ଗାଁ ସାଥୀଙ୍କ ନିଯୁକ୍ତି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ସମାଧାନ ଦାବିରେ ଆନ୍ଦୋଳନ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ପ୍ରଦେଶର ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳ ଓ ସୌଭାଗ୍ୟ ମିଶ୍ରଙ୍କ ଆହ୍ୱାନ କ୍ରମେ ଆଜି ଭଦ୍ରକ ଜିଲା ସଭାପତି ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଗାଁ ସାଥୀ ସଂଘର ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ଜିଲାପାଳଙ୍କ ପୁରୁଣା କାର୍ୟ୍ୟାଳୟ ସମ୍ମୁଖରୁ ବାହାରି ନୂତନ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସଂଘ ପକ୍ଷରୁ ବହୁ ବକ୍ତା ସେମାନଙ୍କ ଦାବି ଅନୁସାରେ ରାଜ୍ୟ ପଂଚାୟତ ବିଭାଗର ସ୍ଥାୟୀ ନିଯୁକ୍ତି ଓ ପର୍ୟ୍ୟାପ୍ତ କାର୍ୟ୍ୟ ସହିତ ସର୍ବନିମ୍ନ ମାସିକ ୬ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ଦେବାନେଇ ବ୍ଲକ୍ ଠାରୁ ରାଜ୍ୟ ପର୍ୟ୍ୟନ୍ତ ଦୀର୍ଘ ୧୦ ବର୍ଷର ସଂଗ୍ରାମ ଜାରି ରଖାଯାଇଥିଲେ ମଧ୍ୟ ତାହା ଏପର୍ୟ୍ୟନ୍ତ ପୂରଣ ହୋଇପାରିନାହିଁ ବୋଲି କହିଥିଲେ। ତେବେ ବର୍ତ୍ତମାନର ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଗାଁ ସାଥୀଙ୍କୁ ଦେଇଥିବା ତାଙ୍କ ପୂର୍ବ ପ୍ରତିଶ୍ରୁତି ମୂଳେ ଚଳିତବର୍ଷ ୧୯ ଫେବୃୟାରୀ ୨୦୧୮ ରୁ ପଂଚୟତ ବିଭାଗ ଫାଇଲ୍ ନଂ ୧୭୮ ଏନ୍ଆରଇଜିଏସ୍-୧୧-୯୦୪୩ ରେ ବର୍ଷକୁ ସର୍ବନିମ୍ନ ୨୦୦ ଦିନରୁ ଅଧିକ ବାଧ୍ୟତାମୂଳକ କାର୍ୟ୍ୟ ଅଣକୁଶଳୀ ଶ୍ରମିକ ହାରରେ ପାରିଶ୍ରମିକ ପ୍ରଦାନ ପାଇଁ ଏକ ଲିଖିତ ଆଦେଶ ଦେଇଥିବା ବିଷୟ ବକ୍ତାମାନେ କହିଥିଲେ। ମାତ୍ର ଏଯାବତ ତାହା ପ୍ରତ୍ୟେକ ଜିଲାର ଜିଲାପାଳ, ପିଡି ଡିଆରଡିଏ ଓ ବିଡିଓମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାନଯିବାରୁ ବାଧ୍ୟହୋଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡି ଏହାର ସମାଧାନ ଦାବିରେ ଆଜିର ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି ବୋଲି ସୂଚାଇଥିଲେ। ଏହି ଆନ୍ଦୋଳନ ଓ ପ୍ରତିବାଦ ସଭାରେ ସଂଘ ପକ୍ଷରୁ ପ୍ରବୀର ଯେନା, ମନୋଜ ପାଢୀ, ରବିନ୍ଦ୍ର ମାଝୀ, ସୁଷମା ବେହେରା, କୁମୁଦୁନୀ ପତି, କ୍ଷୀରୋଦ ସେଠୀ, ମନ୍ମଥ ବେହେରା, ବୈଷ୍ଣବ ପାଣିଗ୍ରାହୀ, ଅକ୍ଷୟ କୁମାର ଜେନା, ନିର୍ମଳା ମଣ୍ଡଳ, ରଜତ ମଣ୍ଡଳ, ପ୍ରଫୁଲ୍ଲ ଯେନା ଓ ରୀନା ମାଧୁରୀ ମହାନ୍ତି ପ୍ରମୁଖ ଯୋଗଦେଇ ସେମାନଙ୍କ ଦାବି ସଂପର୍କରେ ମତ ଉପସ୍ଥାପନ କରିଥିଲେ। ଏବଂ ଚଳିତ ମାସ ୨୧ ତାରିଖରେ ରାଜ୍ୟର ସମସ୍ତ ଗାଁ ସାଥୀ ଭୁବନେଶ୍ୱର ଯାଇ ନିଜ ନିଜ ବିଧାୟକଙ୍କ ବାସଭବନ ସମ୍ମୁଖରେ ଉପସ୍ଥିତ ରହି ମିଳିତ ଭାବେ ସଂଘର ଦାବି ଉପସ୍ଥାପନ କରାଯିବାର ଯେଉଁ କାର୍ୟ୍ୟକ୍ରମ ରହିଛି, ତାହାକୁ ସଫଳ କରାଇବା ପାଇଁ ଉପସ୍ଥିତ ଗାଁ ସାଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପଂଚାୟତ ରାଜ ମନ୍ତ୍ରୀ ଓ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପୃଥକ୍ ପୃଥକ୍ ଭାବେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *