ଓଡ଼ିଶା

ଗଜପତି ଜିଲ୍ଲାର ୩ଶିଶୁ କଳାହାଣ୍ଡିରୁ ଉଦ୍ଧାର

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ଶିଶୁ କଲ୍ୟାଣ ସମିତିରେ ଭବାନିପାଟଣାରୁ ଉଦ୍ଧାର ହୋଇଥିବା ୩ଜଣ ଶିଶୁଙ୍କୁ ଚାଇଲ୍ଡ ଲାଇନ ଦ୍ୱାରା ହସ୍ତାନ୍ତର କରାଯାଇଛି। ୧୪ରୁ ୧୫ବର୍ଷ ମଧ୍ୟରେ ଏହି ଶିଶୁଗୁଡିକ ଗୋଷାଣି ବ୍ଲକ ଲୁବା-ସିରିପୁର ଏବଂ ସିଙ୍ଗିପୁର ଗ୍ରାମଅଞ୍ଚଳ ବାସିନ୍ଦା ଅଟନ୍ତି। ଏମାନଙ୍କୁ ଉତ୍ତମ ରୋଜଗାର ଲୋଭ ଦେଖାଇ ଏକ ଘରୋଇ କମ୍ପାନୀ ପାରଳାଖେମୁଣ୍ଡି ଠାରୁ କଳାହାଣ୍ଡି ଜିଲା ଭବାନିପାଟଣାକୁ ଡକାଇନେଇଥିଲେ। ଏହି ସଂସ୍ଥା ମାସିକ ୧୦ହଜାର ଟଙ୍କା ଦରମା ଦେବ ବୋଲି ଲୋଭ ଦେଖାଇବା ସହ ଶିଶୁମାନଙ୍କୁ ଠାରୁ ୧୬ହଜାର ଟଙ୍କା ଲେଖାଏଁ ଡିପୋଜିଟ ନେଇଥିଲେ। ମାତ୍ର ୬ମାସ ପର୍ଯ୍ୟନ୍ତ ଏମାନେ କାମ କରିବା ପରେ ଏମାନଙ୍କୁ କୌଣସି ଦରମା ଦିଆଯାଇନଥିଲା ଏବଂ ପେଟପୁରା ଖାଇବାକୁ ମଧ୍ୟ ମିଳିନଥିଲା। ପିଲାମାନଙ୍କୁ ଫେରାଇଆଣିବା ପାଇଁ ସେମାନଙ୍କ ଅଭିଭାବକ ଭବାନିପାଟଣା ଯାଇଥିଲେ ମଧ୍ୟ ଉକ୍ତ ମାଲିକ ତାଙ୍କୁ ଛାଡି ନଥିଲେ। ବାଧ୍ୟ ହୋଇ ଏମାନଙ୍କ ଅଭିଭାବକମାନେ ଚାଇଲ୍ଡ ଲାଇନର ଆଶ୍ରୟ ନେଇଥିଲେ। ପରେ ଗଜପତି ଶିଶୁ କଲ୍ୟାଣ ସମିତି ପକ୍ଷରୁ କଳାହାଣ୍ଡି ସ୍ଥିତ ଶିଶୁ କଲ୍ୟାଣ ସମିତିକୁ ଏବଂ ଚାଇଲ୍ଡ ଲାଇନକୁ ଏସମ୍ପର୍କରେ ଖବର ଦିଆଯାଇଥିଲା। ସେଠାରେ ଏହି ୩ଜଣ ଶିଶୁଙ୍କୁ ପୋଲିସ ସହାୟତରେ ତୁରନ୍ତ ଉଦ୍ଧାର କରାଯାଇ ଭବାନିପାଟଣା ସ୍ଥିତ ମୁକ୍ତ ଆଶ୍ରୟ ସ୍ଥଳରେ ରଖାଯାଇଥିଲା। ପରେ ଗଜପତିରୁ ଚାଇଲ୍ଡ ଲାଇନ ଏବଂ ଶିଶୁ ସୁରକ୍ଷା ୟୁନିଟର ଏକ ଟିମ ଭବାନିପାଟଣାରୁ ଏହି ୩ଶିଶୁଙ୍କୁ ଆଣି ଗଜପତି ଶିଶୁ କଲ୍ୟାଣ ସମିତିରେ ହାଜର କରିଥିଲେ। ଏମାନଙ୍କୁ କାଉଁସିଲିଂ କରାଯାଇ ଏମାନଙ୍କୁ ଅଭିଭାବକ ନିକଟକୁ ହସ୍ତାନ୍ତର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top