ଗୁଜୁରାତ ଓ ହିମାଚଳବାସୀ ବିକାଶକୁ ପ୍ରାଧାନ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ପ୍ରକଟ କରିଛନ୍ତି : ବିଜେପି

– ଗୁଜୁରାତ ଓ ହିମାଚଳବାସୀଙ୍କୁ ଅଭିନନ୍ଦନ ଜଣାଇଲା ରାଜ୍ୟ ବିଜେପି
– ଗୁଜୁରାତର ସୁରତରେ ବାସ କରୁଥିବା ୭ ଲକ୍ଷରୁ ଉର୍ଦ୍ଧ ଓଡିଆ ବିଜେପିକୁ ସମର୍ଥନ କରିଥିବା କାରଣରୁ ଧନ୍ୟବାଦ ଜ୍ଞାପନ
– ଆଜିର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶାରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ

ଭୁବନେଶ୍ୱର ତା ୧୮/୧୨ (ଓଡ଼ିଆ ପୁଅ) : ଗୁଜୁରାତରେ ୬ଷ୍ଠ ଥର ପାଇଁ ଏବଂ କ୍ରମାଗତଃ ୫ମ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଢିବାକୁ ଯାଉଛି। ବିରୋଧୀ କଂଗ୍ରେସ ଦଳ ଅନ୍ୟ ସମସ୍ତ ଛୋଟ ରାଜନୈତିକ ଦଳ ସହ ଏକତ୍ରିତ ହୋଇ ବିଜେପି ବିରୁଦ୍ଧରେ ଏକଜୁଟ ହୋଇଥିବା ସତ୍ୱେ ଗୁଜୁରାତର ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱକୁ ବିପୁଳ ସମର୍ଥନ କରି ବିଜେପିକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ସାଧାରଣ ଜନତା କଂଗ୍ରେସ ହାତରୁ କ୍ଷମତା ଛଡାଇ ନେଇ ସରକାର ଗଢିବା ଦାୟିତ୍ୱ ବିଜେପି ଉପରେ ନ୍ୟସ୍ତ କରିଛନ୍ତି। ଗୁଜୁରାତ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ବିପୁଳ ପରିମାଣର ଭୋଟ୍ରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଇଛି। ଏହି ସଫଳତା କାରଣରୁ ଉଭୟ ଗୁଜୁରାତ ଓ ହିମାଚଳପ୍ରଦେଶର ଜନସାଧାରଣଙ୍କ ସହ ଉଭୟ ରାଜ୍ୟର ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦଙ୍କ ସମେତ ରାଷ୍ଟୀୟ ଅଧକ୍ଷ ଅମିତ୍ ଶାହା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ବିଜେପି ଶାଖା ଧନ୍ୟବାଦ ସହ ଅଭିନନ୍ଦନ ଜ୍ଞାପନ କରୁଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ ବିଜେପିର ବିକାଶ ରାଜନୀତିକୁ ଆହୁରି ଦୃଢୀଭୁତ କରିଛି। ସାଧାରଣ ଲୋକଙ୍କ ପ୍ରତି ପ୍ରତିବଦ୍ଧତା, ବିକଶିତ କରିବାର ରାଜନୀତି, ଯୁବକ, ଆଦିବାସୀ, ପଛୁଆବର୍ଗ, ମହିଳା, ବ୍ୟବସାୟୀ ଏବଂ ସମସ୍ତ ସାଧାରଣ ଲୋକଙ୍କ ପାଖରେ ଭାରତୀୟ ଜନତା ପାର୍ଟି ଆଦୃତ ହୋଇଛି।

କଂଗ୍ରେସର ଜିଏସଟି, ବିମୁଦ୍ରାକରଣକୁ ବିରୋଧ ଓ ଜାତିବାଦ ସହ ପାକିସ୍ତାନର ଯୋଜନା ସତ୍ୱ୍ୱେ ଗୁଜୁରାଟବାସୀ ଭାରତୀୟ ଜନତା ପାର୍ଟିର ବିକାଶ ରାଜନୀତିକୁ ଆହୁରି ଅଧିକ ସମର୍ଥନ କରିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଓଡିଶାର ୭ଲକ୍ଷରୁ ଅଧିକ ଲୋକ ଓଡିଶାରେ ରୋଜଗାର ନପାଇ ଗୁଜୁରାତର ସୁରତରେ ବାସ କରୁୁଥିବାବେଳେ ସେମାନେ ମୋଦିଙ୍କ ଉପରେ ବିଶ୍ୱାସ ରଖି ଗୁଜୁରାଟ ନିର୍ବାଚନରେ ସଂପୂର୍ଣ୍ଣଭାବେ ସମର୍ଥନ କରିଥିବାରୁ ଓଡିଶା ଭାରତୀୟ ଜନତା ପାର୍ଟି ସେମାନଙ୍କୁ ଧନ୍ୟବାଦ ଜଣାଇଛି। ଗଂଜାମ ଜିଲ୍ଲାର ପ୍ରମୁଖ ନେତା ଓ କାର୍ଯ୍ୟକର୍ତାମାନେ ଗୁଜୁରାଟ ଯାଇ ଓଡିଶା ଲୋକଙ୍କ ସହଯୋଗ ଲୋଡିଥିବାରୁ ରାଜ୍ୟ ବିଜେପି ସେମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ବକ୍ସିପାତ୍ର ଆନନ୍ଦ ପ୍ରକାଶ କରି କହିଛନ୍ତି।

ବହୁ ପ୍ରତିକ୍ଷିତ ଆଜିର ଏହି ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଭାରତୀୟଙ୍କ ସଂପୂର୍ଣ୍ଣ ଆସ୍ଥା ପ୍ରକଟକୁ ପ୍ରମାଣିତ କରୁଛି ଏବଂ ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜନୀତି ଓ ଓଡିଶାର ରାଜନୀତିରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ଶ୍ରୀ ବକ୍ସିପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ଶ୍ରୀ ବକ୍ସିପାତ୍ରଙ୍କ ସମେତ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଶ୍ରୀ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *