ଓଡ଼ିଶା

ଖାଲି ପଡ଼ିଛି ୩୦୦୦ରୁ ଅଧିକ ଡାକ୍ତର ପଦବୀ, ୯୯୭ଟି ଡାକ୍ତରଖାନାରେ ନାହାନ୍ତି ଡାକ୍ତର

ରାଉରକେଲା ୨୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଓଡ଼ିଶାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରୁ ୯୯୭ଟିରେ ଜଣେ ହେଲେ ନିୟମିତ ଡାକ୍ତର ନାହାନ୍ତି। ରାଜ୍ୟ ପାଇଁ ଯେତେସଂଖ୍ୟକ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି ସେଥିରୁ ୨୪୦୦ରୁ ଅଧିକରେ ବି ନିୟମିତ ଡାକ୍ତର ନାହାନ୍ତି। ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ ହିସାବ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୫ଟି ସରକାରୀ ଡାକ୍ତରଖାନାରେ ନିୟମିତ ଡାକ୍ତର ନ ଥିବା ବେଳେ ମୟୁରଭଞ୍ଜରେ ୬୨ଟି, ବାଲେଶ୍ୱରରେ ୫୭ଟି, ଭଦ୍ରକରେ ୫୦ଟି, ସୁନ୍ଦରଗଡ଼ରେ ୪୭ଟି ଓ କେନ୍ଦୁଝରରେ ୪୬ଟି ସରକାରୀ ଡାକ୍ତରଖାନାରେ ବି ନିୟମିତ ଡାକ୍ତର ନାହାନ୍ତି। କୋରାପୁଟ ଜିଲ୍ଲାରେ ୩୮ଟି, ମାଲକାନଗିରିରେ ୧୪ଟି, ନବରଙ୍ଗପୁରରେ ୨୯ଟି, ରାୟଗଡ଼ାରେ ୨୮ଟି, ନୂଆପଡ଼ାରେ ୯ଟି, ସମ୍ବଲପୁରରେ ୨୧ଟି, ସୋନପୁରରେ ୧୪ଟି, ବରଗଡ଼ରେ ୩୬ଟି, ଅନୁଗୁଳରେ ୨୯ଟି, ବଲାଙ୍ଗୀରରେ ୨୧ଟି, କଟକରେ ୪୫ଟି, ଢେଙ୍କାନାଳ ଓ କଳାହାଣ୍ଡିରେ ୩୩ଟି କରି, କନ୍ଧମାଳରେ ୨୯ଟି, ଗଜପତିରେ ୧୧ଟି ଡାକ୍ତରଖାନାରେ ବି ନିୟମିତ ସରକାରୀ ଡାକ୍ତର ନାହାନ୍ତି। ରାଜ୍ୟର ସବୁ ଜିଲ୍ଲାରେ କିଛି ନା କିଛି ସରକାରୀ ଡାକ୍ତରଖାନା ନିୟମିତ ଡାକ୍ତରଙ୍କ ବିନା ଚାଲୁଥିବା ଏହି ତଥ୍ୟରୁ ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏଲୋପାଥିକ ଚିକିତ୍ସାଳୟଗୁଡ଼ିକ ପାଇଁ ମୋଟ୍ ୬୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର, ସ୍ପେସିଆଲିଷ୍ଟ, ପ୍ରଶାସକ ଓ ଅନ୍ୟାନ୍ୟ ପଦବୀ ମଧ୍ୟରୁ ୪୩୧୫ଟି ନିୟମିତ ଭିତ୍ତିରେ ପୂରଣ କରାଯାଇଛି। ଅର୍ଥାତ୍ ଆଉ ୨୪୦୪ଟି ନିୟମିତ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ସେଥିରୁ ୨୭୩ଟି ଆଡ୍ହକ୍ ଭିତ୍ତିରେ, ୪୯୮ଟି ଚୁକ୍ତିଭିତ୍ତିକ ଭିତ୍ତିରେ ଓ ୨୪ଟି କର୍ପସ୍ ଫଣ୍ଡ ମାଧ୍ୟମରେ ପୂରଣ କରାଯାଉଥିବା ବେଳେ ଆଉ ୧୬୦୯ଟି ପଦବୀ ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ସେହିପରି ରାଜ୍ୟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟଗୁଡ଼ିକ ଲାଗି ମୋଟ୍ ୬୨୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀରୁ ୩୯୯ଟି ପୂରଣ କରାଯାଇଥିବା ବେଳେ ୨୨୧ଟି ଖାଲି ପଡ଼ିଛି। ସେହିପରି ରାଜ୍ୟର ସରକାରୀ ହୋମିଓପାଥିକ ଡାକ୍ତରଖାନାଗୁଡ଼ିକ ପାଇଁ ୫୬୧ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୧୫୦ଟି ଖାଲି ପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top