ଗାନ୍ଧୀ ଯୁବ ଶିବିରାର୍ଥୀଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୭ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରସ୍ୱତୀ ବିହାର ଠାରେ ଆୟୋଜିତ ଗାନ୍ଧୀ ଯୁବ ଶିବିରର ତୃତୀୟ ଦିନରେ ଶିବିରାର୍ଥୀଗଣ ପ୍ରଫେସର ଅବଦୁଲ ବାରୀଙ୍କ ନେତୃତ୍ୱରେ ମହାତ୍ମାଗାନ୍ଧୀଙ୍କର ପ୍ରେରଣା ପୀଠ ଗାନ୍ଧୀ ବାଳାଶ୍ରମ, ଭଦ୍ରକର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପବାଚସ୍ପତି ମହମ୍ମଦ ହନିଫ୍ଙ୍କ ପବିତ୍ର ସମାଧି ପୀଠ ଓ ଦ୍ୱିତୀୟ ଜାଲିୱାନାଲାବାଗ୍ ରକ୍ତତୀର୍ଥ ଇରମରେ ଶହୀଦ ସ୍ମୃତି ସ୍ତମ୍ଭ ଓ ସମାଧି ପୀଠ ପରିଦର୍ଶନ କରିଛନ୍ତି । ପୁରୁଣାବଜାରସ୍ଥ ସମାଧି ପୀଠରେ ଶିକ୍ଷକ ମୁସ୍ତାକ ଗହ୍ୱର ଓ ହନିଫ୍ ବାବୁଙ୍କ ନାତି ଶିବିରାର୍ଥୀମାନଙ୍କୁ ସ୍ୱାଗତ କରିବା ପରେ ଗୁଜୁରାଟ ବିଦ୍ୟାପୀଠର କର୍ମକର୍ତ୍ତାଗଣ ଓ ସଲାମ ଜୀବନ ସଂଗଠନ ପକ୍ଷରୁ ମହମ୍ମଦ ଇମ୍ରାନ ଅଲ୍ଲୀ, ସୁଖୀ ଓଡିଶା ମିଶନ ପକ୍ଷରୁ ଡ. ସଦାନନ୍ଦ ଦୀକ୍ଷିତ, ଦିଶାର ପ୍ରତିଷ୍ଠାତା ମହମ୍ମଦ ନିଆଜ ଗାନ୍ଧୀ ଖଦୀସୂତ୍ର ଚଢାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗାନ୍ଧୀ ଓଡିଶା ବାଳାଶ୍ରମର କର୍ମକର୍ତ୍ତାଗଣ ସ୍ୱାଗତ କରିବା ସହିତ ବାଳାଶ୍ରମର ଐତିହ୍ୟ ଓ ଗାନ୍ଧୀଙ୍କ ସଂପର୍କରେ ଶିବିରାର୍ଥୀମାନଙ୍କ ସୂଚନା ଦେଇଥିଲେ । ପରେ ଶିବିରାର୍ଥୀଗଣ ରକ୍ତତୀର୍ଥ ଇରମ୍ ପରିଦର୍ଶନ କରିବା ଅବସରରେ ଭାରତ ଜୋଡୋ ସଦ୍ଭାବନାର ବାର୍ତ୍ତା ନେଇ ନାରା ଦେଇଥିଲେ । ପୂର୍ବତନ ସରପଞ୍ଚ କମଳଲୋଚନ ବାରିକ ସମସ୍ତଙ୍କୁ ଶହୀଦମାନଙ୍କର ଇତିହାସ ସଂପର୍କରେ ଅଭିଭାଷଣ ରଖିଥିଲେ । ଶେଷରେ ସମାଜସେବୀ ମାଧବାନନ୍ଦ ମଲ୍ଲିକ ଶିବିରାର୍ଥୀମାନଙ୍କୁ ସ୍ୱାଗତ କରି ଆତିଥ୍ୟ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପକ ଅଶ୍ୱିନୀ କୁମାର ପୁହାଣ, ଜାଫର ଖାନ, ସଂଗ୍ରମ କେଶରୀ ସାମନ୍ତରାୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *