛି। ଜୁଲାଇ ମାସରୁ ଜାନୁଆରୀ ପର୍ଯ୍ୟନ୍ତ ବୈତରଣୀ ପାରିହେବାକୁ ଲୋକେ ଡଙ୍ଗାର ଆଶ୍ରୟ ନେଉଥିବାବେଳେ ବର୍ତ୍ତମାନ ଏହାର ଶଯ୍ୟା ବର୍ଷା ଋତୁ ପ୍ରାରମ୍ଭରୁ ଶୁଷ୍କ ହୋଇଯାଉଛି। କେନ୍ଦୁଝର ଜିଲ୍ଲାରେ ୩୪ ହଜାର ହେକ୍ଟର ଜମିକୁ ସରକାର ଖଣିଜ କାରବାର ପାଇଁ ଲିଜ୍ ସୂତ୍ରରେ ଦେଇଥିବା ବେଳେ ତନ୍ମଧ୍ୟରୁ ୨୫ହଜାର ହେକ୍ଟର ଜଙ୍ଗଲ ଜମି ରହିଅଛି। ଏହି ଜଙ୍ଗଲ କିସମ ଜମିର ବ୍ୟବହାର ପ୍ରକ୍ରିୟାରେ ବିକଳ୍ପ ଜଙ୍ଗଲ ସୃଷ୍ଟି ହେବା କଥା, ମାତ୍ର ତାହା କରାଯାଇନାହିଁ। ଅଦ୍ୟାବଧି ୬ ହଜାର ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭିନ୍ନ ଖଣି କମ୍ପାନୀ ଅର୍ଥ ଦେଇଛନ୍ତି। ଏହି ଅର୍ଥରେ ନୂତନ ଜଙ୍ଗଲ ପୂର୍ଣ୍ଣାଙ୍ଗ ହୋଇନାହିଁ। ବନୀକରଣ ସଂକ୍ରାନ୍ତରେ ସରକାର ଦେଇଥିବା ସର୍ବେକ୍ଷଣ ରିପୋର୍ଟ ଓ ବାସ୍ତବତା ମଧ୍ୟରେ ଆକାଶପାତାଳ ତଫାତ୍ ରହିଅଛି। ଏହା ଯୋଗୁଁ ବୈତରଣୀର ମଧ୍ୟ ଜଳଧାରା ପ୍ରଭାବିତ ହୋଇଅଛି ଓ ଦିନକୁ ଦିନ ଏହାର ଜଳ ପ୍ରବାହ କ୍ଷମତା ଦ୍ରୁତ ହାସ ପାଇଅଛିି। ବୈତରଣୀରୁ ଅବିଚାରିତ ଭାବରେ ବିଭିନ୍ନ ଖଣି ଓ ଶିଳ୍ପସଂସ୍ଥାକୁ ଜଳ ଦିଆଯାଉଥିବା ବେଳେ ପାରାଦ୍ୱୀପ ପର୍ଯ୍ୟନ୍ତ ଯାଇଥିବା ପାଇପ୍ ଲାଇନ୍ ଖଣିଜ ପରିବହନରେ ବ୍ୟାପକ ଭାବେ ଜଳ ବ୍ୟବହାର ଯୋଗୁଁ ନଦୀଶଯ୍ୟା ଶୁଷ୍କ ହେଉଅଛି। ଯାହାଫଳରେ ବର୍ଷସାରା କଳକଳ ନାଦରେ ଗୁଞ୍ଜରଣ ସୃଷ୍ଟି କରୁଥିବା ସ୍ରୋତସ୍ୱିନୀ ଚିରସ୍ରୋତା ବୈତରଣୀ ଶଯ୍ୟା ବର୍ଷାଋତୁ ପ୍ରାରମ୍ଭରୁ ଶୁଷ୍କ ହୋଇପଡ଼ିଲାଣି। ଖଣି ଓ ଶିଳ୍ପର ବର୍ଜ୍ୟବସ୍ତୁ ଓ ବୈତରଣୀ ନଦୀ ତଟରେ ଥିବା ବିଭିନ୍ନ ସହର, ବଜାରମାନଙ୍କର ବର୍ଜ୍ୟବସ୍ତୁ, ଆବର୍ଜନା ଓ ବର୍ଜ୍ୟଜଳ ବିଶୋଧନ କରାନଯାଇ ସିଧାସଳଖ ଭାବରେ ବୈତରଣୀରେ ନିକ୍ଷେପ କରାଯିବା ହେତୁ ଏହାର ଜଳ ଅତ୍ୟନ୍ତ ପ୍ରଦୂଷିତ ହୋଇ ପାନୀୟ ଜଳ ତ ଦୂରର କଥା, ଏହା ସ୍ନାନ ଶୌଚ ପାଇଁ ମଧ୍ୟ ଅଦରକାରୀ ହୋଇଗଲାଣି। ଏହି ପ୍ରଦୂଷିତ ଜଳ ମାଧ୍ୟମରେ ଆସୁଥିବା ବର୍ଜ୍ୟବସ୍ତୁ ଏଥିରେ ନିର୍ମିତ କାନପୁର ଜଳଭଣ୍ଡାର ସହ ଅନ୍ୟ ଜଳଭଣ୍ଡାରଗୁଡ଼ିକୁ ପୋତିବାକୁ ବସିଲାଣି। ବୈତରଣୀରୁ ପଟ୍ଟନାୟକ ଷ୍ଟିଲ୍, ପୁରୁଣାପାଣି ନୟାଗଡ଼, ଏସ୍.ଆର.ଷ୍ଟିଲ୍ ଦବୁନା, ଟିସ୍କୋ ବାମେବାରୀ, ଜିନ୍ଦଲ୍ ଷ୍ଟିଲ୍ ଦେଓଝର, ବିଆରପିଏଲ୍ ଭଦ୍ରାସାହି, ଟିସ୍କୋ ନୂଆମୁଣ୍ଡି, ଝାଡ଼ଖଣ୍ଡର ଜୟନ୍ତୀଗଡ଼ରୁ ବିଭିନ୍ନ ଶିଳ୍ପସଂସ୍ଥା ଅବିଚାରିତ ଭାବରେ ପାଣି ଟାଣିନେଉଛନ୍ତି। ସୋନା ନଦୀରୁ ଟାଟା କମ୍ପାନୀର ଯୋଡ଼ା ଇଷ୍ଟକୁ ମାତ୍ରାଧିକ ପାଣି ଟଣାଯାଉଛି। ସେହିଭଳି ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ, ନଇବୁଗା, ତାରିଣୀପ୍ରସାଦ ମହାନ୍ତି ଖଣି, ଉଚ୍ଚବାଲି ଇନ୍ଦ୍ରାଣୀ ପଟ୍ଟନାୟକ ଖଣି, ଦବୁନା ଓଡ଼ିଶା ଖଣି ନିଗମ ମାଙ୍ଗାନିଜ୍ ଖଣି, ଦବୁନା ସେକ୍ରାଡିହି ଲୌହଖଣି, ବଳଦା ସିରାଜଉଦ୍ଦିନ୍ ଖଣି, ରୁଙ୍ଗ୍ଟା ସିଲିଯୋଡ଼ା ଖଣି, ଏସ୍.ଜି.ବି.କେ. ଗୁରୁଡ଼ା ଖଣି, ଜଜାଙ୍ଗ ରୁଙ୍ଗ୍ଟା ଖଣି, ଏସ୍.ଜି. ପାଣ୍ଡିଆ ଖଣି ଜଜାଙ୍ଗ, ଏସ୍.ଏଲ୍. ମାଇନିଙ୍ଗ, ଜଜାଙ୍ଗ, କେ.ଏମ୍.ସି. ଜଳହରି, ଆଇ.ଟି.ସି. ଜଲହରି, ପାଢି ମାଇନ୍ସ ଗୁରୁବେଡ଼ା, ଟିସ୍କୋ ଇଷ୍ଟ ଲୌହଖଣି, ଯୋଡ଼ା, ଟିସ୍କୋ ମାଙ୍ଗାନିଜ୍ ଖଣି ବିଚାକୁଣ୍ଡି, ସରୋଜିନୀ ପ୍ରଧାନ ଖଣି ଡଡୁଆଁ, କେସି ପ୍ରଧାନ ଖଣି, ଚମକ୍ପୁର, ଭଞ୍ଜ ମିନେରାଲ୍ ଦଡୁଆଁ, ଶାରଦା ମାଇନ୍ସ କାରଖେଣ୍ଡରା, ତାରିଣୀ ମିନେରାଲ୍, ଦେଓଝର, ବି.ଆର. ପଟ୍ଟନାୟକ ମାଇନ୍ସ, ଦେଓଝର, ଟିସ୍କୋ ଲୁହାଖଣି, କାଟାମାଟି ତରଫରୁ ସିଧାସଳଖ ଭାବରେ ବୈତରଣୀରେ ଏହାର ଖଣି ଆବର୍ଜନା ନିକ୍ଷେପ କରାଯିବା ହେତୁ ବୈତରଣୀ ଶଯ୍ୟା ପୋତିହେବା ସହ ଏହାର ଜଳ ପ୍ରଦୂଷିତ ହୋଇଅଛି। ଏହା ବ୍ୟତୀତ କୁଶେଇ ନଦୀରୁ ଦୈତାରୀ ମାଇନ୍ସ ଓ ଟିସ୍କୋ ବ୍ରାହ୍ମଣୀପାଳ ତରଫରୁ ବ୍ୟାପକ ଜଳ ଆହରଣ କରାଯିବା ସହ ବର୍ଜ୍ୟବସ୍ତୁ ନିକ୍ଷେପ ହେତୁ ବେଲବାହାଳି ନିକଟରେ ଏହି ନଦୀ ଶୁଷ୍କ ଜଳଧାରାରେ ପରିଣତ ହୋଇଛି।

ଯାହାଫଳରେ କୋଟିକୋଟି ଟଙ୍କା ବ୍ୟୟରେ କେନ୍ଦୁଝର ସମେତ ବିଭିନ୍ନ ଜିଲ୍ଲାରେ ଜଳସେଚନ ମାଧ୍ୟମରେ କୃଷିର ବିକାଶ କରି ସବୁଜ ବିପ୍ଳବ ସୃଷ୍ଟି ପାଇଁ ହୋଇଥିବା ସ୍ୱପ୍ନ ଆଜି ଧୂଳିସାତ ହେବାକୁ ବସିଛି। ବର୍ତ୍ତମାନ ବୈତରଣୀ ନଦୀର ପ୍ରଦୂଷିତ ଜଳ କୃଷି କ୍ଷେତ୍ରରେ ପ୍ରୟୋଗ ଦ୍ୱାରା ଚାଷ ଜମିର ଉର୍ବରକ କ୍ଷମତା ହ୍ରାସ ପାଉଛି। ନଦୀ ଶଯ୍ୟା ଶୁଷ୍କ ହେବା କାରଣରୁ ଭୂତଳ ଜଳ ପୁନଃ ଭରଣ ହୋଇନପାରି ବୈତରଣୀ ନଦୀ ପାଶ୍ୱର୍ର ଜିଲ୍ଲାଗୁଡ଼ିକରେ ଭୂତଳ ଜଳ ଦ୍ରୁତ ନିମ୍ନଗାମୀ ହୋଇ ପାନୀୟଜଳ ସଂକଟ ସୃଷ୍ଟି ହେଲାଣି। ଏଥିପାଇଁ ବୈତରଣୀ ନଦୀରେ ବସିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଜଳ ଯୋଗାଇବା ସମ୍ଭବ ହୋଇପାରୁନାହିଁ। ନଳକୂପଗୁଡ଼ିକରୁ ପାନୀୟ ଜଳ ନିର୍ଗମନ କ୍ଷମତା ହ୍ରାସ ପାଇବା ସଂଗେସଂଗେ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇଛି। ଗୃହିଣୀମାନେ ପାନୀୟଜଳ ଟୋପେ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ ଗାଁ ଗାଁରେ କଳିକଜିଆ ବଢିଚାଲିଛି ଏବେଠାରୁ ଏହାର ପ୍ରତିକାର କରାନଗଲେ ଏହା ଆଗାମୀ ଦିନରେ ଭୟଙ୍କର ରୂପ ଧାରଣ କରିବ। କଲ୍ୟାଣମୟୀ ବୈତରଣୀକୁ ଆଜି ଦୁଃଖିନୀ ସଜାଇ ଦିଆଗଲାଣି। ଏହାର ପ୍ରତିକାର ପାଇଁ ସରକାର ସ୍ୱତନ୍ତ୍ରଭାବେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବୈତରଣୀ ଏକ ମୃତ ନଦୀରେ ପରିଣତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଟୀକା ଗୋବିନ୍ଦ ଚନ୍ଦ୍ରର ଉକ୍ତି – “ବେଳ ଥାଉ ବନ୍ଧ ବାନ୍ଧରେ କୁମର” ନ୍ୟାୟରେ ବର୍ତ୍ତମାନର “”ଶୁଖିଯିବ ସରୋବର ” ଆଶଙ୍କାକୁ ଦୃଷ୍ଟିରେ ରଖି ବୈତରଣୀର ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇ ବୈତରଣୀକୁ ପ୍ରଥମେ ପ୍ରଦୂଷଣମୁକ୍ତ କରିବା ଆବଶ୍ୟକ। ବିଭିନ୍ନ ଖଣି କମ୍ପାନୀ ଓ ଶିଳ୍ପସଂସ୍ଥା ଦ୍ୱାରା ବୈତରଣୀ ଶଯ୍ୟାକୁ ଖନନ କରିବା ସହ ଏଠାରୁ ବର୍ଜ୍ୟବସ୍ତୁ ଅପସରଣ କରାଯାଇ ବୈତରଣୀ ଶଯ୍ୟାରେ ଚେକ୍ଡ୍ୟାମ୍ ନିର୍ମାଣ କରି ପାଣି ଅଟକାଇ ଏହାକୁ ବର୍ଷସାରା ଜଳପ୍ରବାହଗାମୀ କରାଗଲେ ପାଶ୍ୱର୍ବର୍ତ୍ତୀ ଅଂଚଳର ଜଳସେଚନ ବ୍ୟବସ୍ଥା ସୁସଂହତ ହେବା ସହ ଭୂତଳଜଳ ପୁନଃଭରଣ ହୋଇ ପାନୀୟ ଜଳସଂକଟ ଦୂରୀଭୂତ ହୋଇପାରିବ। ବୈତରଣୀ ସମେତ ତାହାର ଶାଖା ନଦୀ, ଉପନଦୀ, ପ୍ରାକୃତିକ ନାଳ, ଚିରସ୍ରୋତା ଝରଣା, ସମେତ ତାହାର ପ୍ରମୁଖ ଉପନଦୀ ବ୍ରାହ୍ମଣୀର ଜଳ ନିର୍ଗମନ କ୍ଷମତା ବୃଦ୍ଧି ପାଇଁ ମହାନଦୀ ଢାଞ୍ଚାରେ ସବୁଜ ବୈତରଣୀ ଯୋଜନାରେ ବୈତରଣୀ ସହ ରାଜ୍ୟର ଅନ୍ୟ ନଦୀ ତଟରେ ବ୍ୟାପକ ବୃକ୍ଷରୋପଣ କରି ସବୁଜିମା ବୃଦ୍ଧି ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏଥିପାଇଁ କୃଷି, ଜଳସମ୍ପଦ, ଜଙ୍ଗଲ, ପରିବେଶ, ଖଣି, ରାଜସ୍ୱ, ଶିଳ୍ପ, ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଆଦି ବିଭାଗ ଅଧିକାରୀ ପରିବେଶ ବିଜ୍ଞାନୀ, କୃଷି ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବୈତରଣୀର ସ୍ଥିତିକୁ ଯାଞ୍ଚ କରି ଏହାର ସୁରକ୍ଷା ସହ ଆଗାମୀ ଦିନରେ ଜୀବଜଗତର ସୁରକ୍ଷା ପାଇଁ ବୈତରଣୀକୁ ବଞ୍ଚାଇବା ନିମନ୍ତେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ରାଷ୍ଟ୍ରର ଓ ଓଡ଼ିଶା ମା’ର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଶା କରୁଅଛି।

ବିଧାୟକ, ଚମ୍ପୁଆ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top