ଗଣପର୍ବ ନୂଆଁଖାଇ ପାଳିତ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର,୨୬/୮ (ଓଡ଼ିଆ ପୁଅ/ବ୍ୟମୋକେଶ ପଣ୍ଡା): ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପଶ୍ଚିମଓଡ଼ିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ଆଜି ପାଳିତ ହୋଇଛି। ସକାଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନୂଆଁ ଭୋଗ ନବାନ୍ନ ଲାଗି ହେବା ଉତାରୁ ନୂଆଁଖାଇ ପର୍ବ ପାଳନ ଜୋର ଧରିଥିଲା। ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ପାଟଣଶ୍ୱେରୀ, ସୁରେଶ୍ୱରୀ, ଶିଖରବାସିନୀ, ବିନ୍ଧ୍ୟବାସିନୀ, ନୃସିଂହନାଥ ପ୍ରଭୃତି ପଶ୍ଚିମଓଡ଼ିଶାରୁ ବିଭିନ୍ନ ଜନପଦର ପୀଠମାନଙ୍କରେ ମଧ୍ୟ ନବାନ୍ନ ଅର୍ପଣ କରାଯାଇଛି। ଏଥି ସହିତ ବିଭିନ୍ନ ସହର ଓ ଗାଁର ଦେବ ଦେବୀ ଏବଂ ଘରେ ଘରେ କୁଳ ଦେବ ଦେବୀଙ୍କୁ ନୂଆଁ ଅନ୍ନ ଅର୍ପଣ କରାଯାଇଛି। ବିିଭିନ୍ନ ସ୍ଥାନରେ ସାମୂହିକ ଭାବରେ ଓ ଘରେ ଘରେ ପରିବାର ମିଳିତ ହୋଇ ନୂଆଁ ବସ୍ତ୍ର ପରିଧାନ କରି ନବାନ୍ନ ଗ୍ରହଣ କରିଥିଲେ। ପିଠାପଣା ଓ ସୁସ୍ୱାଦୁ ପାରମ୍ପାରିକ ଖାଦ୍ୟ ପରିବେଷଣ ସାଙ୍ଗକୁ ଦିନ ସାରା ଜୁହାର ଭେଟ୍ ଓ ସନ୍ଧ୍ୟାରେ  ସାଂସ୍କୃତିକ କାଯର୍ୟକ୍ରମ ମଧ୍ୟରେ ଜିଲାର ପୁରପଲ୍ଲୀ ଉତ୍ସବର ରୂପ ଧାରଣ କରିଥିଲା। ଧାଯର୍ୟ ଲଗ୍ନ ଅନୁଯାୟୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ପୂର୍ବାହ୍ନ ୯ଟା ୫ ରୁ ୯ଟା ୧୫ ମଧ୍ୟରେ ଆରା୍ମ ଦେବୀ ମା’ ସମଲେଶ୍ୱରୀ ଏବଂ ଅନ୍ୟ ମନ୍ଦିରମାନଙ୍କରେ ନବାନ୍ନ ଲାଗି ହୋଇଥିଲା। ସମଲାଇ ମନ୍ଦିରରେ ବଡ଼ି ଭୋର୍ରୁ ଗମ୍ଭିରାରେ ନିତ୍ୟ ପୂଜା ଉତାରୁ ପରମ୍ପରାକ୍ରମେ ନବାନ୍ନ ଲାଗି କରାଯାଇଥିଲା। ଘଣ୍ଟ, ଶଂଖ ଧ୍ୱନି ମଧ୍ୟରେ ମା’ଙ୍କ ନିକଟରେ ଚଳିତ ଖରିଫ ଫସଲର ପ୍ରଥମ ଧାନ ଶସ୍ୟରୁ ବାହାରି ଥିବା ନବାନ୍ନ, ଏହାର ଖିରି, ମଣ୍ଡା, କାକରା ଓ ଅନ୍ୟାନ୍ୟ ନୈବଦ୍ୟ ଅର୍ପଣ କରାଯାଇଥିଲା। ଏଥି ସହିତ ମନ୍ଦିରର ପାଶ୍ୱର୍ ଦେବାଦେବୀ ଯଥା ଉଗ୍ରତାରା, ନାରସିଂହି, ଦୁର୍ଗା, ମଙ୍ଗଳା, ହନୁମାନ, ଜ୍ୱାଳାମୁଖୀ, ବନଦୁର୍ଗା, ବରାହୀ, ଶୀତଳା, ଘଣ୍ଟାସିନି, ବଞ୍ଜାରୀ, ଛିନ୍ନମସ୍ତା, ରାମଚଣ୍ଡୀ, କାଳୀ, ଭୈରବୀ, ସିଦ୍ଧିଦାତ୍ରୀ, ଆଦି ୧୦୮ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରାଯାଇଥିଲା। ସ୍ୱତନ୍ତ୍ର ଆଳତୀ ପରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରର ମୁଖ୍ୟ କବାଟ ଖୋଲା ଯାଇଥିଲା। ସହର ତଥା ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ସେଠାରେ  ଅର୍ପିତ ଅନ୍ନକୁ ନିଜ ନିଜ ଘରକୁ ନେଇ ଗ୍ରହଣ କରିଥିଲେ। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ନାୟକଙ୍କ ନେତୃତ୍ୱରେ ମା’ଙ୍କ ପୂଜାବିଧି ସମ୍ପନ୍ନ ହୋଇଥିଲା।  ଗାଁମାନଙ୍କରେ ଗ୍ରାମଦେବୀ ଓ ଅନ୍ୟାନ୍ୟ ମନ୍ଦିରମାନଙ୍କରେ ମଧ୍ୟ ପରମ୍ପରା ଅନୁଯାୟୀ ନିଷ୍ଠାର ସହିତ ନବାନ୍ନ ସମର୍ପଣ କରାଯାଇଛି। ଅନ୍ୟ ପକ୍ଷରେ ଆଜି ସକାଳୁ ଗାଁମାନଙ୍କରେ ପରିବାରର ମୁରବୀମାନେ ଗୋରସ ଓ ଫୁଲ ଧରି ଧାନ କ୍ଷେତକୁ ଯାଇ ସ୍ୱତନ୍ତ୍ର ପୂଜା କରିଥିଲେ। ଲୋକେ ନବାନ୍ନ ଭୋଗ ଗ୍ରହଣ କରିବା ଉତାରୁ ଅଧିଷ୍ଠିତ ଦେବଦେବୀଙ୍କୁ ପ୍ରଣିପାତ କରି ଆର୍ଶିବାଦ ମାଗି ଥିଲେ। ଏହା ବାଦ୍ ଲୋକେ ବଡ଼ମାନଙ୍କୁ ଜୁହାର ଓ ସାନମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ପରିବାରରେ ମୁରବୀ ବା ମୁଖ୍ୟମାନେ ଘରେ ନବାନ୍ନ ଭୋଗ ଲାଗି ଉତାରୁ ତାକୁ ପରିବାରର ଅନ୍ୟ ସଦସ୍ୟସଦସ୍ୟାଙ୍କୁ ପ୍ରଦାନ କରିଥିଲେ। ଲିପାପୋଛା ସହିତ ଝୋଟି ଓ ଆମ୍ବପତ୍ରର ତୋରଣ ଏହି ଉପଲକ୍ଷେ ପ୍ରାୟ ସମସ୍ତ ଘର ବାଟମାନଙ୍କରେ ସୁଶୋଭିତ ହୋଇଥିଲା। ନୂଆଁଖାଇ ପର୍ବ ପାଇଁ ସମଗ୍ର ପଶ୍ଚିମଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଥିଲା। ସହରମାନଙ୍କରେ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା। ଏହି ପର୍ବ ପାଳନ ପାଇଁ ସହରରୁ ଅନେକ ପରିବାର ନିଜ ନିଜ ଘରକୁ ଯାଇଥିବା ବେଳେ ବହୁ ଦୂର ଦୂରାନ୍ତ ସ୍ଥାନରୁ ଅନେକ ପରିବାର ସହରକୁ ଆସିଥିଲେ ଓ ଏଠାରେ ନିଜ ଜ୍ଞାତି ପରିଜନଙ୍କ ସହ ନୂଆଁଖାଇ ପାଳନ କରିଥିଲେ।  ସେହିଭଳି ଆଜି ମନ୍ଦିରମାନଙ୍କରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍ଘାଟ୍ ସମାରୋହ ଆୟୋଜନ କରାଯାଇଛି। ଏହି କାଯର୍ୟକ୍ରମ ମାନଙ୍କରେ କଳାକାରମାନେ ବିଳମ୍ବିତ ରାତି ପଯର୍ୟନ୍ତ ନୃତ୍ୟ, ଗୀତ, ପରିବେଷଣ କରିଥିଲେ। ସେହିଭଳି ଗାଁଠାରୁ ସହର ପଯର୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *