ଗାଡି ଚେକିଂ ନାମରେ ବୌଦ୍ଧ ମହୋତ୍ସବକୁ ପୋଲିସର ଅସହଯୋଗ, ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା

ବୌଦ୍ଧ, ୦୭ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ସ୍ୱନକ୍ଷତ୍ର ଦିବସ ଅବସରରେ ଜିଲା ମହୋତ୍ସବ ଦୀର୍ଘ ୫ ଦିନ ଧରି ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଆସୁଅଛି। ଏହି ମହୋତ୍ସବ ଜିଲାର ସଂସ୍କୃତି, କଳା ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ସହିତ ଜିଲାବାସୀଙ୍କ ମଧ୍ୟରେ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ। ମହୋତ୍ସବକୁ ଦେଖିବା ପାଇଁ ପ୍ରତିଦିନ ଜିଲାର ବିଭିନ୍ନ ଅଞ୍ଚଳ ଓ ପଡୋଶୀ ଜିଲା ଗୁଡିକରୁ ଲୋକେ ପରିବାର ସହ ହଜାର ହଜାର ସଂଖ୍ୟାରେ ଆସିଥାଆନ୍ତି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ତଥା ଜିଲା ସଂସ୍କୃତି ପରିଷଦ ଏବଂ ଜିଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥିତ ଢଙ୍ଗରେ ଜିଲାର ସ୍ୱନକ୍ଷତ୍ର ଦିବସ ଅବସରରେ ପ୍ରତି ବର୍ଷ ଏହି ମହୋତ୍ସବ ପାଳନ କରାଯାଇଥାଏ। ମହୋତ୍ସବର ସୂରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ପୋଲିସ ପକ୍ଷରୁ ପରିଚାଳନା କରାଯାଇଥାଏ। ଉଦଘାଟନୀ ଦିବସରେ ଅତିଥି ଭାବରେ ଯୋଗଦେଇ ଜିଲାର ଯୁବ ଏସପି ମହୋତ୍ସବ ପାଳନରେ ଜିଲା ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମଂଚରୁ ଘୋଷଣା କରିଥିଲେ। କିନ୍ତୁ ଚଳିତ ମହୋତ୍ସବ ବହୁ ଆଡମ୍ବର ସହକାରେ ପାଳନ ହେବାର ଚତୁର୍ଥ ଦିନ ଜିଲା ପୋଲିସର ଅସହଯୋଗ ସ୍ପଷ୍ଟ ବାରି ହୋଇପଡିଥିଲା। ବର୍ଷସାରା ନିରବ ରହୁଥିବା ପୋଲିସ ହଠାତ୍ ମହୋତ୍ସବର ଚତୁର୍ଥ ଦିବସରେ ଆବଶ୍ୟକତା ଠାରୁ ଅଧିକ ଚଳଚଂଚଳ ହୋଇପଡିଥିଲା। ସନ୍ଧ୍ୟା ହେଉ ହେଉ ମହୋତ୍ସବ ପଡିଆରେ ଜନଗହଳି ବୃଦ୍ଧି ପାଇଆସୁଥିବାବେଳେ ବୌଦ୍ଧଥାନା ପକ୍ଷରୁ ମହାନଦୀ ବ୍ରିଜ୍ ଛକ, ଏନଏସି ଛକ ଓ ବୁଟୁପାଲି ନିକଟ ହାତୀଶାଳ ଛକ ଠାରେ ପୋଲିସ ପକ୍ଷରୁ ଗାଡି ଚେକିଂ ଆରମ୍ଭ ହୋଇଥିଲା। ଦୂର ଦୂରାନ୍ତରୁ ମହୋତ୍ସବ ବୁଲିବାକୁ ଆସିଥିବା ପରିବାରମାନଙ୍କ ମଧ୍ୟରେ କାହା ପାଖରେ ହେଲମେଟ୍ ନଥିଲା ତ ଆଉ କିଏ ପୋଡଶୀର ଗାଡି ନେଇ ଆସିଥିଲା। ଗାଡି ଚେକିଂ ନାମରେ ପୋଲିସ ସାଧାରଣଲୋକଙ୍କୁ ଦୁର୍ ବ୍ୟବହାର ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ହଇରାଣ କରୁଥିବା ଅଭିଯୋଗ କରାଯାଇଥିଲେ ମଧ୍ୟ ଉପର ଅଧିକାରୀଙ୍କ ନିର୍ଦ୍ଦେଶ କହି ଗାଡି ଚେକିଂ କରୁଥିବା ଅଧିକାରୀମାନେ କାହାର ଅନୁରୋଧକୁ ମଧ୍ୟ ଶୁଣିନଥିଲେ। ଶେଷରେ ଅଭିଯୋଗ ଯାଇ ଜିଳାପାଳଙ୍କ ନିକଟରେ ପହଂଚିବାପରେ ତାଙ୍କରି ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ ଉପରୋକ୍ତ ସ୍ଥାନରେ ପହଂଚି ଚେକିଂ ନାମରେ ମହେତ୍ସବକୁ ଆସୁଥିବା ଲୋକଙ୍କୁ ହଇରାଣ ନକରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପୋଲିସ ଅଧିକାରୀମାନେ ଗାଡି ଚେକିଂ ପାଇଁ ଏସପିଙ୍କ କଡ଼ା ନିର୍ଦ୍ଦେଶ ଥିବା ଦର୍ଶାଇ ଉପଜିଲାପାଳଙ୍କ ଅନୁରୋଧକୁ ମଧ୍ୟ ଶୁଣିନଥିଲେ। ରାତି ସୁଦ୍ଧା ମହୋତ୍ସବ ଦେଖି ଆସୁଥିବା ଲୋକଙ୍କ ନିକଟରୁ ୩୫୯୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ଜଣାଯାଇଛି। ଅନେକ ଲୋକ ପରିବାର ସହ ଶିତ କାକରରେ ବର୍ଷକୁ ଥରେ ହେଉଥିବା ମହୋତ୍ସବ ଦେଖିବାକୁ ଆସୁଥିବାବେଳେ ରାତି ପର୍ଯ୍ୟନ୍ତ ପୋଲିସ ଦ୍ୱାରା ହଇରାଣ ହୋଇ ଫେରିଯାଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ପକ୍ଷରୁ ଗାଡି ଚେକିଂ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଜିଲା ମହୋତ୍ସବ ଚାଲିଥିବା ସମୟରେ ପୋଲିସ ପକ୍ଷରୁ ଆଇନ ନାମରେ ଗାଡି ଚେକିଂ କରି ସାଧାରଣ ଜନତାଙ୍କୁ ହଇରାଣ କରିବା ପୋଲିସର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଠି କରିଛି।

Leave a Reply

Your email address will not be published. Required fields are marked *