ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର, ୨୭-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) :ବିଭାଗ ବଦଳିଲା ପରେ ନାଁ ବଦଳିଲା ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ। ହେଲା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉଚ୍ଚ ଶିକ୍ଷା ବିଭାଗରୁ ଯାଇ ଏବେ ଗଣଶିକ୍ଷା ବିଭାଗ ଅଧୀନକୁ ଚାଲିଯାଇଛି ଏହି ପୁରାତନ ଶିକ୍ଷାନୁଷ୍ଠାନ। କିନ୍ତୁ ଏହାର ସ୍ଥିତି କିମ୍ବା ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ। ପଢ଼ାଇବାକୁ ଅଧ୍ୟାପକ ନାହାନ୍ତି। ଏପରିକି ପିଇବା ପାଇଁ ପାଣି ମଧ୍ୟ ମିଳୁନି। ଏହାକୁ ନେଇ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଆନୁଷଙ୍ଗିକ ସୁବିଧା ଦାବିରେ ବହୁ ସଂଖ୍ୟାରେ ଛାତ୍ର ଓ ଛାତ୍ରୀ ଫାଟକ ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଛାତ୍ରଙ୍କ ଅଭିଯୋଗ ହେଲା, ଯୁକ୍ତ ୨ ପ୍ରଥମ ଏବଂ ଦ୍ୱିତୀୟ ବର୍ଷରେ ମୋଟ ୨୨ ସେକ୍ସନ୍‌ ରହିଛି। କଳା ଏବଂ ବିଜ୍ଞାନରେ ଦୁଇ ବର୍ଷରେ ୧୬ ସେକ୍ସନ୍‌ ଥିବାବେଳେ ବାଣିଜ୍ୟରେ ରହିଛି ୬ ସେକ୍ସନ୍‌। ସେହିଭଳି ପ୍ରତ୍ୟେକ ବର୍ଷ କଳା ଏବଂ ବିଜ୍ଞାନରେ ୫୧୨ ଲେଖାଏ ସିଟ୍‌ ରହିଥିବା ବେଳେ ବାଣିଜ୍ୟରେ ୩୮୪ ସିଟ୍‌ ରହିଥାଏ। ପ୍ରତ୍ୟେକ ବର୍ଷ ପ୍ରାୟ ସମସ୍ତ ସିଟ୍‌ ପୂରଣ ହୋଇଯାଇଥାଏ। ତେବେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ଶ୍ରେଣୀଗୃହର ଅଭାବ ରହିଛି। ବିଦ୍ୟାଳୟର ନିଜସ୍ବ କୋଠାରେ ମାତ୍ର ୪ଟି ଶ୍ରେଣୀ ଗୃହ ରହିଛି। ୨୨ ସେକ୍ସନ୍‌ ପାଇଁ ୪ଟି ଶ୍ରେଣୀ ଗୃହ ସମସ୍ୟା ସୃଷ୍ଟି କରୁଛି। ଏଣୁ ଅଧିକାଂଶ ସେକ୍ସନ୍‌ର ପାଠପଢ଼ା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ କୋଠାରେ ହେଉଛି। ମହାବିଦ୍ୟାଳୟର ଟାଇମ୍‌ଟେବୁଲ୍‌ ଅନୁଯାୟୀ ବିଦ୍ୟାଳୟର ଟାଇମ୍‌ଟେବୁଲ୍‌ ପ୍ରସ୍ତୁତ କରାଯାଉଛି। ଅନେକ ସମୟରେ ଏଥିପାଇଁ ପାଠପଢ଼ା ବନ୍ଦ ରହୁଛି। ଏପରିକି ବିଜ୍ଞାନର ଲାବରେଟୋରୀ ମଧ୍ୟ ମହାବିଦ୍ୟାଳୟ କୋଠାରେ ରହିଛି। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରସ୍ପର ମୁହାଁମୁହିଁ ହୋଇ ରହିଥିବା ବେଳେ ମଝିରେ ରାସ୍ତା ଯାଇଛି। ଏହି ରାସ୍ତାଟି ଷ୍ଟେସନ୍ ଏବଂ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସଂଯୋଗ କରୁଥିବା ଯୋଗୁ ପ୍ରାୟତଃ ଭିଡ଼ ରହୁଛି। ଏଣୁ ଉଭୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର କୋଠାକୁ ସଂଯୋଗ କରିବା ପାଇଁ ରାସ୍ତା ଉପରେ ଏକ ଓଭର୍‌ବ୍ରିଜ୍‌ ନିର୍ମାଣ କରାଯାଇଛି। ହେଲେ ୨ବର୍ଷ ହେଲା ଏହି ଓଭର୍‌ବ୍ରିଜ୍‌ ବନ୍ଦ ରହିଛି। କାରଣ କ’ଣ କେହି ଜାଣିନାହାନ୍ତି। ପୂର୍ବରୁ ଶ୍ରେଣୀ ଗୃହ ଅଭାବ ଏବଂ ଓଭର୍‌ବ୍ରିଜ୍‌ ଖୋଲିବା ସମ୍ପର୍କରେ ବହୁଥର ଛାତ୍ରୀଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ଗୁରୁବାର ଅସନ୍ତୋଷ ଦେଖାଦେଇଥିଲା। ଆବଶ୍ୟକ ଅଧ୍ୟାପକ ନ ଥିବାରୁ ପାଠପଢ଼ା ବ୍ୟାହତ ହେଉଛି। ଠିକ୍‌ ସମୟରେ ପାଠପଢ଼ା ହେଉନି। ସେହିଭଳି ପ୍ରାୟ ୨୫ଶହ ଛାତ୍ର ଛାତ୍ରୀ ରହିଥିଲେ ମଧ୍ୟ ପାନୀୟ ଜଳ ବ୍ୟବସ୍ଥା ନାହିଁ। କମନ୍‌ ରୁମ୍‌ କି ଶୌଚାଳୟ ନାହିଁ। ଏସବୁ ସମସ୍ୟାର ସମାଧାନ ଦାବିରେ ଗୁରୁବାର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମୁଖ୍ୟ ଫାଟକ ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧ୍ୟାପକ ଏବଂ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *