ଗାଡି ଚେକିଂ ନାମରେ ସାଧାରଣଲୋକଙ୍କୁ ହଇରାଣ କରୁଛି ପୋଲିସ, ଚେକିଂ ସମୟରେ କୋର୍ଟ ଓ ପୋଲିସ କର୍ମଚାରୀଙ୍କୁ ମାଫ୍

ବୌଦ୍ଧ,୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ସହରରେ ଗାଡି ଚେକିଂ ନାମରେ ପୋଲିସ ସାଧାରଣଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଅଛି । ହେଲମେଟ୍ ସଚେତନତା ନାମରେ ଚାଲିଥିବା ଏହି ଗାଡିଚେକିଂ ସମୟରେ କୋର୍ଟ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଗାଡିକୁ ଛାଡି ଦିଆଯାଉଥିବାବେଳେ ଅନ୍ୟମାନଙ୍କ ଗାଡିକୁ ଅଟକାଇ ଫାଇନ କାଟୁଥିବା ସାଧାରଣଲୋକମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଅପରାହ୍ନ ୪ଟା ସମୟରେ ବୌଦ୍ଧ ପୋଲିସ ପକ୍ଷରୁ ସହରର ମୁଖ୍ୟ ଏନଏସି ଛକ,ହାତୀଶାଳା ଛକ ଓ କୋର୍ଟଛକରେ ହଠାତ୍ ଗାଡି ଚେକିଂ ଆରମ୍ଭ ହୋଇଥିଲା । ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟରୁ ଫେରିବା ଓ ସ୍ଥାନୀୟ ଲୋକମାନେ ବଜାର ଯିବା ସମୟ ହୋଇଥିବାରୁ ପୋଲିସ ପକ୍ଷରୁ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଚେକିଂ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଜୈନେକ ସରକାରୀ ଓକିଲ କୋର୍ଟ କାମ ସାରି ଘରକୁ ଫେରୁଥିବାବେଳେ ହାତୀଶାଳ ଛକଠାରେ ପୋଲିସ ତାଙ୍କ ଗାଡିକୁ ଅଟକାଇଥିଲା । ସଂପୃକ୍ତ ଓକିଲ ହେଲମେଟ୍,ଡ୍ରାଇଭିଂ ଲାଇସେନସ ଓ ଗାଡିର ସମସ୍ତ କାଗଜପତ୍ର ଦେଖାଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ୧୦୦ ଟଙ୍କାର ଫାଇନ କାଟି ତାଙ୍କୁ ରସିଦ ଧରାଇ ଦେଇଥିଲେ । ଫଳରେ ସଂପୃକ୍ତ ଓକିଲ ସେଠାରୁ ଫେରିଆସି ଏ ସଂପର୍କରେ ଅନ୍ୟ ଓକିଲ ବନ୍ଧୁ ମାନଙ୍କୁ ଜଣାଇଥିଲେ । ତୁରନ୍ତ କିଛି ଓକିଲ ଗାଡିଚେକିଂ ଚାଲିଥିବା ହାତୀଶାଳ ଛକରେ ପହଂଚି ଗାଡି ଚେକିଂକୁ ସ୍ୱାଗତ କରିବା ସହିତ ତାଙ୍କ ଓକିଲ ବନ୍ଧୁ କାଗଜପତ୍ର ଦେଖାଇବା ସତ୍ୱେ କାହିଁକି ଫାଇନ କଟାଗଲା ବୋଲି ପଚାରିଥିଲେ । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଫାଇନ କାଟିବା ତାଙ୍କର ଅଧିକାର କହିବାପରେ ଗାଡି ଚେକିଂ ବେଳେ ଉପସ୍ଥିତ ଥିବା ଆରଟିଓଙ୍କ ଗାଡିର କାଗଜପତ୍ର ଆମେ ଦେଖିବାକୁ ଚାହୁଁଛୁ ବୋଲି ଓକିଲମାନେ ଦାବି କରିଥିଲେ । ଘଟଣାକୁ ନେଇ ପୋଲିସ ଓ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କରୁ ପରିସ୍ଥିତି ଜଟିଳ ଆଡକୁ ଗତି କରୁଥିବାବେଳେ ଏସଡିପିଓ ସେଠାରେ ପହଂଚି ଓକିଲମାନଙ୍କୁ ବୁଝାଶୁଝା କରି ପଠାଇ ଦେଇଥିଲେ । ଏହି ଘଟଣାପରେ ପୋଲିସର ସ୍ୱେଛାଚାରୀତାକୁୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ମୁତାବକ ଗତ ବୌଦ୍ଧ ମହୋତ୍ସବ ସମୟରେ ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଇ ମହୋତ୍ସବ ଦେଖିବାକୁ ଆସୁଥିବା ଲୋକଙ୍କୁ ହଇରାଣ କରାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପୋଲିସ ଅଧିକ ପ୍ରତିକ୍ରିୟାଶିଳ ହୋଇ ସହରର ବିଭିନ୍ନ ଛକଯାଗାରେ ଚେକିଂ କରୁଥିବା ଆଲୋଚନା ହେଉଛି । ତେବେ ଗାଡି ଚେକିଂ କରି କାଗଜପତ୍ର ଯାଂଚ କରିବା ଓ ହେଲମେଟ୍ ପିନ୍ଧିବା ପାଇଁ ସଚେତନତା କରାଇବା କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଥିବାବେଳେ ପୋଲିସ ପକ୍ଷରୁ ସଚେତନତା ନାମରେ ସଧାରଣଲୋକଙ୍କୁ ହଇରାଣ କରାନଯିବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *