ଗାଡିରେ ଯିବା ପରିବର୍ତ୍ତେ ଚାଲି ଚାଲି ଗଲେ ଅତିରିକ୍ତ ଜିଲ୍ଲାପାଳ, ଷ୍ଟିୟରିଂ ଧରିବା ବଦଳରେ ଛତା ଧରିଲେ ଡ୍ରାଇଭର

ମାଲକାନଗିରି, ୭ା୯ (ଓଡିଆ ପୁଅ ) ଆଜି ଦିନ ୧୦ଟା ସମୟରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି ସହରବାସୀ ଏହି ଦୃଶ୍ୟକୁ ବେଶ ଉପଭୋଗ କରିବା ସହିତ ଘଟଣା ସଂପର୍କରେ ଜାଣିବା ପରେ ଯେତିକି ଆଶ୍ଚର୍ଯ଼୍ୟ ହୋଇ ହୋଇଛନ୍ତି ତା ଠାରୁ ଅଧିକ ଚକିତ ହୋଇ ପଡିଛନ୍ତି। ଆଜି ସକାଳେ ସହରରେ ଝିପି ଝିପି ବର୍ଷା ଲାଗି ରହିଥିଲା, ଅଳ୍ପ ଦିନ ତଳେ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇଆସିଥିବା ନୂତନ ଭାବେ କାର୍ଯ଼୍ୟରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ସେହି ବର୍ଷାରେ ରାଜ ରାସ୍ତାରେ ହାତରେ ଛତାଧରି ଚାଲିଚାଲି ଯାଉଥିବା ବେଳେ ହଟାତ ତାଙ୍କ ଡ୍ରାଇଭର ସେଠାରେ ପହଁଚି ତାଙ୍କ ଠାରୁ ଛତା ନେଇ ଯାଇ ହାତରେ ଛତାଧରି ରାସ୍ତା କଡେଇ ନେଉଥିବାର ଦୃଶ୍ୟକୁ ସହରବାସୀ ଦେଖିବାକୁ ପାଇଥିଲେ। ଡ୍ରାଇଭରର ଯେଉଁ ହାତରେ କାର ଷ୍ଟିୟରିଂ ରହିବା କଥା ସେହି ହାତରେ ଛତା। ଯିଏ କାରରେ ବସି ଅଫିସ ଯିବାକଥା ସେ ବର୍ଷାରେ ଦୀର୍ଘ ଦେଢକିମି ରାସ୍ତା ଅଫିସକୁ ଚାଲିଚାଲି ଯାଉଥିବା ଘଟଣାକୁ ସହରବାସି ନାପସନ୍ଦ କରିବା ସହିତ ଏହି ଦୃଶ୍ୟ ଦେଖି ଚକିତ ହୋଇ ପଡିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଗାଡିଟି ଅନେକ ଦିନ ହେଲା ଖରାପ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଗତ କିଛି ଦିନତଳେ ପିଡି ଡିଆରଡିଏ ଦାଇତ୍ୱରେ ଥିବା ବେଳେ ତାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ବୋଲେରୋ ଗାଡି ଯୋଗାଇ ଦିଆଯାଇଥିଲା। ପିଡି ଡିଆରଡିଏ ପଦବୀ ପୂରଣ ହୋଇ ନୂଆ ପିଡି କାର୍ଯ଼୍ୟରେ ଯୋଗଦେଲା ପରେ ତାଙ୍କ ଠାରୁ ସେ ଗାଡିଟିକୁ ପ୍ରତ୍ୟାହର କରିନିଆଯାଇଥିବାରୁ ତାଙ୍କୁ ଅଫିସକୁ ଚାଲି ଚାଲି ଯିବାକୁ ପଡୁଛି। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ସେ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇନଥିବା ଓ ନିଜର ବ୍ୟକ୍ତିଗତ ଗାଡି ନଥିବାରୁ ସେ ନିଜ ବାସଭବନରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଚାଲି ଚାଲି ଯାଇଥାନ୍ତି। ତାଙ୍କ ଅଧିନରେ ୫ ଟି ବିଭାଗର ଗାଡି ଥିଲେ ମଧ୍ୟ ସେ ଅନ୍ୟଅଧିକାରୀ ମାନଙ୍କ କାର୍ଯ୍ୟରେ ବାଧାସୃଷ୍ଟି ନକରି କି କାହାଉପରେ ନିର୍ଭର ନକରି ଅଫିସ ସମୟ ହୋଇ ଯାଇଥିବାରୁ ଡ୍ରାଇଭରଙ୍କୁ ଧରି ଚାଲି ଚାଲି ଅଫିସ ଯାଉଛନ୍ତି। ଏହା ଦ୍ୱାରା ତାଙ୍କର କିଛି ଅସୁବିଧା ହେଉନାହିଁ। ଗାଡିରେ ହେଉ ବା ଚାଲି ଚାଲି ଯାଇ ଅଫିସରେ ଠିକ ସମୟରେ ପହଁଚି ଠିକ ଭାବେ ନିଜ କାର୍ଯ୍ୟତୁଲାଇ ଜିଲ୍ଲାବାସୀଙ୍କ ପାଇଁ କାମକରିବା ତାଙ୍କର କର୍ତ୍ତବ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥୀ କହିଛନ୍ତି।

 

Leave a Reply

Your email address will not be published. Required fields are marked *