ଗଣମାଧ୍ୟମକୁ ଦୂରରେ ରଖି ପଂଚାୟତିରାଜ ବିଭାଗର ପଂଚତାରକା ହୋଟେଲରେ ସରକାରୀ କାମର ସମୀକ୍ଷା ପ୍ରସଙ୍ଗ ଓଡିଆ ଲୋକଙ୍କ ଟିକସରେ ବିଜେଡି ଇଲେକସନ ପ୍ରଚାର ପାଇଁ ମୁଷ୍ଟିମେୟ ଅମଲାଙ୍କ ଷଡଯନ୍ତ୍ର : ବିଜେପି

– ସାମ୍ବାଧାନିକ ବିଧି ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ହେଉଛନ୍ତି ବିଧାନସଭା ଓ ରାଜ୍ୟ ସାମ୍ନାରେ ଉତର ଦାୟୀ ମାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଜାଣିଶୁଣି ଏହି ବୈଠକରୁ ଦୂରରେ ରଖାଯାଇଛି
– ସମଗ୍ର ରାଜ୍ୟ ଡହଡହ ଖରାରେ ଡହଳବିକଳ, ବେଳେ ଜିଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ୩୧୪ ବ୍ଲକର ବିଡିଓ ମାନଙ୍କୁ ଭୁବନେଶ୍ୱରର ପଂଚତାରକା ହୋଟେଲର ଶୀତତାପ ନିୟନ୍ତ୍ରିତ ଗୃହରେ କଣ ପାଇଁ ସମୀକ୍ଷା କରାଯାଉଛି
– ଅଫିସର ମାନେ ହେଲେ ପବ୍ଲିକ ସରଭ୍ୟାଂଟ। ସେମାନଙ୍କର କୌଣସି କାମ ଓ ନିର୍ଣୟ ଗୁପ୍ତ ରଖାଯାଇ ପାରିବ ନାହିଁ, ଗୁପ୍ତ ବୈଠକ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟଶାସନ ସଚିବ
– ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟର ଯେଉଁ ଅଧିକାରୀ ସରକାର ସମେତ ଶାସକ ବିଜେଡିର କାମ ହାତକୁ ନେଇଛନ୍ତି ତାଙ୍କ ଯୋଜନାରେ ଆଗାମୀ ନିର୍ବାଚନରେ ଶାସକ ଦଳ ପାଇଁ କାମ କରିବା ଲାଗି ଏହି ଗୁପ୍ତ ବୈଠକ ଆୟୋଜନ କରିଛନ୍ତି

ଭୁବନେଶ୍ୱର ଏବଂ କଟକ, ତା.୨୧/୦୬ (ଓଡ଼ିଆ ପୁଅ) : ରାଜ୍ୟ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ଭୁବନେଶ୍ୱର ଠାରେ ପଂଚତାରକା ହୋଟେଲରେ ଆୟୋଜିତ କର୍ମଶାଳାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତାପାର୍ଟି। ବିଭାଗୀୟ କର୍ମଶାଳାରେ ସବୁ ଜିଲାର ପିଡ ଡିଆରଡିଏ ଓ ବିଡିଓ ମାନେ ୨୦-୨୧ ଦୁଇଦିନ ଧରି ବିଭାଗର ବିଭିନ୍ନ କାଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମାତ୍ର ଏହି ସମୀକ୍ଷା କାଯ୍ୟକ୍ରମର ରୁ ଜାଣିଶୁଣି ଗଣମାଧ୍ୟମକୁ ଦୂରରେ ରଖାଯାଇଛି। କିଛି ମୁଷ୍ଟିମେୟ ଅମଲା ଏହି ସମୀକ୍ଷା ବୈଠକ ଆଳରେ ଓଡିଶାର ଗ୍ରାମାଚଂଳରେ ବିଜେଡିର ଇଲେକସନ ପରିଚାଳନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସାମ୍ବାଧାନିକ ବିଧି ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ହେଉଛନ୍ତି ବିଧାନସଭା ଓ ରାଜ୍ୟ ସାମ୍ନାରେ ଉତର ଦାୟୀ। ମୁଖ୍ୟମନ୍ତ୍ରୀ ଏହି ବୈଠକ ନେଇ ଅବଗତ ଅଛନ୍ତି କି ନାହିଁ ଜଣା ନାହିଁ। ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ସମ୍ପୂର୍ଣ ଦୂରରେ ରଖି ଅଫିସରମାନେ ଗୁପ୍ତ ବୈଠକ କରିବାର ବୈଧତାକୁ ନେଇ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି।

ସମଗ୍ର ରାଜ୍ୟ ଯେତେବେଳେ ଡହଡହ ଖରାରେ ଡହଳବିକଳ ହେଉଛି, ଚାଷୀମାନେ ଗଜା ମରୁଡି ନେଇ ଭୟଭୀତ, ପିଇବାପାଣି ମିଳୁନି ସେତେବେଳେ ଜିଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ୩୧୪ ବ୍ଲକର ବିଡିଓ ମାନଙ୍କୁ ଭୁବନେଶ୍ୱରର ପଂଚତାରକା ହୋଟେଲର ଶୀତତାପ ନିୟନ୍ତ୍ରିତ ଗୃହରେ କଣ ପାଇଁ ସଭା କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଶ୍ରୀ ଆଚାଯ୍ୟ କହିଛନ୍ତି ଯଦି ରାଜ୍ୟବାସୀଙ୍କ ବିଷୟରେ ଚିନ୍ତା କରାଯାଉଛି ତାହାହେଲେ ଗଣମାଧ୍ୟମକୁ ଜାଣିଶୁଣି ଦୂରରେ ରଖାଯାଇଛି କାହିଁକି ? ବୈଠକରେ କଣ ହେଲା ଅଧିକୃତ ଭାବେ ଅଫିସର ମାନେ ଗଣମାଧ୍ୟମ ସହିତ ସିଧାକଥା ହେବାକୁ କାହିଁକି ପଛଘୁଂଚା ଦେଲେ ବୋଲି ଶ୍ରୀ ଆଚାର୍ଯ୍ୟ କଟୁ ସମାଲୋଚନା କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଅଫିସରମାନେ ହେଲେ ପବ୍ଲିକ ସରଭ୍ୟାଂଟ। ସେମାନଙ୍କର କୌଣସି କାମ ଓ ନିର୍ଣୟ ଗୁପ୍ତ ରଖାଯାଇ ପାରିବ ନାହିଁ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯେଉଁ ଅଧିକାରୀ ସରକାର ସମେତ ଶାସକ ବିଜେଡିର କାମ ହାତକୁ ନେଇଛନ୍ତି ତାଙ୍କ ଯୋଜନାରେ ଆଗାମୀ ନିର୍ବାଚନରେ ଶାସକ ଦଳ ପାଇଁ କାମ କରିବା ଲାଗି ଏହି ଗୁପ୍ ବୈଠକ ଆୟୋଜନ କରାଯାଇଛି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ସଚିବାଳୟରେ ସମୀକ୍ଷା କରିବା ପାଇଁ ସବୁ ପ୍ରକାର ସୁବିଧା ଥିବାବେଳେ ଏହି ବୈଠକକୁ ଦୃଷ୍ଟିଆଳରେ ରଖିବା ପାଇଁ ଏକ ପଂଚତାରକା ହୋଟେଲରେ ଆୟୋଜନ କରାଯାଇଛି। ଓଡିଆ ଟିକସଦାତାଙ୍କ କର ଖଜଣା ଅର୍ଥକୁ ପଂଚତାରାକା ହୋଟେଲରେ ମିଟିଂରେ ଖର୍ଚ୍ଚ କରି ଓଡିଆ ଲୋକଙ୍କ ବିକାଶ ନୁହେଁ ବରଂ ବିଜେଡିର ରାଜନୈତିକ ଲାଭପାଇଁ ସରକାରୀ କର୍ମଚାରୀ ମାନଙ୍କୁ କାମରେ ଲଗାଇବା ଭାରତୀୟ ସମ୍ବିଧାନ ବିଧି ବ୍ୟବସ୍ଥାର ପରିପନ୍ଥୀ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

କଥା କଥାରେ ଗଣମାଧ୍ୟମରେ ବିବୃତି ଦେଉଥିବା ଶାସକ ବିଜେଡି ଏବଂ ସରକାରୀ ଅମଲାମାନେ ସାଧାରଣ ରାଜ୍ୟବାସୀଙ୍କୁ ଏହି ବୈଠକ ସଂପର୍କରେ କାହିଁକି ଅବଗତ କରାଇଲେ ନାହିଁ ଏବଂ ଲୁଚାଇ ରଖିଲେ ତାହା ସ୍ପଷ୍ଟ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ଉତର ଦେବା ସହ ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଶ୍ରୀ ଆଚାର୍ଯ୍ୟ ଆହ୍ୱାନ ଜଣାଇଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *