ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍: ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱରକୁ ହରାଇ ରାଉରକେଲା ଏକାଦଶ ଫାଇନାଲରେ

ଖୋର୍ଦ୍ଧା, ୨୧/୪ (ଓଡ଼ିଆ ପୁଅ) -କ୍ରିକେଟ୍ ଆସୋସିଏସନ୍ ଅଫ ଡ଼ିଷ୍ଟ୍ରିକ୍ଟ୍ ଖୋର୍ଦ୍ଧା ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ୩ୟ ରାତ୍ରିକାଳୀନ ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ତେଶ୍ୱର ସ୍ପୋଟିଂକୁ ୬ ୱିକେଟ୍ରେ ହରାଇ ରାଉରକେଲା ଏକାଦଶ ଫାଇନାଲରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ଆରମ୍ଭରେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ଯୋଗଦେଇ ମିନି ଷ୍ଟାଡ଼ିୟମ ପରିସରରେ ଏକ ମଲଟିଜିମ୍କୁ ଉଦ୍ଘାଟନ କରିଥିଲେ।

ରାଉରକେଲା ଏକାଦଶ ଦଳ ଟସ୍ରେ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ମୁକ୍ତେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ଓଭରରେ ୭ ୱିକେଟ୍ ହରାଇ ୧୩୦ରନ୍ କରିଥିଲେ। ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ୨୯ଟି ବଲରୁ ୩୭ରନ୍ ଓ ପ୍ରିୟବ୍ରତ ସାହୁ ୨୩ଟି ବଲରୁ ୧୭ରନ୍ କରିଥିଲେ। ରାଉରକେଲା ଏକାଦଶ ପକ୍ଷରୁ ସାଗର ରାଉତ ୩ ଓଭରରେ ୧୪ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଜବାବରେ ରଉରକେଲା ଦଳ ୧୮.୪ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ୧୩୧ରନ୍ କରିନେଇଥିଲା। ଦଳ ପକ୍ଷରୁ ଆଲୋକ ପ୍ରଧାନ ୫୬ଟି ବଲରୁ ୬୮ରନ୍ ଓ ସାଗର ରାଉତ ୧୯ଟି ବଲରୁ ୨୬ରନ୍ କରିଥିଲେ। ମୁକ୍ତେଶ୍ୱର ଦଳ ପକ୍ଷରୁ ହିତେଶ ନାୟକ ୪ଓଭରରେ ୧୯ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଆଜିର ମ୍ୟାଚ୍ରେ ଗୁରୁପ୍ରସାଦ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳାଳୀ ଭାବେ ଆଲୋକ ପ୍ରଧାନଙ୍କୁ ଏଚ୍ଏଚ୍ ଟାଇନ୍ସ ପକ୍ଷରୁ ଏକ ହାତଘଂଟା ପ୍ରଦାନ କରିଥିଲା। ଏହି ମ୍ୟାଚ୍କୁ ଶରତଚନ୍ଦ୍ର ସାହୁ ଓ ପ୍ରୀତିରଂଜନ ବିଜୟସିଂ ପରିଚାଳନା କରିଥିବା ବେଳେ କାଜଲ ବଳିୟାରସିଂ ମ୍ୟାଚ୍ ରେଫରୀ କାର୍ଯ୍ୟ ତୁଲାଇଥିଲେ। ଆସନ୍ତାକାଲିର ଫାଇନାଲ ମ୍ୟାଚ ରାଇଜିଂ ଷ୍ଟୁଡ଼େଂଟ୍ କଟକ ଓ ରାଉରକେଲା ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *