ଗାଁ କୁ ରାସ୍ତା ନାହିଁ, ଦୁର୍ଦଶାରେ ୩୦୦ ରୁ ଅଧିକ ଲୋକ ବାସ କରୁଥିବା ଗ୍ରାମବାସୀ

ଗରଦପୁର/କେନ୍ଦ୍ରାପଡ଼ା ୩-୯ (ଓଡ଼ିଆ ପୁଅ/ଚନ୍ଦ୍ର ଶେଖର ବିଶ୍ୱାଳ) ସ୍ୱାଧୀନତାର ସାତ ଦଶନ୍ଧୀ ଅତିକ୍ରମ କରି ସାରିଥିଲେ ସୁଦ୍ଧା ଅନେକ ଗାଁ’କୁ ରାସ୍ତା ନାହିଁ। ଲୋକ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଏମିତି ଏକ ଗାଁ ହେଉଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଞ୍ଚାୟତରେ ଥିବା ଦାଆଁଲୋ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୩୦୦ ରୁ ଅଧିକ ଲୋକ ବାସ କରୁଛନ୍ତି, କିନ୍ତୁ ଏହି ଗାମକୁ ରାସ୍ତା ଟିଏ ନାହିଁ। ଏହି ଗାଁ’କୁ ସଂଯୋଗ କରୁଥିବା ରାସ୍ତାଟି ଏକ ମାଟି ରାସ୍ତା ଏହି ରାସ୍ତାରେ କେବେ ଗୋଡି ମୁଠାଏ ମଧ୍ୟ ପଡ଼ିନାହିଁ। ତେବେ ବର୍ଷା ଋତୁରେ ଏହି ଗ୍ରାମବାସୀ ଦୁଃଖ ବଢିଯାଏ, ବର୍ଷା ମାଡରେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ, ଫଳରେ ଆଣ୍ଠୁଏ କାଦୁଅରେ ପଶି ଯିବା ଆସିବା କରିବାକୁ ଲୋକ ବାଧ୍ୟ ହୁଅନ୍ତି, ଛାତ୍ର ଛାତ୍ରୀମାନେ ସ୍କୁଲ କଲେଜ ଯିବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏମିତିକି ଲଗାଣ ବର୍ଷା ସମୟରେ ଦାଆଁଲୋ ଗ୍ରାମ ବାସୀ ଘରୁ ପଦାକୁ ବାହାରି ପାରନ୍ତି ନାହିଁ। ଗର୍ଭବତୀ ମହିଳା ବୃଦ୍ଧା ଶିଶୁ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିକୁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନେବାପାଇଁ ନାକେଦମ୍ ହେବାକୁ ପଡେ। ଏଠାରେ ଏକ ଢଳେଇ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ଏହି ସମ୍ପର୍କରେ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ପଦ୍ମ ଲୋଚନ ରାଉତ, ହୃଷିକେଶ ଖଟୁଆ, ସୁନୀଲ ବରାଳ, ସୁଶୀଲ୍ ରାଉତ, ସାଗର ବରାଳ, ଲିପ୍ତକାନ୍ତ ସ୍ୱାଇଁ, ପ୍ରମୁଖ ଅଭିଯୋଗ କରିଥିଲେ। ଏହି ସମ୍ପର୍କରେ ଯୋଗାଯୋଗ କରିବାର ତେଣ୍ଡାକୁଡ଼ା ସରପଞ୍ଚ ମଳୟ ବସିନୀ ମହାନ୍ତି କହିଛନ୍ତି ଯେ ଦାଆଁଲୋ ଗ୍ରାମକୁ ପାଞ୍ଚ ଲକ୍ଷ ଟଙ୍କା ଗ୍ରାଣ୍ଡ ହୋଇ ଆସିଛି ସେହି ରାସ୍ତା ଟିକୁ କାମ କରିବା ପାଇଁ କିନ୍ତୁ ରାଜନେତା ବିଧାୟକଙ୍କ ପ୍ରତିନିଧି କିଛି ଲୋକଙ୍କ ଦ୍ଵାରା ପ୍ରରୋଚିତ ହୋଇ ସେହି କାମକୁ ବନ୍ଦ କରିଛନ୍ତି। ଯାହା ଫଳରେ ଲୋକ ଆଣ୍ଠୁଏ କାଦୁଅରେ ପସି ଯାଉଛନ୍ତି।

Leave a Reply

Your email address will not be published. Required fields are marked *