ଗାଁ ମଝିରୁ ମଦ ଦୋକାନ ଉଛେଦ ପାଇଁ ଦାବି

ଯୋଡା- ତା ୯/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ଅନ୍ତର୍ଗତ ବିଲେଇପଦା ରୁପା ସାହି ମଝିରେ କିଛି ଦିନ ହେବ ଏକ ବିଦେଶି ମଦ ଦୋକାନ ଖୋଲାଯାଇଥିବାରୁ ଦିନ ତମାମ ସେଠାରେ ମଦୁଆ ମାନଙ୍କର ଭିଡ ଜମୁଥିବା ବେଳେ ସନ୍ଧ୍ୟା ହେଲେ ଦୈନିକ ଗଣ୍ଡଗୋଳର ସୂତ୍ରପାତ ହେଉଥିବା ଦେଖିବାକୁ ମିଳିଥାଏ। ଏହି ମଦ ଦୋକାନ ଭୟରେ ଗାଁ ର ଝିଅ-ବୋହୁମାନେ ପଦାକୁ ବାହାରିବାକୁ ମଧ୍ୟ ଭୟ କରିଥାନ୍ତି। ଗାଁ ଗାଁ ଭିତରେ ବିଶୃଙ୍ଖଳା, ପାରିବାରିକ କଳହ ସୂତ୍ରପାତ ଘଟି ଗ୍ରାମବାସୀମାନେ ଅଶାନ୍ତିରେ ଜୀବନ ଜାପନ କରୁଥିବା ଅଭିଯୋଗ କରି କାରଣ ସାହି, ରୂପା ସାହି, ଗହ୍ମା ସାହିର ପ୍ରାୟ ଶତାଧିକ ମହିଳା ପୁରୁଷ ଏହାକୁ ବିରୋଧ କରି ଏହାକୁ ତୁରନ୍ତ ଏଠୁ ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହି ମଦ ଦୋକାନଟି ଏକ ଆଦିବାସୀ ଜମି ଉପରେ ସ୍ଥାପିତ ହୋଇଥିବା ବେଳେ ମଦ ଦୋକାନ ନିମନ୍ତେ କୌଣସି ଗ୍ରାମସଭା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ମଦ ଦୋକାନକୁ ତୁରନ୍ତ ଏଠୁ ହଟା ନଗଲେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଦ ଦୋକାନକୁ ବିରୋଧ କରାଯିବ ବୋଲି ମୋହନ ମୁଣ୍ଡା, ଗାର୍ଦି ମୁଣ୍ଡା, ମୋହନ ମହାକୁଡ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏକ ପତ୍ରର ନକଲ ଉପଜିଲ୍ଲାପାଳ, ଯୋଡା ଥାନା ଏବଂ ଅବକାରୀ ବିଭାଗକୁ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *