ଓଡ଼ିଶା

ଗର୍ଭଗୃହ ଯାଂଚ ୧୬ରେ

ପୁରୀ:୧୦/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜୀଉମାନେ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ।ଏହା ସମୟରେ ଶ୍ରୀମନ୍ଦିର ଜଗମୋହନ ଶୀତଳୀକରଣ କାର୍ଯ୍ୟ ଶେଷ କରିବାକୁ ଏଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ବୁଧବାର ବୈଠକ ହୋଇଥିଲା।ଆସନ୍ତା ୧୬ତାରିଖ ପୂର୍ବାହ୍ନ ୧୦ଟାରେ ବିଶେଷଜ୍ଞମାନେ ଶ୍ରୀମନ୍ଦିରକୁ ଯାଇ ଗଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା, ଜଗମୋହନ, ନାଟମଣ୍ଡପ ଭୋଗମଣ୍ଡପର ଅବସ୍ଥା କିଭଳି ରହିଛି ତାହାକୁ ଯାଂଚ କରିବାକୁ ସ୍ଥିର ହୋଇଛି। ଯାଂଚକାରୀ ଦଳରେ କୋର କମିଟି ସଦସ୍ୟ ବୈଷୟିକ ବିଶେଷଜ୍ଞ, ଏଏସଆଇ ଓ ମନ୍ଦିର ପଦାଧିକାରୀ ସମେତ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। କମିଟିର ଅଧ୍ୟକ୍ଷ ତଥା ଖଡ଼ଗପୁରସ୍ଥିତ ଆଇଆଇଟିର ପୂର୍ବତନ ପ୍ରଫେସର ଏ.ପି.ଗୁପ୍ତାଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଯାଂଚ କରିବେ। ବିଶେଷଜ୍ଞମାନେ ଗର୍ଭଗୃହରେ ଆର୍ଦ୍ରତାର ପରିମାଣ କେତେ ରହିଚି ତାହା ଅନୁଧ୍ୟାନ କରିବା ସହିତ ଉପର ଭାଗରେ ଲଗାଯାଇଥିବା ଏଡ଼୍ଜଷ୍ଟିଂ ଫ୍ୟାନଗୁଡ଼ିକ କିଭଳି ଅବସ୍ଥାରେ ରହିଛି ତାହା ତନଖି କରିବେ। ବାମ୍ପ ପ୍ରଭାବରେ ଗର୍ଭଗୃହ ଚତୁଃପାଶ୍ୱର କାନ୍ଥ କ୍ଷତିଗ୍ରସ୍ତ ହେଉଥିବାରୁ ପୂର୍ବରୁ ତା’ଉପରେ ରାସାୟନିକ ପ୍ରଲେପ ଦିଆଯାଇ ଥିଲା। ସେଗୁଡ଼ିକର ଅବସ୍ଥା ଏବେ କିଭଳି ରହିଛି ବିଶେଷଜ୍ଞମାନେ ଟିକିନିଖି ଅନୁଧ୍ୟାନ କରିବେ। ତିନି ଠାକୁର ରତ୍ନ ସିଂହାସନ ଛାଡ଼ି ଘୋଷଯାତ୍ରାରେ ଯାଇଥିବା ସମୟରେ ଶ୍ରୀମନ୍ଦିରର ଗଭଗୃହ ଭିତରେ ପରୀକ୍ଷା ନିରୀକ୍ଷା ସହିତ କେତେକ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ। ବିଗତ ରଥଯାତ୍ରା ସମୟରେ ଗର୍ଭଗୃହରେ ନିର୍ମାଣ କରାଯାଇଥିବା ଫ୍ରେମ୍ ର ଅବସ୍ଥା କିଭଳି ରହିଛି ତାହାକୁ ମଧ୍ୟ ବିଶେଷଜ୍ଞମାନେ ପରୀକ୍ଷା କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଅର୍ପଣ ସମୟରେ ମହାପ୍ରସାଦରୁ ବାହାରୁଥିବା ଗରମ ବାମ୍ପ ଦ୍ୱାରା ଗର୍ଭଗୃହରେ ଜଳୀୟବାଷ୍ପ ଜମା ହୋଇରହୁଛି। ଏଥିଯୋଗୁଁ ଗଭଗୃହର କାନ୍ଥ ସହିତ ଶ୍ରୀଅଙ୍ଗରେ ଯଥେଷ୍ଟ କ୍ଷତି ହେଉଥିବାରୁ ଗର୍ଭଗୃହକୁ ଶୀତଳୀକରଣ ଲାଗି ନିଷ୍ପତି ନିଆଯାଇଥିଲା। ୨୦୧୫ରେ ମେକନ୍ ନାମକ ଏକ ସଂସ୍ଥା ଏହି କାର୍ଯ୍ୟ କରିଥିଲା। ଏହା ଫଳରେ ପୋଖରିଆ ସମେତ ଜଗମୋହନ ମଧ୍ୟ ଶୀତଳୀକରଣ ହୋଇପାରୁଥିଲା। ମାତ୍ର ଜଗମୋହନରେ ମରାମତି କାର୍ଯ୍ୟ ହେବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଉକ୍ତ ଶୀତଳୀକରଣ ଯନ୍ତ୍ରକୁ ଖୋଲି ବାହାର କରିଦିଆ ଯାଇଥିଲା। ଏହାକୁ ଏବେ ପୂନଃ ଲଗାଯିବାକୁ ନିଷ୍ପତି ନିଆଯାଇଛି। ବାୟୁ ଚଳପ୍ରଚଳ ଲାଗି ଦ୍ୱିତୀୟ ମହଲାରେ ଥିବା ଜଳାକୁ ଅଧିକ ବଡ଼ଆକାର କରିବାକୁ କେନ୍ଦ୍ରୀୟ ଖଣି ଓ ଇନ୍ଧନ ପ୍ରତିଷ୍ଠାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଥିଲା।ଆସନ୍ତା ୨୩ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଥିଲେ। ସେହି ପରି ନାଟମଣ୍ଡପର କାନ୍ଥ ଓ ଛାତର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବା ସହିତ ସେଠାରେ କେତକ ପଥର ବିମ୍ ନିଦ୍ଧାରିତ ସ୍ଥାନକୁ ଖସିଯାଇଥିବାରୁ ଏହା ବିପଦ ସଙ୍କୁଳ ଅବସ୍ତା ସୃଷ୍ଟି କରିଛି। ଏଣୁ ଶ୍ରୀଜୀଉମାନଙ୍କର ଅନୁପସ୍ଥିତି ସମୟରେ ନାଟମଣ୍ଡପରୁ ଚୁନ ପ୍ଲାଷ୍ଟର ଛଡ଼ା ଯିବାକୁ ସ୍ଥିର ହୋଇଥିଲା।ତେବେ ଯାତ୍ରୀ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଏସମସ୍ତ ସଂରକ୍ଷଣ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top