ଗଳ୍ପ – ମଜବୁରି

ସୁଧୀର କୁମାର ଧଙ୍ଗଡ଼ାମାଝୀ

ବାହାରେ ବାଣରୋଷଣୀ, ଘରେ ଉତ୍ସବର ମାହୋଲ୍। ଚାରିଆଡେ଼ ଖାଲି ଖୁସି, ଖୁସି, ଖୁସି ଆଉ ଖୁସି। ସବୁଠୁ ବେଶୀ ଖୁସି ଅନନ୍ୟା। କାରଣ ତା’ ପରିଚୟ ଆଜିଠୁ ବଦଳିଯିବ। ସେ ଆଉ ମନ୍ତ୍ରୀର ବୋହୂ କି ଅଫିସର୍ର ପତ୍ନୀ ହିସାବରେ ନୁହଁ, ଏବେ ପରିଚିତ ହେବ ସାଂସଦଙ୍କ ସହଧର୍ମିଣୀ ଭାବେ। ଭାଗ୍ୟରେ ଥିଲେ କାଲି ମନ୍ତ୍ରୀଙ୍କ ସ୍ତ୍ରୀ ଭାବେ ବି ତା’ର ପରିଚୟ ବଦଳିଯାଇପାରେ।

ଏଇ ଟିକେଆଗରୁ ବାଦଲ୍ ଫୋନ୍ କରି କହିଥିଲା ଯେ ସେ ଜିତିଯାଇଛି। ଏହି ଶୁଭ ଖବର ଯଦିଓ ଆଗରୁ ହିଁ ଏକ୍ଜିଟ୍ ପୋଲ୍ରେ ଜଣାପଡ଼ିସାରିଥିଲା, ତଥାପି ଟେନ୍ସନ୍ ତ ରହିବନା! ସବୁଠୁ ବେଶୀ ଟେନ୍ସନ୍ରେ ଥିଲା ଅନନ୍ୟା, କାରଣ ସେ ଜୀବନରେ କେବେ କୋଉଠି ପରାଜୟର ସ୍ୱାଦ ଚାଖିନଥିଲା କି ଜାଣିବାକୁ ବି ଚାହୁଁନଥିଲା। ସେଥିପାଇଁ ତ ସେ ବାଦଲ୍ ରାଜନୀତିରେ ପଶିଲା ଦିନଠୁ ଦୁନିଆର ସବୁ ଓଷାବ୍ରତ ପାଳନ କରୁଛି। ଆଜି ପୁଣି ନିଷ୍ଠାର ସହ ନିର୍ଜଳା ଉପବାସ ରଖିଛି।

ବାଦଲ୍ ରାଜନୀତିକୁ ଆସିବା ଥିଲା ଏକ ନିହାତି ଅପ୍ରତ୍ୟାଶିତ ଘଟଣା। ରାଜନୀତିକ ପରିବାରର ଦାୟାଦ ହେଇ ମଧ୍ୟ ସେ ଥିଲା ରାଜନୀତି ପ୍ରତି ସଂପୂର୍ଣ୍ଣ ବୀତସ୍ପୃହ। ମଦୁଆପର ପୁଅ ଯେପରି ବାପର କାରନାମା ଦେଖି ଜୀବନରେ କେବେ ମଦ ନ ପିଇବାକୁ ଶପଥ ନିଏ, ସେପରି ବାଦଲ ବି ବାପାଙ୍କ ରାଜନୀତି ଦାଓପେଞ୍ଚ ଦେଖି ସେଥିପ୍ରତି ଘୃଣା କରିବସିଥିଲା। ତେବେ ତା’ ଜୀବନରେ ଅନନ୍ୟାର ଆଗମନ ହିଁ ତାକୁ ରାଜନୀତି ଭିତରକୁ ଟାଣିଆଣିଲା।

ବାଦଲ ଓ ଅନନ୍ୟାଙ୍କ ଭେଟହୁଏ ହାଇଦ୍ରାବାଦରେ ପିଜି କଲାବେଳେ। ବାଦଲର ନମ୍ର ଆଚରଣ, ମାର୍ଜିତ ବ୍ୟବହାର ଓ ଆକର୍ଷଣୀୟ ବ୍ୟକ୍ତିତ୍ୱରେ ପ୍ରଭାବିତ ହୁଏ ଅନନ୍ୟା। ଅନନ୍ୟାର ଯୋଗୀମନଜିଣା ଚେହେରା ଓ କଥାବାର୍ତ୍ତା ଭଲଲାଗେ ବାଦଲ୍କୁ। ପୁଣି ଗୋଟିଏ ଅଞ୍ଚଳର ଲୋକ ଭାବେ ସେମାନଙ୍କ ଭିତରେ ବନ୍ଧୁତା ନିବିଡ଼ ହେବା ବି ସ୍ୱାଭାବିକ। ଦୁହେଁ ପ୍ରେମରେ ପଡ଼ିଯାଆନ୍ତି।

ପିଜି ସରିବା ପରେ ଦୁହେଁ ଭୁବନେଶ୍ୱର ଯାଇ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି। ଆଇଏଏସ୍ ପ୍ରିଲିମ୍ ବି ବାଜିଯାଏ ଦୁହିଁଙ୍କର। ଏପଟେ ଅନନ୍ୟା ଘରକୁ ବାହାଘର ପ୍ରସ୍ତାବମାନ ଆସିବାକୁ ଲାଗେ। ସେ ବାଦଲ୍କୁ କହେ ତାଙ୍କଘରେ ଏ ବିଷୟରେ କଥାବାର୍ତ୍ତା କରିବାକୁ। କିଛିଦିନ ଅଟକିବାକୁ କହେ ବାଦଲ୍। କାରଣ ସବୁଠୁ ବଡ଼ ସମସ୍ୟା ଥିଲା ଜାତିଗତ ପ୍ରଭେଦ। ତା’ ବାପା ନିମ୍ନଜାତିର ଜଣେ ଝିଅକୁ ବୋହୂ କରିବାକୁ ରାଜି ହେବେନି ବୋଲି ସେ ଜାଣେ। ତେବେ ଦୁହିଁଙ୍କ ଭିତରୁ ଯିଏହେଲେ ଜଣେ ଆଇଏଏସ୍ ହେଲେ ଏହି ବାହାଘରରେ କିଛି ଅସୁବିଧା ରହିବନି। ପୁଅ ଆଇଏଏସ୍ ହେଇଗଲେ ସେଇ ଖୁସିରେ ସେ ହଁ ଭରିପାରନ୍ତି, କି ଆଇଏଏସ୍ ବୋହୂଟିଏ ପାଇଲେ ଜାତିକଥା ଭୁଲିଯାଇ ପାରନ୍ତି।

ଆଇଏଏସ୍ ମେନ୍ ପରୀକ୍ଷାର ରେଜଲ୍ଟ ବାହାରିଲା। ବାଦଲ୍ ପାସ୍, ଅନନ୍ୟା ଫେଲ୍। ସେଦିନ ସାହସ ଜୁଟାଇ ବାଦଲ୍ ବାପାଙ୍କ ସାମ୍ନାକୁ ଗଲା ଆଉ ଅନନ୍ୟାକୁ ବାହା ହେବା କଥା ପକେଇଲା। ବାପା ସର୍ତ୍ତ ରଖିଲେ ଯେ ବାଦଲ୍ ଚାକିରି ନ କରି ରାଜନୀତି କଲେ ସେ ଏହି ପ୍ରସ୍ତାବରେ ରାଜି।

ବାଦଳ୍ ପାଇଁ ଏହା ଥିଲା ଅଗ୍ନିପରୀକ୍ଷା। ସେ ତ ରାଜନୀତି କରିବାକୁ ହଁ ବି ଭରିଦେବ, ହେଲେ ଅନନ୍ୟାକୁ କିପରି ବୁଝାଇବ ଜାଣି ପାରୁନଥିଲା। କାରଣ ରାଜନୀତିକୁ ସେ ତା’ଠାରୁ ବି ବେଶୀ ଘୃଣାକରେ। ଶେଷରେ ପ୍ରେମ ପାଇଁ ଅନନ୍ୟା ଏହି ସର୍ତ୍ତରେ ରାଜି ହେଇଗଲା।

ବାଦଲ୍ କଲିଂ…

– ହେଲୋ! ଜଲ୍ଦି ଆସ, କେତେବେଳ ଆଉ ଜଗେଇବ?

– ଯାଉଛି ଡାର୍ଲିଂ, ଟିକେ ଲେଟ୍ ହବ। ପାର୍ଟି ଅଫିସ୍ରୁ ଘରଯାଏଁ ଗୋଟେ ପ୍ରସେସନ୍ ହବ ତ। ଟଙ୍କା କିଛି ଦରକାର। ତମ ପାଖରେ କ୍ୟାସ୍ କେତେ ଅଛି ଦେଇଦିଅ ଆଉ ଅଫିସ୍ ଲକର୍ରୁ ମୋ’ ଏଟିଏମ୍ କାର୍ଡ୍ ଦେଇ ରାଜୁକୁ ପଠାଆ

– ଓକେ।

ଅଫିସ୍…ମାନେ ବାଦଲ୍ର ବ୍ୟକ୍ତିଗତ ଅଫିସ୍ ଗ୍ରାଉଣ୍ଡ୍ଫ୍ଲୋର୍ରେ ଅଛି। ବାହାଘର ପରେପରେ ଥରେ ବାଦଲ୍କୁ ଖାଇବା ପାଇଁ ଡାକିବାକୁ ଯାଇଥିଲା ଅନନ୍ୟା। ତେବେ ସେଠି ଯେଉଁ ପରିସ୍ଥିତିର ଶିକାର ହେଲା, ତାହା ମନେପଡ଼ିଲେ ଏବେ ଦେହସୁହା ହେଇସାରିଥିବା ରାଜନୀତି ପ୍ରତି ପୁଣି ଘୃଣାଭାବ ଆସିଯାଏ।

ସେଦିନ ବାଦଲ୍ ବାହାରକୁ ଯାଇଥିଲା ଆଉ ଅଫିସ୍ରେ ଗୁଣ୍ଡା ଭଳି ଦିଶୁଥିବା ପାଞ୍ଚ ଛଅ ଜଣ ବସି ମଦ ପିଉଥିଲେ। ସେମାନେ ଅନନ୍ୟାକୁ ଦେଖି ଚମକିପଡ଼ିଲେ। ତାକୁ ସେମାନେ ଯେପରିଭାବେ ଦେଖିନେଲେ, ତାହା କେଜାଣି କାହିଁକି ଭଲ ଲାଗିଲାନି। ସେ ବିଷୟରେ କହିବାରୁ ବାଦଲ୍ ଯୁକ୍ତି ବାଢ଼ିଥିଲା, “ରାଜନୀତିରେ ଏସବୁ ମଜ୍ବୁରି। ଗୁଣ୍ଡା, ମାଫିଆ, ଚୋର, ଖଣ୍ଟ ସମସ୍ତଙ୍କୁ ନେଇ ଚଳିବାକୁ ହୁଏ।”

ସେହିଦିନରୁ ସେ ଆଉ କେବେ ସେଠିକି ଯାଇନି। ଆଜି ଦ୍ୱିତୀୟ ଥର ପାଇଁ ଯାଉଛି, ଅବଶ୍ୟ ଅଫିସ୍ ବନ୍ଦ ଅଛି ବୋଲି।

ଲକର୍ ଖୋଲି ଏଟିଏମ୍ କାଢ଼ିଲା ବେଳକୁ ସେଠି ଗୋଟେ ଭିଡିଓ ସିଡି ଥିଲା। ସେଠି ଲେଖାହେଇଥିଲା ‘ଡଲି’, ଯାହାକି ଅନନ୍ୟା ମନରେ କୌତୁହଳ ସୃଷ୍ଟିକଲା। ଏଟିଏମ୍ କାଡର୍୍ ଓ ସିଡି ଧରି ଫେରିଆସିଲା। ରାଜୁ ହାତରେ ଏଟିଏମ୍ କାର୍ଡ୍ ଓ ଟଙ୍କା ଦେଇ ସିଡିଟିକୁ ଲାପ୍ଟପ୍ରେ ଚଲେଇଲା।

ଆରେ! ୟେ କ’ଣ!! ଏଇଟା ତ ଗୋଟେ ବ୍ଲୁ ସିଡି। ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ରାମେଶ୍ୱର ଆଡ଼ଜୁଆଡ଼ଙ୍କ ଝିଅ ତଥା ତା’ କ୍ଲାସ୍ମେଟ୍ ଡଲିର ବ୍ଲୁ ଭିଡିଓ। ତେବେ ତା’ ସହ ସେକ୍ସ କରୁଥିବା ପୁରୁଷର ମୁହଁ ତ ଦିଶୁନି। କାଳେ ଚିହ୍ନାପଡ଼ିଯିବ ବୋଲି ପଜ୍ ମାରିମାରି ଦେଖିଲା ବେଳକୁ ଅବାକ୍ ହେଇଗଲା ଅପରାଜିତା। ପୁରୁଷର ପିଠିରେ ପାଖାପାଖି ହେଇ ଦୁଇଟି କଳାଜାଇ। ଇଏ ତ ବାଦଲ୍!!!

ଗୁମ୍ହେଇ ବସିଗଲା ଅନନ୍ୟା, ତା’ ମୁଣ୍ଡ ଆଉ କାମ କଲାନି। ସିଡିକୁ କାଢ଼ି ଲାପ୍ଟପ୍କୁ କଚାଡ଼ି ଭାଙ୍ଗିଦେଲା। ଉଠି ଫିଙ୍ଗିଦେଲା ପୂଜାଥାଳିକୁ ବାଦଲର ଫଟୋ ଉପରେ। ଘରର ଜିନିଷପତ୍ର ଉପରେ ରାଗ ସୁଝାଇବାକୁ ଲାଗିଲା। ପାଖରେ କେହି ନଥିଲେ ତା’ କଥା ବୁଝିବାକୁ। ସମସ୍ତେ ଉତ୍ସବରେ ମସ୍ଗୁଲ୍।

ବାଦଲ୍ ଦୁଆରମୁହଁକୁ ଆସୁଆସୁ ସେ ସିଡିଟିକୁ ତା’ ମୁହଁକୁ ଫିଙ୍ଗିଦେଲା ଅନନ୍ୟା। ଖୁବ୍ କଷ୍ଟରେ ତାକୁ ଆୟତ୍ତ କରି ବାଦଲ୍ କହିବା ଆରମ୍ଭ କଲା-

“ଦେଖିଦେଲଣି ଯେତେବେଳେ ସେ ସିଡି ବିଷୟରେ ଶୁଣ। ବାପା ଚାରିଥର ବିଧାୟକ ହେଇ ଦୁଇଥର ମନ୍ତ୍ରୀ ହେଇଥିଲେ ବି ସାଂସଦ ହେଇନପାରିବାର ଅବସୋସ ଥିଲା। ତେଣୁ ସେ ମୋତେ ରାଜନୀତିକୁ ଆଣି ସାଂସଦ କରିବାକୁ ଚାହୁଁଥିଲେ। ନୂଆକରି ରାଜନୀତିକୁ ପଶିଥିବା ବେଳେ ମୋ’ ପାଇଁ ସବୁଠୁ ବଡ଼ ଚାଲେଞ୍ଜ୍ ଥିଲା ଆଡ଼ଜୁଆଡ଼କୁ ହରାଇବା। ଲଗାତାର ତିନିଥର ଜିତିବା ପରେ ତାକୁ ଟକ୍କର୍ ଦେବା କାହାପକ୍ଷରେ ବି ସମ୍ଭବ ନଥିଲା। ମୁଁ ଜିତିବାର ଏକମାତ୍ର ଉପାୟ ଥିଲା ତାକୁ ପ୍ରତିଦ୍ୱନ୍ଦ୍ୱିତାରୁ ବାହାର କରିବା। ସେଥିପାଇଁ ମୁଁ ଗୋଟେ ଗେମ୍ ଖେଳିଲି।

ଯୌବନରେ ଜଳୁଥିବା ତା’ ଝିଅ ଡଲିକୁ ଟାର୍ଗେଟ୍ କଲି। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ହେଣ୍ଡ୍ସମ୍ ହୀରୋମାର୍କା ଟୋକାମାନଙ୍କୁ ତା’ ପଛେ ଲଗେଇଲି ପ୍ରେମ ଜାଲରେ ଫସେଇବାକୁ। ହେଲେ ସବୁ ଫେଲ୍। ଶେଷରେ ମତେ ହିଁ ମଇଦାନ୍କୁ ଓହ୍ଲେଇବାକୁ ପଡ଼ିଲା। କଲେଜ୍ରେ ସେ ମୋ’ ପଛରେ ପଡ଼ିଥିଲା। ତମ ସହ ମୋ’ର ସଂପର୍କ ଜାଣିବା ପରେ ବି ସେ ପିଛା ଛାଡ଼ିନଥିଲା। ଶେଷରେ ଆମ ବାହାଘର ପରେ ସେ ସାରାଜୀବନ କୁଆଁରୀ ରହିବାର ନିଷ୍ପତ୍ତି ନେଇ ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିଲା।

ତେଣୁ ତାକୁ ଜାଲରେ ପକେଇବାକୁ ବେଶୀ କଷ୍ଟ କରିବାକୁ ପଡ଼ିନଥିଲା। ପ୍ରଥମେପ୍ରଥମେ ସେ ମୋତେ ବିବାହିତ କହି ଏଭଏଡ଼୍ କଲା। ତେଣୁ ମତେ ତମ ବିରୋଧରେ ବି ଅନେକ କଥା କହିବାକୁ ପଡ଼ିଛି। ଦିନେ ଆମର ଛାଡ଼ପତ୍ର ପାଇଁ କୋର୍ଟ୍ରେ ଆବେଦନ କରିଥିବାର ଜାଲ୍ କାଗଜାତ ତିଆରି କରି ତାକୁ ଦେଖେଇଲି। ତା’ପରେ ସେ ମତେ ବିଶ୍ୱାସ କରି ପୁଣି ଭଲପାଇବାକୁ ଲାଗିଲା।

ସଂପର୍କ ନିବିଡ଼ ହେବାପରେ ମୁଁ ମୋର ମୂଳ ଉଦ୍ଦେଶ୍ୟ ପ୍ରତି ଧ୍ୟାନ ଦେଲି। ଦିନେ ତାକୁ ସେକ୍ସ ପାଇଁ କହିଲି। ସେ କିନ୍ତୁ ରାଜି ହେଲାନି। ଡିଭର୍ସ୍ ହେଲାପରେ ହିଁ ସେକ୍ସ କରିବା ବୋଲି କହିଲା। ଡିଭର୍ସ୍ର ଜାଲ୍ କାଗଜାତ ପ୍ରସ୍ତୁତ କରି ତାକୁ ଦେଖେଇବା ପରେ ସେ ଖୁସିରେ କୁରୁଳି ଉଠିଲା ଆଉ ନିଜଆଡ଼ୁ ହିଁ ସେକ୍ସ ପାଇଁ କହିଲା। ତା’ସହ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟସବୁ ଗୁପ୍ତ କ୍ୟାମେରାରେ ରେକର୍ଡିଂ କରିଚାଲିଲି। ସେ ବିଚାରୀ କିନ୍ତୁ ଏଯାଏଁ ବି ଏ ସଂପର୍କରେ କିଛି ଜାଣିନି।

ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖର ପୂର୍ବ ସନ୍ଧ୍ୟାରେ ଆଡ଼ଜୁଆଡ଼ ଘରକୁ ଯାଇ ବୁଢ଼ାକୁ ଏଇ ଭିଡିଓ ଦେଖେଇଲି। ପଚାରିଲି ଇଜ୍ଜତ୍ ବଡ଼ କି ରାଜନୀତି? ତା’ ପରଦିନ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା। ମୁଁ ଜିତିବାର ପଥ ପରିଷ୍କାର ହେଇଗଲା।”

ଝଡ଼ ପୂର୍ବର ନିରବତା ଭଳି ସମଗ୍ର ପରିବେଶ ଶାନ୍ତ। ଆଉକିଛି ପଚାରି ସଫେଇ ଶୁଣିବାକୁ ଚାହୁଁନଥିଲା ଅନନ୍ୟା।

ପରଦିନ ସକାଳର ବ୍ରେକିଂ ନ୍ୟୁଜ୍: ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ନବନିର୍ବାଚିତ ସାଂସଦ ଗୁରୁତର।

ଏହି ଖବର ଶୁଣି ଟିକେ ଅନ୍ୟମନସ୍କ ହେଲା ଅନନ୍ୟା। ତା’ ମୁହଁରେ ଖେଳିଗଲା ଧାରେ ସରୁ ହସ।

ବୁଢ଼ୀପଦର, ସରିଆଁ

ରୁପ୍ରାରୋଡ଼, କଳାହାଣ୍ଡି

ଓଡ଼ିଶା-୭୬୬୧୦୧

Leave a Reply

Your email address will not be published. Required fields are marked *