‘ଗଣିତ ଶାସ୍ତ୍ରର ଜନକ ରାମାନୁଜନ୍ ଭାରତ ପାଇଁ ଥିଲେ ଗର୍ବ’ : ଡକ୍ଟର ନନ୍ଦ

– ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ସମାରୋହ ଅନୁଷ୍ଠିତ

ଖୋର୍ଦ୍ଧା ୨୩-୧୨ (ଓଡ଼ିଆ ପୁଅ): ଗଣିତ ହେଉଛି ଏକ ସ୍ୱତନ୍ତ୍ର ଅବାନ୍ତର ବିଜ୍ଞାନ (ଆବ୍ଷ୍ଟ୍ରାକ୍ଟ ସାଇନ୍ସ) ଯାହା ବିନା କୌଣସି ଜ୍ଞାନକୁ କଳନା କରାଯାଇନପାରେ। ବିଜ୍ଞାନକୁ ଆମେ ବୁଝିପାରିବା ଯେତେବେଳେ ଏହା ସହିତ ଗଣିତ ଯୋଡି ହୋଇଥିବ। ବସ୍ତୁ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ମନ ବିଜ୍ଞାନ, ସାମାଜିକ ବିଜ୍ଞାନ, ରାଜନୀତି ବିଜ୍ଞାନ, ଭାଷା ବିଜ୍ଞାନ ଇତ୍ୟାଦି ସମସ୍ତ ବିଜ୍ଞାନକୁ କେବଳ ଗଣିତର ସହଯୋଗରେ ହିଁ ପ୍ରକାଶ କରିହୁଏ। ଆମ ଦେଶ ଦେବଭୂମି ଭାରତ ବର୍ଷରେ ଅର୍ଯ୍ୟଭଟ୍ଟ ଶୂନର ଆବିଷ୍କାର କରି ସାରା ବିଶ୍ୱକୁ ଚମକାଇ ଦେଇଥିଲେ। ସେହିଭଳି ଇନଫାଇନାଇଟ୍ର କଳନା କରିଥିଲେ ତାମିଲ୍ନାଡୁର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ୍ ରାମାନୁଜନ୍। ସମସ୍ତ ପ୍ରକାର ସମୀକରଣକୁ ଗ୍ରାଫ୍ ମାଧ୍ୟମରେ ପରିପ୍ରକାଶ କରିବା ସହିତ ସେହି ଗଣିତ ଶାସ୍ତ୍ରର ଜନକ ରାମାନୁଜନ ତାଙ୍କର ମାତ୍ର ୩୩ ବର୍ଷର ଜୀବନ କାଳ ମଧ୍ୟରେ ତ୍ରିକୋଣମିତିକୁ ବିଶ୍ୱ ଦରବାରରେ ପରିଚୟ କରାଇ ଆମ ଦେଶ ପାଇଁ ଆଣିଥିଲେ ଗର୍ବ ଓ ଗୌରବ। ଯଦୁପୁର ସୟଦ୍ ମମତାଜ୍ ଅଲ୍ଲି ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶ୍ରୀନିବାସ ରାମାନୁଜନ୍ଙ୍କ ୧୩୦ତମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ସମାରୋହ ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଡକ୍ଟର ଧୀରେନ୍ଦ୍ର ନନ୍ଦ ଏହା କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରକ୍ତନ ଗଣିତ ପ୍ରଫେସର ଚନ୍ଦ୍ର ଶେଖର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଜାତୀୟ ଗଣିତ ଦିବସର ମହତ୍ୱ ପ୍ରତିପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକ ଗଣିତ ପ୍ରଦର୍ଶନୀ ସହିତ ରାମାନୁଜନଙ୍କ ଜୀବନୀକୁ ନେଇ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାର ଭିନ୍ନ ଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଣିତ ସମ୍ପର୍କରେ ହୋଇଯାଇଥିବା ରଚନା, ତର୍କ ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ବିଧ୍ୟାଳୟର ଶୃଙ୍ଖଳା, ସ୍ୱଚ୍ଛତା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶତପଥି ବିଧ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଶ୍ ଚନ୍ଦ୍ର ମହାପାତ୍ରଙ୍କୁ ଏକ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ବିଜ୍ଞାନ ବିଭାଗ ପର୍ଯ୍ୟବେକ୍ଷକ ସରୋଜ ସିଂହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଜିଲ୍ଲା ଗୁଣାତ୍ମକ ପର୍ଯ୍ୟବେକ୍ଷକ ଅଦୟିତ ବଳିୟାରସିଂହ ଶେଷରେ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଭିନ୍ନ ଉଚ୍ଚବିଦ୍ୟାଳୟର ଗଣିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମେତ ଯଦୁପୁରୁ ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *