ଓଡ଼ିଶା

ଗଣମାଧ୍ୟମର ଏକଚାଟିଆ କାରବାର ନିୟନ୍ତ୍ରଣ ସୁନିଶ୍ଚିତ କରିବା ଲାଗି ନିୟମ ପ୍ରଣୟନ କରିବାର ସମୟ ଆସିଛି : ସ୍ମୃତି ଜୁବିନ୍ ଇରାନୀ

– ନୂଆଦିଲ୍ଲୀରେ ପଂଚଦଶ ଏସୀୟ ଗଣମାଧ୍ୟମ ଶିଖର ସମ୍ମିଳନୀକୁ ଉଦଘାଟନ କଲେ ଶ୍ରୀମତି ସ୍ମୃତି ଜୁବିନ୍ ଇରାନୀ

ନୂଆ ଦିଲ୍ଲୀ ୧୦ ମଇ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ମୃତି ଜୁବିନ ଇରାନୀ କହିଛନ୍ତି ଯେ ଗଣମାଧ୍ୟମ ଜଗତରେ କୌଣସି ଗୋଟିଏ ସଂସ୍ଥାର ଆଧିପତ୍ୟକୁ ହ୍ରାସ କରିବା ଏବଂ ସନ୍ତୁଳନ ବଜାୟ ରଖିବା ଲାଗି ଆଇନ, ନୀତି ଏବଂ ନିୟମ ପ୍ରଣୟନ କରିବାର ସମୟ ଆସିଛି। ଆଜି ଏଠାରେ ପଂଚଦଶ ଏସୀୟ ଗଣମାଧ୍ୟମ ଶିଖର ସମ୍ମିଳନୀ (ଏଏମଏସ) ୨୦୧୮କୁ ଉଦ୍ଘାଟନ କରିବା ଅବସରରେ ସେ କହିଥିଲେ ଯେ ୨୦୨୧ ସୁଦ୍ଧା ଭାରତରେ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୯୬୯ ନିୟୁତରେ ପହଁଚିବ ଏବଂ ଭାରତୀୟ ଗଣମାଧ୍ୟମ ଜଗତ ଡିଜିଟାଲ ବିଶ୍ୱକୁ ଏକ ଆହ୍ୱାନ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖୁଛି। କିଭଳି ଭାବେ ଆର୍ଥିକ ସ୍ୱାର୍ଥ କବଳରୁ ଉତମ ବିଷୟବସ୍ତୁକୁ ମୁକ୍ତ କରୁଥିବା ପ୍ରତିଭାଙ୍କୁ ଆକୃଷ୍ଟ କରିବା, ଧରି ରଖିବା ଏବଂ ବିକଶିତ କରିବା ସହ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସନ୍ତୁଳନ ବଜାୟ ରଖାଯାଇପାରିବ ସେଥିପ୍ରତି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ପଂଚଦଶ ଏସୀୟ ଗଣମାଧ୍ୟମ ଶିଖର ସମ୍ମିଳନୀ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ (ଆଇଆଇଏମସି), ନୂଆଦିଲ୍ଲୀ ଏବଂ ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଂଟ ଇଣ୍ଡିଆ ଲିଃ. (ବିଇସିଆଇଏଲ)ର ମିଳିତ ଆନୁକୂଲ୍ୟରେ ୧୦ରୁ ୧୨ ମେ ୨୦୧୮ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଆୟୋଜନ କରାଯାଇଛି। “ଆମ କହୁଛୁ ଆମ ଖବର-ଏସିଆ ଏବଂ ଅଧିକ” ବିଷୟବସ୍ତୁକୁ ନେଇ ଏଏମଏସ ୨୦୧୮ ଏହି ଅଂଚଳରେ ଗଣମାଧ୍ୟମ କ୍ଷେତ୍ରରେ ଆଲୋଚନା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବ।

ଭାରତୀୟ ଗଣମାଧ୍ୟମ ଶିଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀମତି ସ୍ମୃତି ଜୁବିନ ଇରାନୀ କହିଥିଲେ ଯେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବିଜ୍ଞାପନ ବଜାର ଏବଂ ଏହାର ମୂଲ୍ୟ ୨୦୧୮ ସୁଦ୍ଧା ୧୦.୫୯ ବିଲିୟନ ଆମେରିକୀୟ ଡଲାରରେ ପହଁଚିବ ବୋଲି ଆଶା କରାଯାଉଛି। ସେହିପରି ୨୦୧୮ରେ ମୋବାଇଲ ବ୍ୟୟ ୧.୫୫ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଆମ ପାଖରେ ଏକ ଉଜ୍ଜ୍ୱଳ ଗଣମାଧ୍ୟମ ଜଗତ ରହିଛି ଯାହାର ସିଧାସଳଖ ୧.୩୫ ଲକ୍ଷ କୋଟି ଟଙ୍କାର ପ୍ରଭାବ ଏବଂ ୪.୫ ଲକ୍ଷ କୋଟି ଟଙ୍କାର ପରୋକ୍ଷ ତଥା ଆନୁମାନିକ ପ୍ରଭାବ ରହିଛି। ଏହାସହିତ ୪ ମିଲିୟନ ଲୋକ ଯୋଡ଼ି ହୋଇ ରହିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ଯେ ଏସୀୟ ଗଣମାଧ୍ୟମ ଶିଖର ସମ୍ମିଳନୀରୁ ନୂଆ ନୂଆ ଉପାୟ ସାମ୍ନାକୁ ଆସିବ ଏବଂ ଏହା ମାନବଜଗତର କଲ୍ୟାଣ ପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ନୂତନ ମାର୍ଗ ପ୍ରଶସ୍ତ କରିବ।

ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ବାଂଲାଦେଶ ସୂଚନା ମନ୍ତ୍ରୀ ମହାମହିମ ମିଃ. ହାସନୁଲ ହକ୍ ଇନୁ କହିଲେ ଯେ ଆଜି ବିଶ୍ୱ ୬ଟି ଜଟିଳ ଆହ୍ୱାନର ମୁକାବିଲା କରୁଛି। ସେଗୁଡ଼ିକ ହେଲା-ଦାରିଦ୍ର୍ୟ, ଲିଙ୍ଗଗତ ବୈଷମ୍ୟ, ଆତଙ୍କବାଦ, ଆଇସିଟି ବିପ୍ଳବ, ଜଳବାୟୁ ପରିବର୍ତ୍ତନ ଏବଂ ଅସମାନ ଜଗତୀକରଣ। ସାଇବର ଅପରାଧ ସମ୍ପର୍କରେ ଉଦବେଗ ପ୍ରକାଶ କରି ସେ ଗଣମାଧ୍ୟମକୁ ସୁରକ୍ଷିତ ଏବଂ ସମ୍ପ୍ରସାରିତ ରଖିବା ଲାଗି ସାଇବର ଅପରାଧୀଙ୍କ ବିରୋଧରେ ଯୁଦ୍ଧର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

କାମ୍ବୋଡ଼ିଆ ସୂଚନା ମନ୍ତ୍ରୀ ମହାମହିମ ଡ. ଖିଉ କାନହାରିଥ କହିଥିଲେ ଯେ ଆମେ କାମ୍ବୋଡିଆରେ ଗଣମାଧ୍ୟମର ସ୍ଥିତିରେ ଉନ୍ନତି ଆଣିବା ଲାଗି ଚାହୁଁଛୁ। ଆମେ ଚତୁର୍ଥ ସ୍ତମ୍ଭ ସହିତ ଦୃଢ଼ ସମ୍ପର୍କ ବଜାୟ ରଖିବା ଲାଗି ଆଗ୍ରହୀ।

ୟୁନେସ୍କୋ କାର୍ଯ୍ୟାଳୟ, ନୂଆଦିଲ୍ଲୀର ନିର୍ଦ୍ଦେଶକ ଶିଗେରୁ ଆୟାଗି ବିଶ୍ୱରେ ଶାନ୍ତି ଏବଂ ସହଭାଗିତା ପ୍ରତିଷ୍ଠା କରିବା ଲାଗି ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ। ୟୁନେସ୍କୋ ସମ୍ବିଧାନରୁ ଉଦ୍ଧୃତ କରି ସେ କହିଥିଲେ ଯେ ମଣିଷର ମନରେ ଯୁଦ୍ଧ ସୃଷ୍ଟି ହେଉଥିବାରୁ ଆମେ ମଣିଷ ମନରେ ହିଁ ଶାନ୍ତିର ନିର୍ମାଣ କରିବା ଉଚିତ। ଗଠନମୂଳକ ଢଙ୍ଗରେ ଏବଂ ଉତରଦାୟୀ ଭାବେ ଖବର ପ୍ରସାରଣ କରିବା ଲାଗି ମିଃ ଆୟାଗୀ ଗଣମାଧ୍ୟମ ଜଗତକୁ ଆହ୍ୱାନ କରିଥିଲେ।

ଇରାନ ଆଇଆରଆଇବି ସଭାପତିଙ୍କ ପରାମର୍ଶଦାତା ଏବଂ ଅନ୍ତର୍ଜାତୀୟ ବ୍ୟାପାର ମହାନିର୍ଦ୍ଦେଶକ ଡ. ଆବ୍ବାସ ନାସେରୀ ତାହିରୀ ଅତୀତ ଏବଂ ବର୍ତମାନ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଲାଗି ଏସୀୟ ସଂସ୍କୃତିରେ ରହିଥିବା ସାମାଜିକ ଖବରକୁ ଅଭିନବ ଢଙ୍ଗରେ ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ମିଳିତ ଜାତିସଂଘ ଉପ ମହାନିର୍ଦ୍ଦେଶକ ଅମୀନା ଜେ ମହମ୍ମଦ ଭିଡିଓ ବାର୍ତ୍ତା ଜରିଆରେ ଡିଜିଟାଲ ତାରତମ୍ୟ ଦୂର କରିବା ଲାଗି ଆହ୍ୱାନ କରିଥିଲେ ଯାହାଦ୍ୱାରା ବିଶ୍ୱ ସମୁଦାୟର ପ୍ରତ୍ୟେକ ଲୋକ ସାର୍ଥକ ଢଙ୍ଗରେ ଅଂଶଗ୍ରହଣ କରିପାରିବେ। ଏକ ନିରନ୍ତର ସମୃଦ୍ଧ ବିଶ୍ୱ ନିର୍ମାଣରେ ଗଣମାଧ୍ୟମର ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

କୋରିଆ ଯୋଗାଯୋଗ ଆୟୋଗର ଆୟୁକ୍ତ ସାମ ସିଓଗ କୋ କହିଥିଲେ ଯେ ଆଜିର ବିଶ୍ୱରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଉତମ ବିଶ୍ୱ ଗଠନରେ ଏହାର ଉପଯୋଗ ହେବା ଉଚିତ୍।

ଟାଇମ୍ସ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୀନିତ ଜୈନ ଉପଭୋକ୍ତାଙ୍କୁ ଲାଭ ପହଁଚାଉଥିବା ଏକ ସ୍ୱଚ୍ଛ ବଜାର ପାଇଁ ନିୟାମକ ସଂସ୍କାର ସମ୍ପର୍କରେ ଆଲୋଚନା କରିଥିଲେ। ତଥ୍ୟ ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରି ସେ କହିଥିଲେ ଯେ ବିଶ୍ୱ ମଂଚରେ ଆଜି ତଥ୍ୟ ଚୋରି ହେଉଛି ଏବଂ ଆମେ ସକ୍ରିୟ ଭାବେ ଆମର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଉଚିତ। ଏଥିସହିତ ତଥ୍ୟ ଭାରତରେ ସୁରକ୍ଷିତ ଭାବେ ରହିବା ସୁନିଶ୍ଚିତ କରିବା ଉଚିତ।

ପତ୍ର ସୂଚନା କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ଶ୍ରୀ ସୀତାଂଶୁ କର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ୨୩ଟି ଭାଷା ଏବଂ ୭୨୦ଟି ଉପଭାଷା ଭାରତରେ କାହାଣୀ କହିବାର ଏକ ସୁଦୀର୍ଘ ପରମ୍ପରା ରହିଛି। ସେ କହିଥିଲେ ଯେ ଉଦୀୟମାନ ପ୍ରଯୁକ୍ତି କାରଣରୁ ଆମର ଚିନ୍ତାଧାରା ଏବଂ ଖବର କହିବାର ଶୈଳୀ କ୍ରାନ୍ତିକାରୀ ପରିବର୍ତ୍ତନର କେନ୍ଦ୍ରରେ ରହିଛି।

ପ୍ରଥମ ଥର ଲାଗି ଏସୀୟ ଗଣମାଧ୍ୟମ ଶିଖର ସମ୍ମିଳନୀ ଭାରତରେ ଆୟୋଜନ କରାଯାଉଛି। ୩୯ଟି ରାଷ୍ଟ୍ର (ସାର୍କ, ଆସିଆନ, ପୂର୍ବ ଏସିଆ, ଆଫ୍ରିକା, ଓସେନିଆ, ୟୁରୋପ, ସିରିୟା, ଉଜବେକିସ୍ତାନ, ଆମେରିକା, ଚୀନ)ରୁ ୨୨୦ ବୈଦେଶିକ ପ୍ରତିନିଧି ଏବଂ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ଭାରତୀୟ ଗଣମାଧ୍ୟମ ଜଗତର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ଲାଗି ସୋସିଆଲ ମିଡିଆ ଲିଙ୍କ ନିମ୍ନରେ ଦିଆଗଲା:

YouTube: https://www.youtube.com/pibindia (for LIVE WEBCAST of Important Sessions)
Facebook: https://www.facebook.com/pibindia
Twitter: https://twitter.com/asiamediasummit

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top