ଗହଣା ଚୋର ଓ ଗହଣା ଦୋକାନୀ ଗିରଫ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଘରେ ଘର ମାଲିକ ନ ଥିବାର ସୁଯୋଗ ନେଇ ଗତ ୨୬ ତାରିଖ ଦିନରେ ଘରର ଝରକା ତାଡି ଚୋରି ହୋଇଥିବା ଗହଣାକୁ ପୁଲିସ ଉଦ୍ଧାର କରିବା ସହିତ ଚୋର ଓ ଗହଣା କିଣିଥିବା ଜୁଏଲାରୀ ଦୋକାନୀଙ୍କୁ ଗିରଫ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଗ୍ରାମର ସୁଶୀଲ ପଣ୍ଡା ଘରେ ତାଲା ପକାଇ ବାହାରକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ଘରର ଝରକା ଭଙ୍ଗା ହୋଇଥିବା ଦେଖିଥିଲେ । ପରେ ଆଲମୀରାରୁ ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଜାଣି ପାରିଥିଲେ । ମୋଟ ୬ଲକ୍ଷ ଟଙ୍କାର ଗହଣା ସହିତ ନଗଦ ୨୦ହଜାର ଟଙ୍କା ଚୋରି ହୋଇଥିଲା । ଏ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ଘରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ ଦେଖି ପୁଲିସ ଚୋରକୁ ଚିହ୍ନି ପାରିଥିଲା । ଗ୍ରାମାଞ୍ଚଳ ଥାନା ଆଇଆଇସି ଦୟାନିଧି ଦାସ ବାଲେଶ୍ୱର ସଦର ଥାନାରେ ଥିବା ସମୟରେ ଗିରଫ କରିଥିଲେ । ତୁରନ୍ତ ଅନୁସନ୍ଧାନ କରି ଅଭିଯୁକ୍ତ ଭୁବନେଶ୍ୱର ବଡଗଡ ହରିନଗର ବସ୍ତିରୁ ଶିବୁ ଦାସ ଓରଫ ଲକିକୁ ଗିରଫ କରିଥିଲେ । ଶିବୁକୁ ପଚରା ଉଚୁରା କରିବା ପରେ ଶିବୁ ସବୁ ମାନି ଯାଇଥିଲା । ପରେ ସେ ଗହଣା ବିକ୍ରି କରିଥିବା ପଶ୍ଚିମବଙ୍ଗ ଏଗ୍ରା ବଜାରର ରାଜୁ ପଇରାଙ୍କ ଜୁଏଲାରୀ ଦୋକାନକୁ ଯାଇ ୩୧ ଗ୍ରାମ ଗହଣା ଜବତ କରିବା ସହିତ ରାଜୁଙ୍କୁ ଗିରଫ କରିଛି । ଆଜି ରାଜୁ ଓ ଶିବୁଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *