ଜିଲ୍ଲା ପରିକ୍ରମା

ଖାଉଟି କାର୍ଡ ଅପେକ୍ଷାରେ ଗରିବ ପରିବାର ଭୁଆଁ ବୁଲାଇ ଚାଲିଛି ଯୋଗାଣ ବିଭାଗ!

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀକୁ ତିନି ବର୍ଷ ଛୁଇଁଲାଣି। ହେଲେ ଏହି ଯୋଜନାରୁ ବାଦ୍ ପଡିଥିବା କେତେକ ଯୋଗ୍ୟ ହିତାଧିକାରୀ ସାମିଲ ପାଇଁ ବାରଦ୍ୱାର ହେଉଛନ୍ତି। ଓା୍ୱର୍ଡ କାଉନସିଲରଠାରୁ ଆରମ୍ଭ କରି ପୌର କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଆଶାୟୀ। ବାଦ୍ ପଡିଥିବା ଆଶାୟୀମାନଙ୍କୁ ସାମିଲ କରିବାରେ ଯୋଗାଣ ବିଭାଗ ବିଫଳ ହୋଇଛି। ବର୍ଷ ବର୍ଷ ବିତି ଯାଉଥିଲେ ବି ଏହି ଜିଲାର ବାସୁଦେବପୁର ପୌରପାଳିକାରେ ଏହି ସମସ୍ୟାର ସମାଧାନ ହୋଇପାରୁନି। ତଦନ୍ତ ଚାଲିଛି। ଯୋଜନାରେ ସାମିଲ ଅଯୋଗ୍ୟମାନେ କଟିବେ। ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ କହି ଦୁଇବର୍ଷ ହେବ ଯୋଗାଣ ବିଭାଗ ଭୂଆଁ ବୁଲାଇ ଚାଲିଥିବା ଆଶାୟୀ ଅଭିଯୋଗ କରିଛନ୍ତି। ସରକାରଙ୍କ କଡା ନର୍ଦ୍ଦେଶ ଥିଲା, କୌଣସି ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ବାଦ୍ ପଡିବେ ନାହିଁ। ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ସଜାଗ ରହିବେ। ଏହି ନିର୍ଦ୍ଦେଶ ସତ୍ୱେ ବି ବାସୁଦେବପୁର ପୌରପାଳିକାରେ ବହୁ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ବାଦ୍ ପଡିଥିଲେ। କାହାର କୋଠାଘର ଅଛି ତ’ ଆଉ କାହାର ଚାରି ଚକିଆ ଗାଡି ଅଛି ଦର୍ଶାଇ କେତେକ ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରୁ ବାଦ୍ ଦିଆଯାଇଥିଲା। ଆଉ କେତେକ ଯୋଗ୍ୟ ବ୍ୟକ୍ତି ସାମାନ୍ୟ ତ୍ରୁଟି ପାଇଁ କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ଆଶାୟୀମାନେ ବାରମ୍ବାର ପୌରପାଳିକାକୁ ଧାଇଁ ନିରାଶ ହେଉଛନ୍ତି। ତଦନ୍ତ କରି ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରାଯିବ କହି ପ୍ରଶାସନ ଦିନ ଗଡାଇ ଚାଲିଥିଲା। କେତେକ ଆଶାୟୀ ଏହି ସମସ୍ୟାକୁ ନେଇ ବିଗତ ଦିନରେ ପୌରପାଳିକା ଆଗରେ ଧାରଣାରେ ବସିବା ସହିତ ସେ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷଙ୍କୁ ଘେରିଥିଲେ। ଲୋକଙ୍କ ସମସ୍ୟାକୁ ନେଇ ପୌରାଧ୍ୟକ୍ଷ ଅଶୋକ କୁମାର ଦାସ ଏକାଧିକବାର ପ୍ରଶାସନକୁ ଅବଗତ କରିବା ସହିତ ଲୋକଙ୍କ ଦାବିକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ଏହି ପଦକ୍ଷେପ ପରେ କେତେକ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ବାଦ୍ ପଡିଥିବା ବାକି ଯୋଗ୍ୟ ବ୍ୟକ୍ତିଙ୍କ କଥାକୁ ଯୋଗାଣ ବିଭାଗ ଭୁଲି ଯାଇଛି। ଆଶାୟୀମାନେ ପୌର କାର୍ଯ୍ୟାଳୟକୁ ଆସି ନିରାଶ ହେଲେଣି। ପୌରପାଳିକାର ୨୩ ୱାର୍ଡରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଆଶାୟୀ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସଂପର୍କରେ ଯୋଗାଣ ବିଭାଗ ସମେତ ଜିଲାପାଳଙ୍କୁ ବାରମ୍ବାର ଅବଗତ କରାଯାଇଛି। ହେଲେ କିଛି ସମଧାନ ହୋଇପାରୁନି। ବାଧ୍ୟ ହୋଇ ଲୋକ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପୌରାଧ୍ୟକ୍ଷ ଅଶୋକ କୁମାର ଦାସ କହିଛନ୍ତି। ପୌର କାର୍ଯ୍ୟାଳୟର ସୂଚନା ଅନୁସାରେ ୪ ହଜାର ୮୭୯ ଜଣ କାର୍ଡଧାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ହଜାର ୮୩୦ଜଣ ହିତାଧିକାରୀ ଏବଂ ୧୦୪୯ ଜଣ ଅନ୍ତଦୋୟ କାର୍ଡରେ ଯୋଗାଣ ସାମଗ୍ରୀ ପାଉଛନ୍ତି। ଲକ୍ଷ୍ୟ ଧାର୍ଯ୍ୟଠାରୁ ବାସୁଦେବପୁର ପୌରପାଳିକାରେ ୫୭୦ ଜଣ ଅଧିକ କାର୍ଡଧାରୀ ରହିଛନ୍ତି। ସେମାନଙ୍କୁ କଟା ନଗଲେ ବାକି ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରାଯାଇପାରିବ ନାହିଁ ବୋଲି ଯୋଗାଣ ନିରୀକ୍ଷକ କହିଛନ୍ତି। ତେବେ ଏହି ଯୋଜନାରେ ଚଞ୍ଚକତା କରି ସାମିଲ ହୋଇଥିବା ଥିଲାବାଲାଙ୍କ ନାମ କେବେ କଟୁଛି ଆଉ ବାଦ୍ ପଡିଥିବା ଯୋଗ୍ୟ ଆଶାୟୀ ସାମିଲ ହେଉଛନ୍ତି ତାହା ସମୟ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top