‘ଗୀତ ଶ୍ରୀଜଗନ୍ନାଥ’କୁ ଉନ୍ମୋଚନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

– ପୁସ୍ତକରେ ରହିଛି ଶ୍ରୀଜଗନ୍ନାଥଙ୍କ ୧୦୮ ଗୀତ
ପୁରୀ ୩-୮ (ଓଡ଼ିଆ ପୁଅ) ଯୁବକବି ଶ୍ରୀ ଅଖଣ୍ଡଙ୍କ ରଚିତ ‘ଗୀତ ଶ୍ରୀଜଗନ୍ନାଥ‘ ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶ ପାଇଛି। ପୁରୀ ଗୋବର୍ଦ୍ଧନ ପୀଠ ସ୍ଥିତ ସତ୍ସଙ୍ଗ ଭବନରେ ଶ୍ରୀମଦ୍ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାକୁ ଲୋକାର୍ପଣ କରିଛନ୍ତି। ଗୁରୁଜୀଙ୍କ ଦ୍ୱାରା ମଠରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରବଚନ ଅବସରରେ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ପୁସ୍ତକରେ ୧୫ଟି ଅଧ୍ୟାୟ ରହିଛି ଓ ପ୍ରତି ଅଧ୍ୟାୟରେ ୭ଟି ଲେଖାଁଏ ଗୀତ ରହିଛି। ପ୍ରଥମ ତିନିଟି ଗୀତକୁ ମିଶାଇ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କିତ ୧୦୮ଟି ଗୀତ ରହିଛି। ପୂଜ୍ୟ ଶଙ୍କରାଚାର୍ଯ୍ୟ ପୁସ୍ତକ ବିଷୟରେ ମତବ୍ୟକ୍ତ କରିଛନ୍ତି ଯେ, ଋଗବେଦରେ ଶ୍ରୀଜଗନ୍ନାଥ ଆଦି ଚତୁର୍ଦ୍ଧାମୂର୍ତିଙ୍କୁ ଦାରୁବ୍ରହ୍ମ ଭାବେ ବର୍ଣ୍ଣନା କରାଯାଇଛି। ବେଦ ଅନୁସାରେ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମଙ୍କ ଉପାସନା ଦ୍ୱାରା ସର୍ବବିଧ ଉତ୍କର୍ଷ ଓ ସନାତନପଦର ସମଉପଲବ୍ଧି ସୁନିଶ୍ଚିତ ଅଟେ। ସ୍କନ୍ଦପୁରାଣରେ ଦାରୁ ଶବ୍ଦର ଅର୍ଥକୁ ସବୁପ୍ରକାର ଦୁଖର ଦଳନ ଭାବେ ବର୍ଣ୍ଣନା କରାଯାଇଛି। ଅଖଣ୍ଡଙ୍କ ଦ୍ୱାରା ରଚିତ ଏହି ପୁସ୍ତକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ-ରୂପ-ଲୀଳା-ଧାମ ଆଦିର ସରସ ବର୍ଣ୍ଣନା ହୃହୟଙ୍ଗମ କରିବାଯୋଗ୍ୟ ଅଟେ। ଲୋକାର୍ପଣ ଉତ୍ସବରେ ପୁସ୍ତକର ରଚୟିତା ଶ୍ରୀ ଅଖଣ୍ଡ, ପ୍ରକାଶକ ଡାକ୍ତର ତପନ କୁମାର ଦାଶ ଓ ଗୋବର୍ଦ୍ଧନ ପୀଠର ମୁଖପାତ୍ର ମନୋଜ କୁମାର ରଥ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ ଓ ଶିଷ୍ୟ ସାଧକମାନେ ଉପସ୍ଥିତ ଥିଲେ। ଶେଷରେ ଗୁରୁଜୀ ସମସ୍ତଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *