ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳଙ୍କ ଦାୟୀତ୍ୱ ଗ୍ରହଣ

ଛତ୍ରପୁର ୬-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ବିଜୟ ଅମୃତ କୁଲାଙ୍ଗେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦାୟୀତ୍ୱରେ ଥିଲେ। ଜିଲ୍ଲାପାଳ ଥିବା ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଠାରୁ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରେମ ଚନ୍ଦ୍ର ଚୌଧରୀ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଦାୟୀତ୍ୱ ଗ୍ରହଣ ଉତ୍ସବରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ବିଜୟ କୁମାର ଦାଶ, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭଂଜନଗର ଉପଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ପ୍ରୋବେସନାରୀ ଆଇପିଏସ ପି.ଅନ୍ୱେଷା ରେଡ଼ୀଙ୍କ ସମେତ ବହୁ ଅଧିକାରୀ, ତହସିଲଦାର ଓ ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ନୂଆ ଜିଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଦାୟୀତ୍ୱ ଗ୍ରହଣ ସମୟରେ ସେ ଏହି ଗୁରୁ ଦାୟୀତ୍ୱକୁ ନିଷ୍ଠାର ସହ ତୁଲାଇବେ ଏବଂ ଗଞ୍ଜାମ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ବିଦାୟୀ ଜିଲାପାଳ ଶ୍ରୀ ଚୌଧରୀ ଜିଲ୍ଲାପାଳ ଭାବେ ସେ ସାମ୍ନା କରିଥିବା କିଛି ଅନୁଭୂତି କହିବା ସହ ଜିଲ୍ଲାର ବିକାଶକୁ ଜାରି ରଖିବା ପାଇଁ ନୂତନ ଜିଲାପାଳଙ୍କୁ କହିଥିଲେ।

Leave a Reply

Your email address will not be published. Required fields are marked *