ଓଡ଼ିଶା

ଗଜପତି ମହାରାଜାଙ୍କ ସେବାକୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ତୁଳନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର ତା ୨୧.୫ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗଜପତିଙ୍କୁ ଝାଡୁଦାର ବୋଲି ତାତ୍ସଲ୍ୟ କରି ଓଡିଶାର ବଡ ଠାକୁର ଏବଂ ତାଙ୍କ ପ୍ରଥମ ସେବକଙ୍କୁ ଅପମାନିତ କରିଛନ୍ତି। ଓଡିଶା ସ୍ୱାଭିମାନର ପ୍ରତୀକ ଗଜପତି ମହାରାଜାଙ୍କୁ ଏପରି ସମ୍ବୋଧନ କରିବା ଦ୍ୱାରା ସାରା ଓଡିଆ ପ୍ରାଣକୁ ଧର୍ମେନ୍ଦ୍ର ଆଘାତ ଦେଇଛନ୍ତି। ସେଥିପାଇଁ ସାଧାରଣରେ ସେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରିଛି। ଓଡିଆ ଜାତି ଏବଂ ଓଡିଶାର ପ୍ରାଣ ବଡ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କୁ ରଥଯାତ୍ରା ଆରମ୍ଭରେ ଗଜପତି ମହାରାଜ ପ୍ରଥମ ସେବା କଲା ପରେ ରଥ ଟଣା ଆରମ୍ଭ ହୋଇଥାଏ। କିନ୍ତୁ ଶ୍ରୀଜିଉଙ୍କର ଏହି ପ୍ରଥମ ସେବକଙ୍କୁ ସାଧାରଣରେ ଅତି ତାତ୍ସଲ୍ୟ ଢଙ୍ଗରେ ପ୍ରତିପାଦିତ କରି କେନ୍ଦ୍ରମନ୍ତ୍ରୀ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ହାନି କରିଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଓଡିଆ ସଂସ୍କୃତି ଓ ପରମ୍ପରା ପ୍ରତି ଆନ୍ତରିକତା ନଥିବା ଦଳକୁ ଅନ୍ୟ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କର ଏହି ସେବାକୁ ମୋଦି ସରକାରଙ୍କ ସ୍ୱଚ୍ଛ ଭାରତର ଅଂଶବିଶେଷ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତାଙ୍କର ଏପରି ମନ୍ତବ୍ୟକୁ ପ୍ରତିବାଦ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି। ଓଡିଶା ନିଜ ଜନ୍ମମାଟି ହୋଇ ମଧ୍ୟ ଏହାର ସଂସ୍କୃତି ଓ ପରମ୍ପରା ପ୍ରତି ସଜାଗ ନଥିବା ଶ୍ରୀ ପ୍ରଧାନ ମନ୍ତ୍ରୀପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି।

ଆଜି ଅପରାହ୍ନରେ ଛାତ୍ର କଂଗ୍ରେସ ତରଫରୁ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତିମ, ହଳଧର ସେଠୀ, ସଂଗ୍ରାମ କେଶରୀ ପ୍ରଧାନ, ସତ୍ୟ ମହାନ୍ତି, ରତିକାନ୍ତ ବେଉରା, ସୌମ୍ୟ ମିଶ୍ର, ବିଶ୍ୱଜିତ୍ ବେଉରା, ଅକ୍ଷୟ ମଲ୍ଲ, ସତ୍ୟପ୍ରକାଶ ପଣ୍ଡା, ପ୍ରମୁଖ ଛାତ୍ର ନେତାମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top