ଗୁଜୁରାଟ ସହ ଓଡିଶାର ସାମାଜିକ ଓ ସାଂସ୍କୁତିକ ସମ୍ପର୍କ ଅତି ନିବିଡ -ଧର୍ମେନ୍ଦ୍ର ପ୍ରଧାନ

ସୁରଟରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟନ ସୁରଟ ଓ ଗୁଜୁରାଟର ବିକାଶରେ ଓଡିଆ ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି- ବିଜୟ ରୂପାନୀ

· ପ୍ରଧାନମନ୍ତ୍ରୀ ନୂଆ ଭାରତ ପରିକଳ୍ପନାରେ ଓଡିଶାର ଗୁରୁତ୍ୱପୂର୍ଣ ସ୍ଥାନ ରହିଛି

ସୁରଟ/ଭୁବନେଶ୍ୱର, ୪ ସେପ୍ଟେମ୍ବର (ଓଡ଼ିଆ ପୁଅ) -ସୁରଟ ଓ ଗୁଜୁରାଟର ବିକାଶରେ ଓଡିଆ ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ସୁରଟ ଠାରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟନ ଅବସରରେ କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।

 

ଓଡିଆ ଓ ଗୁଜୁରାଟ ବାସୀଙ୍କ ମଧ୍ୟରେ ସାମାଜିକ, ସାଂସ୍କୁତିକ, ରାଜନୈତିକ ସମ୍ପର୍କ ଅତି ନିବିଡ। ଆମ ଓଡିଶାର କୋଣାର୍କରେ ସୂର୍ଯ୍ୟ ଉଦୟ ହୁଏ ଗୁଜୁରାଟର ସୁଡେରାରେ ସୂର୍ଯ୍ୟ ଅସ୍ତ ହୁଏ। ଓଡିଶାରେ ପୁରୀ ଧାମ, ଗୁଜୁରାଟର ଦ୍ୱାରିକାଧାମ ରହିଛି। ଗୁଜୁରାଟର ଅର୍ଥନୀତି ପରିବର୍ତ୍ତନରେ ଓଡିଆ ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ସୁରଟରେ ଅନୁଷ୍ଠିତ ଓଡିଆ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଜୁରାଟ ଓ ଓଡିଶାର ଭାବାବେଗ ସମ୍ପର୍କରେ ଏହି ଓଡିଆ ପର୍ବ ଆଜି ଆବେଗର ପର୍ବ। ସୁରଟରେ ଆଜି ଓଡିଆ ସଂସ୍କୁତି, ପରମ୍ପରା, ଶ୍ରୀ ଜଗନ୍ନାଥ ସଂସ୍କୁତିକୁ ପ୍ରତିଷ୍ଠା କରାଯାଇଥିବାରୁ ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଆଜି ପ୍ରଧାନମନ୍ତ୍ରୀ ନୂଆ ଭାରତ କଳ୍ପନା କରିଛନ୍ତି। ଆମେ ନୂଆ ଓଡିଶା କଳ୍ପନା କରିଛୁ। ନରେନ୍ଦ୍ର ମୋଦିଙ୍କ ନୂଆ ଭାରତରେ ଯଦି କିଏ ଆଗରେ ରହିବ ସେ ଓଡିଶା ଓ ଓଡିଆ ପରିଶ୍ରମୀ ଭାଇ ଓ ଭଉଣୀ ମାନେ ରହିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଜୁରାଟ ଓ ଓଡିଶା ମଧ୍ୟରେ ସମ୍ପର୍କ ବେସ ନିବିଡ। ଓଡିଶା ସହ ମହତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ପଟେଲଙ୍କର ସମ୍ପର୍କ ଅନନ୍ୟ। ଓଡିଆ ଜାତିର ପ୍ରବାଦ ପୁରୁଷ ବିଶିଷ୍ଠ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଝିଅ ଉତରା ଦେବୀ ମହାତ୍ମାଗାନ୍ଧୀଙ୍କ ସଚିବ ମହାଦେବ ଦେଶାଇଙ୍କ ପୁଅ ନାରାୟଣ ଦେଶାଇଙ୍କୁ ବିବାହ କରିଥିଲେ। ସେମାନେ ଏଠାରେ ସମାଜସେବା କରିଥିଲେ। ଗୁଜୁରାଟ ଭାବନଗରର ଠକ୍କର ବାପା ଓଡିଶାକୁ ନିଜର କର୍ମଭୂମି କରିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଆଜି ସୁରଟରେ ଏକ କର୍ମଶାଳା ଆଯୋଜନ ହୋଇଥିଲା। ଗୁଜୁରାଟରେ ଯେପରି ପେଟ୍ରୋକେମିକାଲ, ପ୍ଲାଷ୍ଟିକ, କେମିକାଲ କ୍ଲଷ୍ଟର ହୋଇଛି। ଓଡିଶାରେ ମଧ୍ୟ ସେହିପରି ହେବ। ସ୍ୱାଧୀନତାର ୭୦ ବର୍ଷ ପରେ ଓଡିଆ ଲୋକ କଣ କାମ କରିବେ ମାଲିକ ହେବନି। ଏହି ପରମ୍ପରାକୁ ଭଙ୍ଗାଯିବ। ଓଡିଆ ଲୋକ ମାଲିକ ହେବ। ଓଡିଆ ଲୋକଙ୍କୁ ମାଲିକ ହେବାର ସୁଯୋଗ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେଉଁ ପଯ୍ୟନ୍ତ ପୂର୍ବାଚଂଳର ବିକାଶ ହୋଇନି ସେ ଯାଏଁ ଭାରତର ବିକାଶ ହୋଇଛି ବୋଲି କହି ହେବନି।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଓଡିଆ ଜାତି କୋଣାର୍କ ମନ୍ଦିର ବନାଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଲିଙ୍ଗରାଜ ମନ୍ଦିର ବନାଇଥିଲେ। ଏବେ ଓଡିଆ ଜାତି ନିଜ ଗୋଡରେ ଠିଆ ହେବାପାଇଁ ପ୍ରଚେଷ୍ଟା ଆରମ୍ଭ କରିବ। ପାରାଦ୍ୱୀପ ରିଫାଇନାରୀର ପେଟ୍ରୋକେମିକାଲ ପଲିମରରୁ ସୂତା ବାହାର କରି ଏଠାରେ ଦ୍ୱିତୀୟ ସୁରଟ କରାଯିବ। ସ୍ୱାଭିମାନର ସହ କାମ କରିବାର ସୁଯୋଗ ଆସିଛି। ଓଡିଶାରେ ଶିଳ୍ପାୟନର ନୂଆ ପରମ୍ପରା ସୃଷ୍ଟି ହେବ। ସ୍ୱାଭିମାନୀ ଓଡିଆ ନିଜ ଗୋଡରେ ଛିଡା ହେବେ ଓ ଆତ୍ମନିର୍ଭରଶୀଳ ହେବେ। ଆଗାମୀ ଦିନରେ ଓଡିଆ ପର୍ବ କିପରି ସ୍ଥାୟୀ ହେବ ତାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Leave a Reply

Your email address will not be published. Required fields are marked *