ଓଡ଼ିଶା

ଖାଉଟି କାର୍ଡ଼ ବଣ୍ଟନକୁ ନେଇ ବାହାନଗା ବ୍ଲକରେ ବିବାଦ, ୪ଘଣ୍ଟା ଧରି ବ୍ଲକରେ ଧାରଣା ଓ ଉତ୍ତେଜନା , ଜନ ଅସନ୍ତୋଷ , ବିଳମ୍ବରେ ବଣ୍ଟା ହେଲା କାର୍ଡ଼

ବାହାନଗା-୨୪/୧୦(ଭାରତୀ ଦାସ/ ଓଡ଼ିଆ ପୁଅ)- ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮ ଅନ୍ତର୍ଗତ ନୂତନ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ କରିବା ନେଇ ବାହାନଗା ବ୍ଲକରେ ବିବାଦ ମାନ ପରିସ୍ଥିତି ସୃଷ୍ଟି ହୋଇଛି ।ବ୍ଲକ ପରିସରରେ କାର୍ଡ଼ ବଣ୍ଟନକୁ କେନ୍ଦ୍ର କରି ବ୍ଲକ ଅଧ୍ୟକ୍ଷାଙ୍କ ସହ ଜନପ୍ରତିନିଧି ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରରେ ବସି ରହିଥିଲେ । ଅପରାହ୍ନ ୩.୩୦ରେ ଉତ୍ତେଜନାକୁ ସ୍ୱାଭାବିକ ହେବା ପରେ କିଛି କାର୍ଡ଼ ବଣ୍ଟା ଯାଇଥିବାର ସୂଚନା ମିଳିଛି । ଗତକାଲି ରେସନ କାର୍ଡ଼ ବଣ୍ଟନ କାର୍ଯ୍ୟ ସୂଚୀକୁ ପରିବର୍ତ୍ତନ କରିବା ପାଇଁ ବ୍ଲକରେ ବିଡ଼ିଓଙ୍କ କାର୍ଯ୍ୟାଳୟରେ କିଛି ଜନପ୍ରତିନିଧି ଦୀର୍ଘ ସମୟ ଧରି ବସି ରହିଥିଲେ । ଶେଷରେ ବିଡ଼ିଓ ନିରଞ୍ଜନ ସାହୁ ବିଳମ୍ବିତ ଅପରାହ୍ନରେ ଏକା ସମୟରେ ଦିନ ୧୧ଟାରେ ଉଭୟ ବାହାନଗା ବ୍ଲକ ଓ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ରେସନ କାର୍ଡ଼ ବଣ୍ଟନ ନିମନ୍ତେ ଜନପ୍ରତିନିଧିଙ୍କୁ ଚିଠି କରିଥିଲେ । ସେହି ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ମହାଳିକଙ୍କ ଅଧ୍ୟକ୍ଷତାରେ ନୂତନ ହିତାଧିକାରୀଙ୍କ ଉଦେ୍ଦଶ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତଥି ଭାବେ ନୀଳଗିରି ବିଧାୟକ ଇଂ . ସୁକାନ୍ତ କୁମାର ନାୟକ, ବିଡ଼ିଓ ନିରଞ୍ଜନ ସାହୁ, ସମ୍ମାନିତ ଅତିଥିଭାବେ ୧୯ନଂ ଜିଲ୍ଲାପରିଷଦ ସଦସ୍ୟ ତଥା ଜିଲ୍ଲା କଂଗ୍ରେସ ସଭାପତି ଇଂ. ଶରତ ରାଜ, ବାହାନଗା ସରପଞ୍ଚ ରଶ୍ମିତା ସିଂ, ସମିତି ସଭ୍ୟା ପଦ୍ମାବତୀ ମାଝୀ, ପଣପଣା ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ସ, ବିଷ୍ଣୁପୁର ସରପଞ୍ଚ ଗଣେଶ୍ୱର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସଭାରେ ଅଧ୍ୟକ୍ଷା ଶ୍ରୀମତୀ ମହାଳିକ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତ ସ୍ତରୀୟ ହିତାଧିକାରୀଙ୍କୁ କାର୍ଡ଼ ବାଣ୍ଟିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ବିଧାୟକ ଶ୍ରୀଯୁକ୍ତ ନାୟକ ପ୍ରସ୍ତାବକୁ ଅଣଦେଖା କରି ହିତାଧିକାରୀଙ୍କ ନାମ ଡାକିବାକୁ ନିଦେ୍ର୍ଦଶ ଦେଇ କାର୍ଡ଼ ବଣ୍ଟନ ଆରମ୍ଭ କରିଥିଲେ । ତେବେ ଡକାଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ କେବଳ ୭ଜଣ କାର୍ଡ଼ ନେବା ପରେ ହିତାଧିକାରୀଙ୍କ ନାମ ଲିଷ୍ଟରେ ଥିଲେ ମଧ୍ୟ କାର୍ଡ଼ ନଥିବାର ଜଣାପଡ଼ିଥିଲା । ଏଥିପାଇଁ ଉପସ୍ଥିତ ଅଧ୍ୟକ୍ଷା ଶ୍ରୀମତୀ ମହାଳିକଙ୍କ ସହ ଜନପ୍ରତିନିଧି ଦେବାନନ୍ଦ ମଳିକ, ଗଣେଶ୍ୱର ତ୍ରିପାଠୀ, ସାଧୁଚରଣ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ସ, ସୁଶାନ୍ତ କୁମାର ପଣ୍ଡା, ଧର୍ମେନ୍ଦ୍ର ଲାହା, ରଶ୍ମିତା ସିଂ,ପଦ୍ମାବତୀ ମାଝୀ, ଯୁବନେତା ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ବିଡ଼ିଓଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକ ନିକଟରେ ହିତାଧିକାରୀଙ୍କ ସହ ଧାରଣାରେ ବସି ରହିଥିଲେ । ଏପରିକି ବିଡ଼ିଓ ପଳାଇଯିବାକୁ ବାହାରି ଥିବା ବେଳେ କିଛି ଲୋକ ଗାଡ଼ି ଆଗରେ ବସିରହିଥିଲେ । ଫଳରେ ଦିନ ୧୧ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ବ୍ଲକ ପରିସରରେ ଉତ୍ତେଜନା ଓ ଧାରଣା ଲାଗି ରହିଥିଲା । ପରେ ଅପରାହ୍ନ ୩.୩୦ରେ ଦାଣ୍ଡହରିପୁର ପଞ୍ଚାୟତର କିଛି ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟା ଯାଇଥିବାର ଜଣାପଡ଼ିଛି । ତେବେ ବ୍ଲକ ପ୍ରଶାସନ ତରଫରୁ ଏକ ସଙ୍ଗେ ୨ଟି ଜାଗାରେ କାର୍ଡ଼ ବଣ୍ଟନ କରିବାକୁ ନିଷ୍ପତି ନେଇଥିଲେ ମଧ୍ୟ କେଉଁ ପଞ୍ଚାୟତ ହିତାଧିକାରୀ କେଉଁଠି କାର୍ଡ଼ ପାଇବ ତା ସମ୍ପର୍କରେ କୌଣସି ସୂଚନା ଦିଆ ଯାଇନଥିଲା । ଏପରିକି କାର୍ଡ଼ ମଧ୍ୟ ଅଲଗା କରାଯାଇ ନଥିଲା । ଯାହାଦ୍ୱାରା ଶତାଧିକ ହିତାଧିକାରୀଙ୍କ ସହ ନୂତନ କରି ସାମିଲ ହୋଇଥିବା ଦିବ୍ୟାଙ୍ଗ ହିତାଧିକାରୀ ପ୍ରବଳ ଖରାରେ ଦୀର୍ଘ ୪ଘଣ୍ଟା କାଳ ଅପେକ୍ଷା କରିଥିଲେ ମଧ୍ୟ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଉପାସରେ ନିରାଶ ହୋଇ ଘରକୁ ଫେରିଥିଲେ । ଏଭଳି ଅବ୍ୟବସ୍ଥା ବାବଦରେ ବିଡ଼ିଓ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top