ଆମ ସଂସ୍କୃତି, କଳା ଓ ଐତିହ୍ୟ

ଗାନ୍ଧିଜୀଙ୍କ ବାଲିଅନ୍ତା ଅବସ୍ଥାନ ଓ ଦଳିତଙ୍କ ମନ୍ଦିର ପ୍ରବେଶ

– ମଇ ୧୩, ୧୪ ଓ ୧୫ ତାରିଖରେ ମହାତ୍ମାଗାନ୍ଧୀଙ୍କ ବାଲିଅନ୍ତା ଅବସ୍ଥାନର ୮୪ତମ ବାର୍ଷିକୀ ଅବସର ସ୍ମୃତିଲିପି

ଶ୍ରୀ ଲକ୍ଷ୍ମୀଧର ବେହେରା

ଭାରତବର୍ଷର ଆତ୍ମା ଗ୍ରାମାଞ୍ଚଳରେ ରହିଥିବା ଅନୁଭବ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓଡ଼ିଶାର ଦାରିଦ୍ର୍ୟକୁ ଅନୁଶୀଳନ କରି ଏହାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇ ୧୯୩୪ ମସିହାରେ ଓଡ଼ିଶାରେ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ସମୟରେ ଗ୍ରାମାଞ୍ଚଳରେ ଥିବା ଲୋକମାନଙ୍କ ବାସ୍ତବସ୍ଥିତି ଅନୁଭବ କରିବା ସହ ସେମାନଙ୍କ ସହ ଭାବବିନିମୟ କରି ତାଙ୍କର ଅଭାବ ଅସୁବିଧାକୁ ଦୃଷ୍ଟିଦେଇ ସମାଜରୁ ଜାତିପ୍ରଥା ଓ କୁସଂସ୍କାରର ବିଲୋପ ସାଧନ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଥିଲେ। ଗାନ୍ଧିଜୀ ୧୯୩୪ ମସିହାରେ ବାଳକାଟି ଉତ୍ତରାଛକଠାରୁ ପୁରୁଣା ଜଗନ୍ନାଥ ସଡ଼କ ଦେଇ ବାଲିଅନ୍ତାର କୁଆଖାଇ ନଦୀର କୁଶଭଦ୍ରାର ଉତ୍ପତ୍ତିସ୍ଥଳ ବାଲିଅନ୍ତା ଗାଦି ଗୋସାଇଁ ପୀଠ ସଂଲଗ୍ନ ନିକୁଞ୍ଜ ବିହାରୀ ମନ୍ଦିର ସମ୍ମୁଖ ତୋଟା, ଯାହାକି ହାଟପଡ଼ିଆ ବା ମେଳଣ ପଡ଼ିଆ ଭାବରେ ପରିଚିତ ଏଠାରେ ନିଜ ସମର୍ଥକଙ୍କ ସହ ମଇ ମାସ ୧୩, ୧୪ ଓ ୧୫ ତାରିଖ ତିନିଦିନ ଧରି ଅବସ୍ଥାନ କରିଥିଲେ। ଏଠାରେ ନଡ଼ିଆ ଚାଞ୍ଚରାରେ କୁଡ଼ିଆମାନ ଲୋକେ ତିଆରି କରିଥିଲେ। ଗାନ୍ଧିଜୀ ସେହି କୁଡ଼ିଆରେ ରହିବା ସହ ନଡ଼ିଆ ଚାଞ୍ଚରା ପାରି ଶୋଉଥିଲେ। ଏହାବ୍ୟତୀତ ସ୍ୱଚ୍ଛତାର ପ୍ରତୀକ ସ୍ୱରୂପ ଏଠାରେ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଥିଲା, ଗାନ୍ଧୀଙ୍କ ସହ ଆସିଥିବା ସମର୍ଥକ ଓ ତାଙ୍କୁ ଦେଖିବାକୁ ଆସୁଥିବା ଆଗନ୍ତୁକମାନେ ଏହି ପାଇଖାନା ବ୍ୟବହାର କରୁଥିଲେ। ଏହାହିଁ ଭାରତ ବର୍ଷରେ ସ୍ୱଚ୍ଛତାର ପ୍ରଥମ ବାର୍ତ୍ତା ବହନ କରିଥିଲା।

ବ୍ରିଟିଶ୍ ସରକାରଙ୍କ ପୋଲିସ୍ ଓ ଜମିଦାରମାନଙ୍କ ନାଲିଆଖିକୁ ଭ୍ରୁକ୍ଷେପ ନ କରି ଗାନ୍ଧିଜୀଙ୍କୁ ଦେଖିବା ସହ ତାଙ୍କ ସହ ଆଳାପ ଆଲୋଚନା କରି ତାଙ୍କଠାରୁ ଦେଶପ୍ରେମ ଓ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଶୁଣିବା ପାଇଁ ବାଲିଅନ୍ତା ସହ ଆଖପାଖ ଅଞ୍ଚଳର ଶହଶହ ଜନସାଧାରଣ ଚାଲିଚାଲି ଓ ଶଗଡ଼ ଗାଡ଼ିରେ ଆସି ବାଲିଅନ୍ତାରେ ଏକତ୍ରିତ ହୋଇଥିଲେ। ଗାନ୍ଧୀଙ୍କ ଏହି ରହଣୀ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ବାଲିଅନ୍ତା ଜମିଦାର ବଂଶଜ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ୰ ବଂଶୀଧର ମଙ୍ଗରାଜ, ୰ ଦାଶରଥି ମହାନ୍ତି, ୰ ଲକ୍ଷ୍ମଣ ସାହୁ, ୰ କବିରାଜ ଜଗମୋହନ କର, ୰ ଯଦୁନାଥ ଦଳେଇ, ୰ କବି ନରେନ୍ଦ୍ର କୁମାର ରାଉତରାୟଙ୍କ ସମେତ ଅଞ୍ଚଳର ଉତ୍ସାହୀ କିଶୋର ଓ ଯୁବକମାନେ। ଗାନ୍ଧୀଙ୍କ ରହଣୀ ସମୟରେ ପ୍ରତ୍ୟେହ ଗାନ୍ଧୀଙ୍କ ମାର୍ଗଦର୍ଶନରେ ପ୍ରତି ଗ୍ରାମ ସଫେଇ ସହ ସ୍ୱଚ୍ଛତାର ବାର୍ତ୍ତା ଗ୍ରାମେଗ୍ରାମେ ପ୍ରଚାର ଓ ପ୍ରସାର ହୋଇଥିଲା। ଲୋକେ ଖୋଲାରେ ମଳତ୍ୟାଗ ନ କରି ନିଜ ବାଡ଼ିରେ ପାଇଖାନା ନିର୍ମାଣ କରିଥିଲେ।

ଗାନ୍ଧୀଙ୍କ ବାଲିଅନ୍ତା ଅବସ୍ଥାନ ସମୟରେ ସମଗ୍ର ଭାରତ ବର୍ଷରେ ଏକ ଐତିହାସିକ ଘଟଣା ସଂଗଠିତ ହେଲା। ଗାନ୍ଧୀଙ୍କ ନେତୃତ୍ୱରେ ଦଳିତମାନେ ସ୍ଥାନୀୟ ନିକୁଞ୍ଜବିହାରୀ ମନ୍ଦିରରେ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୁଯୋଗ ଲାଭ କରିଥିଲେ। ଏହି ଘଟଣା ଅସ୍ପୃଶ୍ୟତା ନିରାକରଣ ସମ୍ପର୍କରେ ବାଲିଅନ୍ତାବାସୀଙ୍କର ସମଗ୍ର ଭାରତବାସୀଙ୍କୁ ଏକ ଉଜ୍ଜ୍ୱଳ ଦିଗ୍ଦର୍ଶନ ପ୍ରଦାନ କରିଥିଲା ଓ ସେହି ପରମ୍ପରା ଅଦ୍ୟାବଧି ଅତୁଟ ରହିଅଛି। ଏହାପରେ ଗାନ୍ଧିଜୀ ସବର୍ଣ୍ଣ, ହରିଜନ ଓ ସମସ୍ତ ଧର୍ମାବଲମ୍ବୀ ମାନଙ୍କ ଗହଣରେ ଏକ ପଂକ୍ତିଭୋଜନରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତକ୍ରାଳୀନ ସଂଗ୍ରାମୀ ୰ ବଂଶୀଧର ମଙ୍ଗରାଜଙ୍କ ସହ ନହରକଣ୍ଟାର ଜମିଦାର ବଂଶଜ ୰ ଉପେନ୍ଦ୍ର ଛୋଟରାୟଙ୍କ ସହିତ ୰ ଉତ୍ସବ ଜେନା, ୰ ଗୋପୀ ଓଝା, ୰ କୃପାସିନ୍ଧୁ ବେହେରା, ୰ ଭଗବାନ ମହାନ୍ତିଙ୍କ ସହିତ ଆଖପାଖ ଅଞ୍ଚଳର ଶହଶହ ଜନସାଧାରଣ ଗାନ୍ଧୀଙ୍କ ପ୍ରେରଣାରେ ଏକମନ ଏକପ୍ରାଣ ହୋଇ ସ୍ୱାଧୀନତା ସଂଗ୍ରାମର ବହ୍ନିରେ ନିଜକୁ ଝାସ ଦେଇଥିଲେ। ଗାନ୍ଧୀଙ୍କ ଏହି ରହଣୀ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶପ୍ରେମୀ ନେତାଙ୍କ ସହ ୰ ଗୋପବନ୍ଧୁ ଚୌଧୁରୀ, ୰ ପୂଜ୍ୟା ରମାଦେବୀ ମଧ୍ୟ ସାମିଲ୍ ହୋଇଥିଲେ ଓ ୰ ବିନୋଦ କାନୁନ୍ଗୋ ଗାନ୍ଧୀଙ୍କ ରହଣୀର ବିବରଣୀ ଲିପିବଦ୍ଧ କରି ରଖୁଥିଲେ।

ଏହି ଘଟଣାକୁ ପ୍ରଚାର ଓ ପ୍ରସାର କରିବାରେ ଇତିହାସ ନିରବଦ୍ରଷ୍ଟା ହୋଇଥିବାରୁ ଏହା ସୁଦୂରପ୍ରଚାରୀ ହୋଇପାରିନାହିଁ। ସେହିଦିନଠାରୁ ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରବେଶ କରି ପୂଜାର୍ଚ୍ଚନାର ସୁଯୋଗ ପାଇପାରୁଛନ୍ତି। ଏଥିପାଇଁ ବାଲିଅନ୍ତାବାସୀଙ୍କ ସମର୍ପିତ ମନୋଭାବ ପ୍ରଶଂସନୀୟ। ପରବର୍ତ୍ତୀ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର ଗାନ୍ଧୀପ୍ରେମୀ ୰ ବୁଦ୍ଧନାଥ ଭୋଇ ମୁଠିଏ ଚାଉଳ ଓ ଦଶ ପଇସା ଆଦାୟ କରି ଜନସାଧାରଣଙ୍କଠାରୁ ଭିକ୍ଷା ସଂଗ୍ରହ କରି ଏଠାରେ ଏକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ ଏବଂ ବାଲିଅନ୍ତାର ୰ ଭ୍ରମରବର ରାଉତରାୟଙ୍କ ସହ ବଦାନ୍ୟ ଜନସାଧାରଣଙ୍କ ସହଯୋଗରେ ନିକୁଞ୍ଜବିହାରୀ ମନ୍ଦିର ପରିସରରେ ଗାନ୍ଧୀପୀଠ ନିର୍ମାଣ ସହ ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି। ଯେଉଁଠାରେ ନିୟମିତ ଭାବରେ ଗାନ୍ଧୀଜୟନ୍ତୀ, ଗାନ୍ଧୀ ତିରୋଧାନ ଦିବସ, ବିିଭିନ୍ନ ଜାତୀୟ ଦିବସ ସହ ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦେ୍ଧାତ୍ସବ ପାଳନ ହୋଇଆସୁଅଛି। ଏହି ପୀଠର ଦେଶପ୍ରେମ ଆଧ୍ୟାତ୍ମିକ ଭାବନା ଓ ନୈସର୍ଗିକ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବାକୁ ୰ ଡକ୍ଟର ରାଧାନାଥ ରଥ, ୰ ହରେକୃଷ୍ଣ ମହତାବ, ୰ ଆଚାର୍ଯ୍ୟ ହରିହର, ୰ ପୂଜ୍ୟା ରମାଦେବୀଙ୍କ ସମେତ ଦେଶପ୍ରାଣ ନେତାମାନେ ଏହି ଯାଗାକୁ ବାରମ୍ବାର ପରିଦର୍ଶନରେ ଆସି ଏଠାରେ କିଛି ସମୟ ବିତାଇବାର ମୋହକୁ ଛାଡ଼ିପାରିନଥିଲେ। ସମାଜର ପୂର୍ବତନ ସମ୍ପାଦକ ୰ ଡକ୍ଟର ରାଧାନାଥ ରଥଙ୍କର ଏହି ପୀଠ ଅତ୍ୟନ୍ତ ଆପଣାର ଥିଲା। ଅନେକ ସମୟରେ ସେ ଏଠାକୁ ଆସି ନିକୁଞ୍ଜବିହାରୀଙ୍କ ଦର୍ଶନ କରିବା ସହ କୁଆଖାଇ ଓ କୁଶଭଦ୍ରାର ରମଣୀୟ ପରିବେଶକୁ ଉପଭୋଗ କରି ପାଖରେ ଥିବା ୰ ଭ୍ରମର ସାହୁଙ୍କ ଜଳଖିଆ ଦୋକାନରେ କିଛି ସମୟ ବସି ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ।

ବର୍ତ୍ତମାନର ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରା ୨୦୦୪ ମସିହାରେ ପ୍ରଥମଥର ବାଲିପାଟଣା ବିଧାୟକ ନିର୍ବାଚିତ ହେବାପରେ ଗାନ୍ଧୀଙ୍କ ସହ ଜଡ଼ିତ ଏହି ପୀଠର ବିକାଶ ନିମନ୍ତେ ଉଦ୍ୟମ ଆରମ୍ଭ କରି ଗାନ୍ଧୀଙ୍କ ଅବସ୍ଥାନର ସ୍ମୃତିକୁ ଜାଗରିତ କରିବା ପାଇଁ ମଇ ୧୩, ୧୪, ୧୫ ତିନିଦିନ ଧରି ଗାନ୍ଧୀ ରହଣି ବାର୍ଷିକୀ ମହାସମାରୋହରେ ପାଳନ କରିବା ସହ ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର କରୁଥିବା ବିିଶିଷ୍ଟ ବ୍ୟକ୍ତିଙ୍କୁ ‘ଗାନ୍ଧୀ ମଣିଷ’ ସମ୍ମାନରେ ସମ୍ମାନିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଠିକଣା ମାର୍ଗରେ ପରିଚାଳିତ କରିବା ପାଇଁ ଗାନ୍ଧୀଙ୍କ ବିଚାରଧାରାରେ ଅନୁପ୍ରାଣିତ ଅଞ୍ଚଳର ବୁଦ୍ଧିଜୀବୀମାନେ ଶ୍ରୀ ବେହେରାଙ୍କ ମାର୍ଗଦର୍ଶନରେ ଗାନ୍ଧୀ ପଦଯାତ୍ରା ସ୍ମୃତିପରିଷଦ ଗଠନ କରି ଏହିସବୁ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିଆସୁଛନ୍ତି। ଏହି ପୀଠ ସହ ଭକ୍ତକବି ଜୟଦେବଙ୍କ ଜନ୍ମପୀଠ କେନ୍ଦୁଲି, ସନ୍ଥ ତୁଳସୀଦାସ ସରୋବର, ଶିଶୁଅନନ୍ତ ପୀଠକୁ ନେଇ ଏକ ପର୍ଯ୍ୟଟନ ସର୍କିଟ୍ ଆରମ୍ଭ କରିବା ଲକ୍ଷ୍ୟରେ ଏହାର ପର୍ଯ୍ୟଟନ ଭିତ୍ତିଭୂମି ଆରମ୍ଭ କରାଯାଇ ଏଠାରେ ଅଡ଼ିଟୋରିୟମ୍, ସଭାମଣ୍ଡପ ଓ ଗାନ୍ଧୀ ପାଠାଗାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ଓ ଏହା ଖୁବ୍ଶୀଘ୍ର ଲୋକାର୍ପିତ ହେବ।

ଏହି ପୀଠର ଐତିହାସିକ ମର୍ଯ୍ୟାଦା ବୃଦ୍ଧି ପାଇଁ ଗାନ୍ଧୀଙ୍କ ବାଲିଅନ୍ତା ଅବସ୍ଥାନ ବିଷୟକୁ ପାଠ୍ୟପୁସ୍ତକରେ ସ୍ଥାନୀତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ବାହାର ରାଜ୍ୟରୁ ଆମ ରାଜ୍ୟକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ସାମୟିକ ରହଣୀ ପାଇଁ ଏଠାରେ ଧର୍ମଶାଳା, ସ୍ନାନାଗାର ନିର୍ମାଣ ସହ ବସ୍ମାନଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଗଲେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ଏଠାରେ ପ୍ରତ୍ୟୁଷରୁ ନିତ୍ୟକର୍ମ ସମ୍ପାଦନ କରିବା ସହ ଏହି ପୀଠକୁ ଦର୍ଶନ କରିପାରନ୍ତେ ଓ ଏଠାରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଶ୍ରୀକ୍ଷେତ୍ର ପୁରୀ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପରିଭ୍ରମଣର ସୁଯୋଗ ପାଇପାରନ୍ତେ। ଏଥିପାଇଁ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଓ ସରକାର ବ୍ୟବସ୍ଥା କରିବା ଆବଶ୍ୟକ। ଏହାବ୍ୟତୀତ ଶ୍ରୀ ବେହେରାଙ୍କ ଉଦ୍ୟମରେ ବାଲିଅନ୍ତାଠାରେ ପୁରୁଣା ଜଗନ୍ନାଥ ସଡ଼କର କୁଶଭଦ୍ରା ନଦୀରେ ନିର୍ମିତ ସେତୁକୁ ‘ମହାତ୍ମାଗାନ୍ଧୀ ସେତୁ’ ଭାବରେ ନାମିତ କରାଗଲେ ଗାନ୍ଧୀଙ୍କ ରହଣୀର ବାର୍ତ୍ତା ମଧ୍ୟ ଜନସାଧାରଣଙ୍କ ନିକଟରେ ଚିରସ୍ମରଣୀୟ ହୋଇରହିପାରିବ।

ପରିଶେଷରେ ଏହି ପୀଠର ସର୍ବାଙ୍ଗୀନ ବିକାଶ ସହ ଏହାର ପାରିପାର୍ଶ୍ୱିକ ଉନ୍ନୟନ କରି ଗାନ୍ଧୀଙ୍କ ଜୀବନଧାରା ସହ ସଂଶ୍ଳିଷ୍ଟ ଏହି ଐତିହ୍ୟ ସ୍ଥଳୀର ବିକାଶ ଆମ ସମସ୍ତଙ୍କର ଧେୟ ହେଉ।

ରୁଦ୍ରପୁର, ବାଲିଅନ୍ତା, ଖୋର୍ଦ୍ଧା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top