ଖରସ୍ରୋତା ନଦୀବନ୍ଧ କଚେରୀ ଗାଁ ରାସ୍ତା;ପିଚୁ ରାସ୍ତା ସ୍ଥାୟିତ୍ୱ ନେଇ ଆଶଙ୍କା

ଯାଜପୁର -୨୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ସଦର ବ୍ଲକ୍ ଖରସ୍ରୋତା ସେତୁ ନିକଟରୁ ନଦୀର ଡାହାଣପାର୍ଶ୍ୱ କଚେରୀ ଗାଁ ରାସ୍ତାକୁ ପ୍ରଶସ୍ତିକରଣ ଓ ପିଚୁ କରାଯାଉଛି। ରାସ୍ତାର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିମ୍ନମାନର ପିଚୁ ଯୋଗୁ ଅସରାଏ ବର୍ଷା ହେଲେ ରାସ୍ତାରୁ ପିଚୁ ଉଠିଯିବା ସହ ବିଭିନ୍ନ ସ୍ଥାନରେ ଦବିଯିବା ଆଶଙ୍କା ଦେଖାଦେଇଛି। ଜାରକା ଜଳସମ୍ପଦ ବିଭାଗ ଅଧିନରେ ଥିବା ଖରସ୍ରୋତା ନଦୀର ଡାହାଣ ପାଶ୍ୱର୍କୁ ପ୍ରଶସ୍ତିକରଣ ଓ ପିଚୁ କରାଯାଉଛି। ଏହି ରାସ୍ତା ନିର୍ମାଣ ନିମନ୍ତେ ବିଭାଗ ପାଖାପାଖି ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଦେଢ଼ କି.ମି. ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଓ ପିଚୁ କରାଯିବ ବୋଲି ବିଭାଗ ସ୍ଥିର କରିଛି। ବ୍ୟୟ ଅଟକଳ ଅର୍ଥରୁ ପାଖାପାଖି ୯ ଲକ୍ଷ ଟଙ୍କାର ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ପକାଇ ପ୍ରଶସ୍ତିକରଣ କରିବାପାଇଁ ବ୍ୟବସ୍ଥା କରାଯାଇଛି। ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ତାହା ନକରି ଅତି ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାସ୍ତା ଦୁଇପାଶ୍ୱର୍କୁ ଘାସ ଚା‚ି ତା ଉପରେ ସାମାନ୍ୟ ମାଟି ଓ ବାଲି ଛିଞ୍ଚି ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଛି। ସେହିପରି କେବଳ ବଜୁରୀଗୁଣ୍ଡ ପକାଇ ତା ଉପରେ ସାମାନ୍ୟ ପିଚୁ ପକାଯାଇ ତରବରିଆଭାବେ ବାଲି ପକାଯାଉଛି। ରାସ୍ତା ନିର୍ମାଣରେ ଯେଉଁ ପରିମାଣର ମେଟାଲ, ମୋରମ, ଚିପ୍ସ ବ୍ୟବହାର କରାଯିବା କଥା ତାହା କରାଯାଉନଥିବା ଅଭିଯୋଗ ହେଉଛି। ଏପରି ରାସ୍ତା ନିର୍ମାଣ ସମୟରେ ରୋଲର ବ୍ୟବହାର କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୁଧବାର ସକାଳୁ ହୋଇଥିବା ବର୍ଷାରେ ରାସ୍ତାର ଦୁଇପାର୍ଶ୍ୱ ଧଷିବାକୁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏପରିକି ରାସ୍ତାକୁ ପିଚୁ କରାଯାଉଥିଲେ ମଧ୍ୟ ରାସ୍ତାକୁ ସମତୁର କରାଯାଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ସମୟରେ ଜଳସମ୍ପକ ବିଭାଗର କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଠିକା ସଂସ୍ଥାକୁ ଏକପ୍ରକାର ସୁବିଧା ମିଳିଯାଇଥିବା ଦେଖିବାକୁ ମିଳିଛି। କେବଳ ବିଭାଗର ଜନୈକା ମହିଳା କନିଷ୍ଠ ଯନ୍ତ୍ରୀ ନିର୍ମାଣ ସମୟରେ କିଛିସମୟ ପାଇଁ ରହି ଚାଲିଯାଉଥିବା ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ଏହି କନିଷ୍ଠ ଯନ୍ତ୍ରୀଙ୍କୁ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅବଗତ କଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ନଦୀବନ୍ଧ ରାସ୍ତା କଚେରୀ ଗାଁ ବାସୀଙ୍କର ପ୍ରମୁଖ ରାସ୍ତା ହୋଇଥାଏ। ଏହି ରାସ୍ତାଦେଇ ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରୁ ଯାତାୟାତ କରିଥାନ୍ତି। ୨୦୧୧ ମସିହା ପ୍ରଳୟଙ୍କରୀ ବନ୍ୟା ସମୟରେ ଏହି ନଦୀବନ୍ଧ ରାସ୍ତାରେ ସମସ୍ତେ ଯାତାୟାତ କରୁଥିଲେ। ଦୀର୍ଘଦିନ ହେବ ମରାମତି ହୋଇନଥିବାରୁ ରାସ୍ତା ଦୂରାବସ୍ଥା ହେବାସହ ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ କାର୍ଯ୍ୟ ଠିକ୍ଭାବେ କରାଯାଉଛି ବୋଲି ସଫେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *