ଓଡ଼ିଶା

ଖୁଚୁରା ପଇସାକୁ ନେଇ ଅଚଳାବସ୍ଥା, ସଂକଟରେ ଖବରକାଗଜ ବିକ୍ରେତାଙ୍କ ବୃତ୍ତି ପାଠକମାନେ ଖୁଚୁରା ବଦଳରେ ନୋଟ ଦେବାକୁ ନିବେଦନ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଆମର ବୃତ୍ତି ସଂକଟରେ। ଆମେ ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବା ହୁଏତ ଅଗାମୀ ଦିନମାନଙ୍କରେ ସମ୍ଭବ ହୋଇନପାରେ। ଏହାର ମୂଳ କାରଣ ହେଉଛି ବଜାରକୁ ପ୍ରବେଶ କରୁଥିବା ମାତ୍ରାଧିକ ଖୁଚୁରା ପଇସା। ଦିନକୁ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଖୁଚୁରା ପଇସା ଖବରକାଗଜ ଦେୟ ବାବଦକୁ ଆସୁଛି। କିନ୍ତୁ ଏହି ଖୁଚୁରା ପଇସାକୁ ଗ୍ରହଣ କରିବାକୁ ଏଜେଣ୍ଟଙ୍କ ଠାରୁ ଆରମ୍ଭ କରି ଖବରକାଗଜ ସଂସ୍ଥାର ମାଲିକମାନେ ଅନାଗ୍ରହୀ ହୋଇ ପଡ଼ୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଖବରକାଗଜ ବିକ୍ରେତାମାନେ କହିଛନ୍ତି। ଆଜି ପ୍ରତିଷ୍ଠିତ ପୁରାତନ ଖବରକାଗଜ ବ୍ୟବସାୟିକ ପ୍ରତିଷ୍ଠାନ ‘ନଲେଜ ସେଣ୍ଟର’ ପରିସରରେ ୭୦ରୁ ଉର୍ଦ୍ଧ୍ୱ ଖବରକାଗଜ ବିକ୍ରେତା ଏକତ୍ରିତ ହୋଇ ସେମାନେ ସମ୍ମୁଖୀନ ହେଉଥିବା ବହୁ ସମସ୍ୟା ସମ୍ପର୍କରେ ଜିଲ୍ଲାସ୍ତରୀୟ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିଥିଲେ। ଅଭିଯୋଗ ଅନୁଯାୟୀ କେନ୍ଦ୍ର ସରକାର୨୦୧୬ ମସିହା ନଭେମ୍ବର ମାସରେ ବିମୁଦ୍ରୀକରଣ ବା ନୋଟବନ୍ଦୀ କରିଥିଲେ। ଏବେ ସରକାରଙ୍କ ନୋଟବନ୍ଦୀକୁ ୧୫ମାସ ପୁରିଛି। ନୋଟବନ୍ଦୀ ପରେ ପରେ ବଜାରକୁ ବିପୁଳ ପରିମାଣରେ ଖୁଚୁରା ପଇସା ପ୍ରବେଶ କରିଥିଲା। ପରିସ୍ଥିତି ଏପରି ହୋଇଥିଲାଯେ କୌଣସି ବ୍ୟବସାୟୀ ଖୁଚୁରା ପଇସା ଗ୍ରହଣ କରିବାକୁ ରାଜି ହୋଇନଥିଲେ। ଖବରକାଗଜ ବିକ୍ରୀ କରି ଜମା କରୁଥିବା ଖୁଚୁରା ପଇସାକୁ ବାଧ୍ୟବାଧକତାରେ ଗ୍ରହଣ କରୁଥିଲେ ଏଜେଣ୍ଟ। ଆଶା କରାଯାଉଥିଲା ଏହି ସମସ୍ୟା ସାମୟିକ। ଖୁବ ଶୀଘ୍ର ଏହି ସମସ୍ୟାର ଅନ୍ତ ଘଟିବ। କିନ୍ତୁ ନୋଟବନ୍ଦୀର ୧୫ମାସ ବିତିବା ପରେ ମଧ୍ୟ ଏହି ସମସ୍ୟା ପୂର୍ବବତ୍ ରହିଛି। ଗ୍ରାହକମାନେ ପୂର୍ବପରି ସେମାନଙ୍କ ଖବରକାଗଜ ଦେୟ ଖୁଚୁରା ପଇସା ଆକରରେ ଦେଉଛନ୍ତି। ନୋଟ ଆକାରରେ ଦେବାକୁ ଅନୁରୋଧ କଲେ ଖବରକାଗଜ ବନ୍ଦ କରିଦିଅ ବୋଲି କହୁଛନ୍ତି। ତେଣୁ ସମସ୍ତ ଖବରକାଗଜ ବିକ୍ରତା ବାଧ୍ୟ ହୋଇ ଖୁଚୁରା ପଇସା ଗ୍ରହଣ କରି ଏଜେଣ୍ଟଙ୍କ ନିକଟରେ ଜମାା ଦେଉଛନ୍ତି। ବ୍ୟାଙ୍କ ଖୁଚୁରା ପଇସା ନେଉ ନାହାନ୍ତି। ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓ ସେମାନଙ୍କର ବୃତ୍ତି ସଂକଟରେ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଖବରକାଗଜ ଏଜେଣ୍ଟ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ନିଜ ବେପାରକୁ ଚଳାଇ ରଖିବା ତଥା ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ସମ୍ମାନ ଦେବାକୁ ଯାଇ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବେପାର ଚଳାଇଛନ୍ତି। ତେଣୁ ଏହିପରି ଏକ ସଂକଟଜନକ ସ୍ଥିତିରେ ଖବରକାଗେଜ ପାଠକଙ୍କର ମଧ୍ୟ କିଛି ନୈତିକ ଦାୟିତ୍ୱ ରହିଛି ବୋଲି ସେମାନେ କହିଛନ୍ତି। ଗଣତାନ୍ତ୍ରୀକ ପରମ୍ପରାର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମକୁ ବଞ୍ଚାଇ ରଖିବାକୁ ହେଲେ ସେମାନଙ୍କର ମଧ୍ୟ କିଛି ଉତ୍ତର ଦାୟିତ୍ୱ ରହିଛି। ତେଣୁ ଖବରକାଗଜର ପାଠକମାନେ ଯଥାସମ୍ଭବ ଖୁଚୁରା ପଇସା ନଦେଇ ଏହାକୁ ନୋଟ ଆକରରେ ପ୍ରଦାନ କରିବାକୁ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ନିବେଦନ କରିଛନ୍ତି। କାରଣ ପାଠକମାନେ ହକରମାନଙ୍କର ବାସ୍ତବ ସମସ୍ୟାକୁ ଉପଲବ୍ଧି କରିବା ଦରକାର ବୋଲି ସେମାନେ କହିଛନ୍ତି। ଅନୁରୂପ ଭଦ୍ରକ ସହରର ବିଭିନ୍ନ ଛକ ଜାଗାମାନଙ୍କରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କାର୍ଯ୍ୟ ଜାରୀ ରହିଛି। ଫଳରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଆଉ ପେପର କିଣୁ ନାହାନ୍ତି। ଗ୍ରୀଷ୍ମ ଛୁଟି ଯୋଗୁଁ ବହୁ ବିଦ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏକପ୍ରକାର ବନ୍ଦ ଅବସ୍ଥାକୁ ଆସିଯାଇଛି। ସେମାନେ ଏବେ ପେପର କିଣିବା ବନ୍ଦ କରିବା ଆରମ୍ଭ କଲେଣି। ଯାହାକି ସେମାନଙ୍କ ବୃତ୍ତିଗତ ସଂକଟକୁ ଆହୁରି ସଂଗୀନ କରିଛି ବୋଲି ଖବରକାଗଜ ବିକ୍ରେତାମାନେ ଗଣମାଧ୍ୟମ ଆଗରେ ସେମାନଙ୍କ ଦୁଖଃଭରା କହାଣୀ କହିଛନ୍ତି। ଅପରପକ୍ଷରେ ବିଭିନ୍ନ ଖବରକାଗଜ ସଂସ୍ଥାର ମାଲିକମାନେ ଖବରକାଗଜ ବିକ୍ରୀ ଦ୍ୱାରା ଆଦାୟ ହେଉଥିବା ଖୁଚୁରା ପଇସା ନେବାକୁ ସିଧାସଳଖ ମନା କରୁଛନ୍ତି। ଫଳରେ ଏଜେଣ୍ଟଙ୍କ ନିକଟରେ ଲକ୍ଷ ଲକ୍ଷ ଟଙ୍କା ଖୁଚୁରା ଆକାରରେ ପଡ଼ି ରହିଛି। ଆଜିର ଦିନରେ ଏହାର ପରିମାଣ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ। ଫଳରେ ଖବରକାଜଗ ସଂସ୍ଥାମାନଙ୍କୁ ଦେୟ ପ୍ରଦାନରେ ମଧ୍ୟ ବହୁ ସମସ୍ୟା ଦେଖାଦେଉଛି ବୋଲି ନଲେଜ ସେଣ୍ଟର ପରିଚାଳନା ନିର୍ଦ୍ଦେଶକ ଆସିଫ ଅଲ୍ଲୀ କହିଛନ୍ତି। ସେହିପରି ବଳକା ଖବରକାଗଜ ବିକ୍ରୀ କ୍ଷେତ୍ରରେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଖବରକାଗଜ ସଂସ୍ଥାର ମାଲିକମାନେ ସମ୍ବେଦନଶୀଳ ହେବାକୁ ଶ୍ରୀ ଅଲ୍ଲୀ ନିବେଦନ କରିଛନ୍ତି। ତେଣୁ ଖବରକାଗଜ ଶିଳ୍ପର ସୁପରିଚାଳନା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ହକରମାନଙ୍କ ଏହି ସମସ୍ୟା ଦିଗରେ ଖବରକାଗଜ ସଂସ୍ଥାର ମାଲିକ, ବ୍ୟାଙ୍କ ସମୂହ ସର୍ବୋପରି ଖବରକାଗଜ ପାଠକମାନେ ସଚେତନ ହେବାକୁ ହକରମାନେ ନିବେଦନ କରିଛନ୍ତି। ତେବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏପରି ଖୁଚୁରା ପଇସା ସମସ୍ୟା ଦେଖାଯାଉନଥିବାବେଳେ, ଭଦ୍ରକରେ ଏଭଳି ସମସ୍ୟା କାହିଁକି ଦେଖାଦେଉଛି ସେଥି ନେଇ ଜିଲ୍ଲା ପ୍ରଶାସନ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମର ପ୍ରତିନିଧିମାନେ କହିଛନ୍ତି। ସମ୍ଭବତଃ ବ୍ୟାଙ୍କ ସମୂହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ଏପରି ପରିସ୍ଥିତି ଉପୁଜିଛି ବୋଲି ସେମାନେ ଅନୁମାନ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭର ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ଆବଶ୍ୟକ ପଦକ୍ଷେପ ନେବାକୁ ଗଣମାଧ୍ୟମର ପ୍ରତିନିଧିମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top