ଗରିବ ଲୋକଙ୍କ ପାଇଁ ରାଜ୍ୟର ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

– ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ
ଭୁବନେଶ୍ୱର ୨୮.୦୭ (ଓଡ଼ିଆ ପୁଅ) ଗରିବ ଲୋକଙ୍କ ପାଇଁ ରାଜ୍ୟର ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସେ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇଆସିଛନ୍ତି ଏବଂ ସେ କହିଛନ୍ତି “୨୦୦୮ରୁ ଆମେ ଆପଣଙ୍କ ଟଙ୍କାରେ ଗରିବ ଲୋକଙ୍କୁ କେଜି ୨ ଟଙ୍କାରେ ଚାଉଳ ଯୋଗାଇ ଦେଇ ଆସୁଥିଲୁ। ଏହି ଯୋଜନାର ସଫଳକୁ ଅନୁଭବ କରି ୨୦୧୩ରେ କେଜି ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଥିଲା ସାରା ଦେଶରେ ସେତେବେଳେ ବହୁତ ବଡ ପଦକ୍ଷେପ।

୨୦୧୪ରେ ମୁଁ ଆପଣଙ୍କୁ promise କରିଥିଲି ଯେ ଆମେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ। ଆପଣମାନେ ଜାଣନ୍ତି, କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ଆମର ବହୁ ଗରିବ ଲୋକ ଏଥିରେ ସାମିଲ ହୋଇପାରି ନାହାନ୍ତି। ୨୦୧୧ population ଭିତ୍ତିରେ କେନ୍ଦ୍ର ସରକାର ରାସନ ଯୋଗାଉଛନ୍ତି। ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ଏହି ସୁବିଧା ପାଇପାରୁ ନାହାନ୍ତି। ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ମୁଁ ବହୁବାର ଚିଠି ଲେଖିଛି। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଏ ପର୍ଯ୍ୟନ୍ତ କିଛି ବିଚାର କରି ନାହାନ୍ତି।

ତେଣୁ ଆପଣଙ୍କ ସରକାର, ଆପଣଙ୍କ ଓଡିଶା ସରକାର ଆପଣଙ୍କ ଟଙ୍କାରେ ଆପଣମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି। ଆଗାମୀ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ସାରା ରାଜ୍ୟର ସବୁ ଗରିବ ଲୋକ ଖାଦ୍ୟ ସୁରକ୍ଷା ସୁବିଧା ପାଇପାରିବେ। ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ।

ମୁଁ ସବୁବେଳେ କହି ଆସିଛି, ଆମେ କାମରେ ବିଶ୍ଵାସ କରୁ। ଲୋକଙ୍କ କଲ୍ୟାଣରେ ବିଶ୍ବାସ କରୁ। ୨୦୧୪ରେ ଆମେ ଦେଇଥିବା promise ଆଜି ପୂରଣ କରିପାରିଛୁ। ମୁଁ ବହୁତ ଖୁସି ଯେ ଆପଣଙ୍କୁ ଦେଇଥିବା କଥା ଆଜି ମୁଁ ରଖିପାରିଛି। ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଫଳ ହେବ।”

Leave a Reply

Your email address will not be published. Required fields are marked *