‘ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗରୀବ କଲ୍ୟାଣ ଯୋଜନାର ଅର୍ଥ ଆତ୍ମସାତ୍ ’ ଶ୍ରେଷ୍ଠ ପ୍ରଶାସକଙ୍କ ଭ୍ରଷ୍ଟାଚାରୀ ଶାସନର ଉଦାହରଣ : ବିଜେପି

କେନ୍ଦ୍ର ସରକାରଙ୍କ ଯୋଜନାର ଅର୍ଥକୁ ବିଜୁ ଯୁବ ବାହିନୀର ସଭାପତିମାନଙ୍କ ହଡପ କରିବା ପ୍ରସଙ୍ଗରେ:
– ରାଜ୍ୟରେ ବିଜୁ ଯୁବବାହିନୀର ସଭାପତିମାନେ ଗୁଣ୍ଡାମୀ ଚଳାଇଛନ୍ତି
– ପୋଲିସ ପ୍ରଶାସନ ସ୍ଥାନୀୟ ଶାସକ ଦଳର ବିଧାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି
– ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଝାହାଡା ଗ୍ରାମର ଦଳିତ ସାହିର ଗରିବ ଲୋକଙ୍କ ପାଇଁ ଆସିଥିବା ‘ସ୍ୱଛ ଭାରତ ଗ୍ରାମୀଣ ଯୋଜନା’ ଅନୁଯାୟୀ ପାଇଖାନା ନିର୍ମାଣ କରିବା ଅର୍ଥକୁ ହଡପ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ

ଭୁବନେଶ୍ୱର, ତା.୩୧/୦୭ (ଓଡ଼ିଆ ପୁଅ) : ପ୍ରଥମେ ଚୋରି ଏବଂ ତାପରେ ଦାଦାଗିରି। ଦିନକୁ ଦିନ ଶାସକ ବିଜେଡିର ବିରୋଧୀମାନଙ୍କ ପ୍ରତି ଅସହିଷ୍ଣୁତା ବଢି ବଢି ଚାଲିଛି। ଦୀର୍ଘ ୧୮ ବର୍ଷ ଧରି ବିଜେଡି ନେତାମାନେ ପ୍ରଶାସନକୁ ହାତବାରେସୀ କରି ମନମୁଖୀ ଶାସନ ଚଳାଇଛନ୍ତି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ କଥା ପ୍ରଚାର କରୁଥିବା ସମୟରେ ଅନ୍ୟପଟେ ବିଜୁ ଯୁବ ବାହିନୀର ସଭାପତି ମାନେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗରିବ କଲ୍ୟାଣ ଯୋଜନାର ଅର୍ଥକୁ ଆତ୍ମସାତ୍ କରିବା ଶ୍ରେଷ୍ଠ ପ୍ରଶାସକଙ୍କ ଭ୍ରଷ୍ଟାଚାରୀ ଶାସନର ଉଦାହରଣ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ସ୍ୱଚ୍ଛ ଭାରତ ମିଶନରେ ପ୍ରକୃତ ହିତକାଧିକାରୀଙ୍କ ପାଇଁ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ଶାସକ ବିଜେଡି ଦଳର ନେତାମାନେ ଖୋଲାଖୋଲି ଭାବେ ଆତ୍ମସାତ୍ କରୁଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଝାହାଡା ଗ୍ରାମର ଦଳିତ ସାହିର ଗରିବ ଲୋକଙ୍କ ପାଇଁ ଆସିଥିବା ‘ସ୍ୱଛ ଭାରତ ଗ୍ରାମୀଣ ଯୋଜନା’ ଅନୁଯାୟୀ ପାଇଖାନା ନିର୍ମାଣ କରିବା ଅର୍ଥକୁ ବିଜୁ ଯୁବ ବାହିନୀର ସଭାପତି ଶିବରାମ ପ୍ରଧାନ ଏବଂ ରଂଜନ କୁମାର ଦାସ ଚଂଚକତା କରି ଏହି ଗରୀବ ହିତାଧିକାରୀଙ୍କ ଅର୍ଥକୁ ନିଜ ଆକାଉଂଟକୁ ଟ୍ରାନ୍ସଫର କରାଇ ହଡପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଏହି ଦୁର୍ନୀତି ଘଟଣାର ସତ୍ୟାସତ୍ୟ ସଂପର୍କରେ ଜାଣିବା ପରେ ସ୍ଥାନୀୟ ବିଜେପି ନେତା ତଥା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ପତ୍ରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧରାକୋଟ ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଦେଇ ଚାଲିଛି। ଆରଟିଆଇ ତଥ୍ୟରୁ ଜଣାପଡିଛି ଯେ, ଶିବରାମ ପ୍ରଧାନ ଓ ରଂଜନ ଦାସ ଏହି ଦୁଇ ଜଣଙ୍କ ଆକାଉଂଟକୁ ୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଟ୍ରାନ୍ସଫର ହୋଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧାରାକୋଟା ବ୍ଲକର ଝାହାଡା ପଂଚାୟତର ୫୩ଜଣ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଅର୍ଥକୁ ଆତ୍ମସାତ କରିବା ବିରୁଦ୍ଧରେ ବିଜେପି ନେତା ଶ୍ରୀ ପତ୍ରୀଙ୍କ ନେତୃତ୍ୱରେ ବ୍ଲକକୁ ଯିବାସମୟରେ ପୋଲିସ ଆଗରେ ଆକ୍ରମଣ କରିଥିଲେ। ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ, ପୋଲିସ ପ୍ରଶାସନ ସ୍ଥାନୀୟ ଶାସକ ଦଳର ବିଧାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟକରୁଛି। ଅନ୍ୟପଟେ ବିଜୁଯୁବ ବାହିନୀର ସଭାପତିମାନେ ଗୁଣ୍ଡାମୀ କରି ହିତାଧିକାରୀଙ୍କ ଅର୍ଥକୁ ହଡପ କରି ଚାଲିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ସେହିପରି ଆନନ୍ଦପୁର ବ୍ଲକରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ନାଁରେ ଆସିଥିବା ଅର୍ଥ ହିତାଧିକାରୀ ବିଜୁ ଜେନାଙ୍କ ପାଖରେ ନପହଂଚି ଲୁଟ୍ ହେବାର ପ୍ରମାଣ ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସ୍ୱଛ ଭାରତ ଗ୍ରାମୀଣ ଯୋଜନାକୁ ସିଧା ସିଧା ବିଜୁ ଯୁବ ବାହିନୀର ସଭାପତି ମାନେ ହଡପ କରୁଛନ୍ତି। ଗରିବ କଲ୍ୟାଣ ପାଇଁ କେନ୍ଦ୍ର ସରକାର ସଦାସର୍ବଦା ତତ୍ପର ଥିବାବେଳ ଏଠି ରାଜ୍ୟରେ ଶାସକ ବିଜେଡିର ନେତାମାନେ ଆସୁଥିବା ଅର୍ଥକୁ ହରିଲୁଟ୍ କରିବାରେ ଲାଗିଛନ୍ତି। ବିଜେପିର ଚାପ ପରେ ଥାନାରେ ଏତଲା ଗ୍ରହଣ କରାଗଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଆଗାମୀ ଦିନରେ ଏହାର ଜବାବ ଓଡିଶାବାସୀ ଦେବେ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସହସ୍ୟ ମହେଶ ମହାନ୍ତି ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *