‘ଖୁସି’ ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା କେବଳ ଆତ୍ମପ୍ରଚାର ସର୍ବସ୍ୱ : ବିଜେପି

– ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ଭୁବନେଶ୍ୱର, ତା୨୬/୦୨ (ଓଡ଼ିଆ ପୁଅ) : ଦୀର୍ଘ ୧୮ ବର୍ଷପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି ଆଉ ଏବେ ସ୍କୁଲ ଝିଅମାନଙ୍କ କଥା ମନେ ପଡ଼ିଛି। ଏହା ଓଡିଶା ସରକାର ଅବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଯୋଜନା ନୁହେଁ। ଏଥିରେ ତାଙ୍କର ଆନ୍ତରିକତା ଥିବାପରି ଜଣାପଡୁନାହିଁ। ଝିଅ ମାନଙ୍କ ପ୍ରତି ଆନ୍ତରିକତା ଥିଲେ ସେମାନେ ବିଭିନ୍ନ ଅତ୍ୟାଚାରରେ ଶିକାର ହୁଅନ୍ତେନାହିଁ। ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଖ୍ୟମନ୍ତ୍ରୀ ଏଠି କେବଳ ନାରୀମାନଙ୍କୁ ସମ୍ମାନ ଦେବାର ନାରା ଦେଇ ମିଛ ଅଭିନୟ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିମଳ ପରିଚ୍ଛନ୍ନତା ରକ୍ଷା ଦିଗରେ ଏତେ ଯତ୍ନବାନ ତେବେ ଏହି ଯୋଜନା ଆଗରୁ କଣ ପାଇଁ ଆରମ୍ଭ କଲେ ନାହିଁ ବୋଲି ବିଜେପି ରାଜ୍ୟ ସଂପାଦିକା ଶ୍ରୀମତି ସିମନ୍ତିନୀ ଜେନା ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଖୁସି ଯୋଜନାରେ କୌଣସି ନୁତନତ୍ୱ ନାହିଁ। ୨୦୧୩ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅନ୍ୟାନ୍ୟ ରାଜ୍ୟ ସରକାରମାନେ ବହୁ ପୂର୍ବରୁ ଏହି ଯୋଜନାକୁ ଲାଗୁ କରିଛନ୍ତି। ପୂର୍ବରୁ ଛତିଶଗଡ, ହରିୟାନା, ମହାରାଷ୍ଟ୍ର ପରି ଅନେକ ରାଜ୍ୟରେ ଏଭଳି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। କିନ୍ତୁ ଏହି ଯୋଜନାକୁ ଲାଗୁ କରିବାରେ ଓଡିଶା ପଛରେ ପଡିଛି। ରାଜ୍ୟରେ ମହିଳାମାନଙ୍କୁ ଯେତିକି ସୁବିଧା ମିଳିବା କଥା ସେତିକି ମିଳିନି ବୋଲି ଶ୍ରୀମତି ଜେନା ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ କେନ୍ଦ୍ର ଯୋଜନାକୁ ଭିତିକରି ‘କା’ ଯୋଜନା ଘୋଷଣା କରିବାରେ ବିଳମ୍ବ ବା କାର୍ପଣ୍ୟ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ମମତା ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଚୋକଡ ମିଶା ଛତୁଆ ଯୋଗାଇ ଦିଆଯାଉଛି। ଜନନୀ ସୁରକ୍ଷା ଯୋଜନା ନାଁରେ ଅଟୋ ରେ, ହସପିଟାଲ ବାରଣ୍ଡାରେ, ଖଟରେ, ଡଙ୍ଗାରେ, ଭାରରେ ବୁହାହୋଇ ଗର୍ଭବତୀ ମାଆ ଛୁଆ ଜନ୍ମ କରିବାର ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଅନ୍ୟପଟେ ଖୁସି ଯୋଜନାର ହିତାଧିକାରୀଙ୍କ ପାଖରେ ସୁଫଳ ପହଂଚିବ କି ନାହିଁ ତାହା ଏକ ବଡ ପ୍ରଶ୍ନବାଚୀ ବୋଲି ଶ୍ରୀମତି ଜେନା କହିଛନ୍ତି।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନରେ ପ୍ରତି ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଓଡିଶାରେ ସଦ୍ୟ ରାଜ୍ୟ ସରକାରଙ୍କ ତଥ୍ୟଅନୁସାରେ ୬୨ ପ୍ରତିଶତ ସ୍କୁଲରେ ଏହା କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ଦିନକୁ ଦିନ ନାରୀମାନଙ୍କ ଉପରେ ଅତ୍ୟାଚର ଏବଂ ବ୍ୟଭିଚାର ବୃଦ୍ଧି ପାଇଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତିି। ରାଜ୍ୟରେ ନାବାଳିକା ଛାତ୍ରୀ ଗଣଦୁର୍ଷ୍କମର ଶିକାର ହେବା ଏକ ଦୈନନ୍ଦୀନ ଘଟଣା ପାଲଟିଛି। ଶାସକ ବିଜେଡିର ନେତାମାନଙ୍କ ଦ୍ୱାରା ମହିଳା ମାନଙ୍କୁ ପ୍ରଲୋଭନ ଦେଖାଇ ସଦ୍ୟ ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ କରାଯାଇଛି। ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। ଗୋଟିଏ ପଟେ ବିଭିନ୍ନ ଯୋଜନା କରି ନିଜର ଆତ୍ମପ୍ରଚାର କରିବା ଏବଂ ଅନ୍ୟପଟେ ନାରୀମାନଙ୍କୁ ଅପମାନିତ କରିବା କେତେ ଗ୍ରହଣୀୟ ବୋଲି ଶ୍ରୀମତି ଜେନା ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟରେ ନାରୀମାନଙ୍କୁ ନାପକିନ୍ ଯୋଗାଇବା ଏକ ଭଲ ପଦେକ୍ଷପ। ଏହାଦ୍ୱାରା କେମିତି ନିୟମିତ ଭାବରେ ପ୍ରତ୍ୟକ ମହିଳା ଏହି ଯୋଜନାର ଫାଇଦା ଉଠାଇ ପାରିବେ ସେ ସମ୍ବନ୍ଧରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍। ପ୍ରଥମେ ପ୍ରତି ବିଦ୍ୟାଳୟରେ ଶୌଚାଳୟର ବ୍ୟବସ୍ଥା କରାଯିବା ଦରକାର। ଏଥି ସହ ରାଜ୍ୟର ପ୍ରତି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଶ୍ରୀମତି ଜେନା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *