ଜିଲ୍ଲା ପରିକ୍ରମା

ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ ସ୍ତରୀୟ ସାଂସଦ କମିଟି ବୈଠକ, ଭଦ୍ରକ ଜିଲାର ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ ସମସ୍ୟା ନେଇ ସାଂସଦ ଅର୍ଜୁନ ସେଠୀଙ୍କ କ୍ଷୋଭ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ ସ୍ତରୀୟ ସାଂସଦ କମିଟି ବୈଠକରେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଏହି ଜିଲାର ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନର ସମସ୍ୟା ନେଇ ରେଳ କର୍ତ୍ତୃପକ୍ଷଙ୍କ ଠାରେ ଗଭୀର କ୍ଷୋଭପ୍ରକାଶ କରିଛନ୍ତି। ଏହି ବୈଠକରେ ଖୋର୍ଦ୍ଧା ଜଟଣୀସ୍ଥିତ ରେଳ ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ସେଠୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ସେ ମୁଖ୍ୟତଃ ଭଦ୍ରକ ରେଳଷ୍ଟେସନ, ବାଉଦପୁର, କେନ୍ଦୁଆପଦା, ମଂଜୁରୀରୋଡ୍ ଓ କପାଳୀ ରୋଡ୍ ଷ୍ଟେସନ ଗୁଡିକରେ ପ୍ଲାଟ୍ଫର୍ମର ଉଚ୍ଚତା ବୃଦ୍ଧି, ଆଲୋକୀକରଣ, ନୂତନ ସେଡ୍ ନିର୍ମାଣ ସହିତ ଅନ୍ୟାନ୍ୟ ମୁଖ୍ୟ ସମସ୍ୟା ଗୁଡିକ ଉପସ୍ଥାପନ କରିଥିଲେ। ବିଶେଷକରି ଭଦ୍ରକ ଷ୍ଟେସନର ଦକ୍ଷିଣ ପାଶ୍ୱର୍ରେ ଥିବା ଲେବଲ କ୍ରସିଂ ଗେଟ୍ ନଂ ୧୧୯ (ଆର୍ ଓ ବି) ଉଡନ୍ତା ପୋଲ କାର୍ଯ୍ୟର ଅଗ୍ରଗତି ଓ ସମୀକ୍ଷା, ଭଦ୍ରକ ଷ୍ଟେସନରେ ନୂତନ କରି ନିର୍ମାଣ ହୋଇଥିବା ଆଦର୍ଶ ଷ୍ଟେସନ ଗୃହ ଉଦ୍ଘାଟନର ବିଳମ୍ବର କାରଣ, ଭଦ୍ରକ ଷ୍ଟେସନ ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାର ନିର୍ମାଣର ଅଗ୍ରଗତି, ଭଦ୍ରକ ଷ୍ଟେସନରେ ଥିବା ଶୌଚାଳୟ, ପରିସ୍କାର ପରିଚ୍ଛନ୍ନତା ଓ ଯାତ୍ରୀମାନଙ୍କର ସୁରକ୍ଷା ଦାୟିତ୍ୱରେ ଆଲୋଚନା, ଗବସାହି-ଗେଲଟୁଆ ଲେବଲ କ୍ରସିଂ ଠାରେ ଏକ ନୂତନ ସାଳନ୍ଦୀ ପାସେଞ୍ଜର ଟ୍ରେନ୍ ରହଣି ପାଇଁ ଜନସାଧାରଣଙ୍କ ଦାବି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନହେବା, ଭଦ୍ରକ ଷ୍ଟେସନରେ ୧୨୫୬୭/୧୨୮୬୮ ହାୱଡା-ପଣ୍ଡିଚେରୀ ସାପ୍ତାହିକ ଟ୍ରେନ୍, ୧୨୬୬୫ / ୧୨୬୬୬ ହାୱଡା-କନ୍ୟାକୁମାରୀ ସାପ୍ତାହିକ ଟ୍ରେନ୍, ୨୨୮୩୧ / ୨୨୮୩୨ ହାୱଡା-ସତ୍ୟସାଇ ପ୍ରଶାନ୍ତି ନିଳୟ ସାପ୍ତାହିକ ଟ୍ରେନ୍ ଓ ୨୨୮୫୫ / ୨୨୮୫୬ ସାନ୍ତରାଗାଚ୍ଛି-ତିରୁପତି ସାପ୍ତାହିକ ଟ୍ରେନ୍ର ରହଣି ସଂପର୍କରେ ଆଲୋଚନା କରିବା ସହ ଟ୍ରେନ୍ ନଂ ୧୨୮୯୧/୧୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋଷି ଟ୍ରେନ୍ରେ ଥିବା ବଗି ସଂଖ୍ୟା ବୃଦ୍ଧି ନହେବା ନେଇ କ୍ଷେଭା ପ୍ରକାଶ କରିଥିଲେ। ଏଥିସହ ଭୁବନେଶ୍ୱର ରାଜଧାନୀ ଟ୍ରେନ୍ର ଚଳଣିକୁ ୭ ଦିନରୁ ୬ ଦିନକୁ କମାଇବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି କେନ୍ଦୁଆପଦା ଓ ମଂଜୁରୀରୋଡ୍ ଷ୍ଟେସନର ଦକ୍ଷିଣ ପାଶ୍ୱର୍ରେ ନୂତନ ଉଡନ୍ତା ପୋଲ (ଆର୍ ଓ ବି) ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଭଦ୍ରକ ଷ୍ଟେସନ ଦେଇ ଯାଇଥିବା ପ୍ରଥମ ଯାତ୍ରୀ ଗାଡି ସଂଖ୍ୟା ୫୮୦୦୬ ଦୁଇଘଣ୍ଟ ବିଳମ୍ବରେ ଗତ ଜୁଲାଇ ମାସରୁ ଛାଡିବାର କାରଣକୁ ନେଇ ପ୍ରଶ୍ନ ଉଠାଇଥିଲେ। ଜଳେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ପାସେଞ୍ଜର ଟ୍ରେନ୍ ଚାଲୁ କରିବା ଓ ଭଦ୍ରକ-ପଲାସା ଡିଏମ୍ୟୁ ୭୮୪୦୭ / ୭୮୪୦୮ ଟ୍ରେନ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଏହି ଦାବି ଉପସ୍ଥାପନ କରିଥିଲେ। ବିଶେଷକରି ଭଦ୍ରକ ରେଳଷ୍ଟେସନ ଏକ ଆଦର୍ଶ ଷ୍ଟେସନ ଭାବେ (କ) ଶ୍ରେଣୀଭୁକ୍ତ ହୋଇଥିଲେ ବି ଆଜିପର୍ଯ୍ୟନ୍ତ ଏହାର ଆଖିଦୃଶିଆ ଉନ୍ନତି ହୋଇପାରିନଥିବାରୁ ସେ ଉଦ୍ବେଗ ପ୍ରକାଶ କରିବା ସହ ଏହି ଷ୍ଟେସନରୁ ଦୈନିକ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରେଳବିଭାଗ ଆୟ କରୁଥିଲେ ମଧ୍ୟ ଏହାର ଉନ୍ନତି ନହେବା ଭଦ୍ରକ ଜିଲାବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସେ ନିଜ ବକ୍ତବ୍ୟରେ କ୍ଷୋଭର ସହ ପ୍ରକାଶ କରିଥିଲେ। ତେବେ ସାଂସଦ ଶ୍ରୀ ସେଠୀଙ୍କ ଉପରୋକ୍ତ ଦାବିଗୁଡିକ ଉପରେ ଖୁବ୍ଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ଉପସ୍ଥିତ ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ଉମେଶ ସିଂ, ଖୋର୍ଦ୍ଧାରୋଡ୍ ମଣ୍ଡଳର ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ସମସ୍ତ ବିଭାଗର ମୁଖ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ଆଜି ସାଂସଦ ଶ୍ରୀ ସେଠୀଙ୍କ ବ୍ୟକ୍ତିଗତ ସଚିବ ଭରତ ଚନ୍ଦ୍ର ରାଉତ ଗଣମାଧ୍ୟମକୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top