ଖଦି ବୋର୍ଡରେ ୫୮ କୋଟିର ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଲା ଇଣ୍ଡିଆ ଏଗନେଷ୍ଟ କରପସନ

ଭୁବନେଶ୍ୱର, ୧୯ ଜୁନ (ଓଡ଼ିଆ ପୁଅ) – ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ହୋଇଛି କୋଟି କୋଟି ଟଙ୍କାର ଘୋଟାଲା। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦେଇଥିବା କୋଟି କୋଟି ଟଙ୍କାକୁ ଖଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡା ଏବଂ ତାଙ୍କର କିଛି ଅସାଧୁ କର୍ମଚାରୀମାନେ ଲୁଟ କରିଛନ୍ତି ବୋଲି ଆଜି ଇଣ୍ଡିଆ ଏଗନେଷ୍ଟ କରପସନ, ଓଡିଶା ପକ୍ଷ୍ୟରୁ ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରାଯାଇଛି।

ଇଣ୍ଡିଆ ଏଗନେଷ୍ଟ କରପସନର ମଳୟ କୁମାର ତ୍ରିପାଠି କହିଛନ୍ତିକି ଯେ ରାଜ୍ୟ ସରକାର ମହୁ ଚାଷର ବିକାଶ ପାଇଁ ୪ ବର୍ଷରେ ସମୁଦାୟ ୮ କୋଟି ୨୯ ଲକ୍ଷ ଟଙ୍କା ଖଦି ବୋର୍ଡକୁ ଦେଇଥିଲେ ଯାହା ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସାମଲ ନିଜେ ବିଧାନ ସଭାରେ ମାନିଛନ୍ତି। ହେଲେ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ଯେଉଁ ହିସାବ ଦେଇଛନ୍ତି ସେଥିରେ ଦୁର୍ନୀତିର ଗନ୍ଧ ବାହାରୁଛି। ନିଜେ ଶ୍ରୀ ପରିଡା ୨୦/୦୫/୨୦୧୮ରେ ଦେଇଥିବା ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ରାଜ୍ୟରେ ମାତ୍ର ୧୨୦୦ ମହୁଚାଷୀଙ୍କୁ ତାଲିମ ମିଳିଥିବା ବେଳେ ୪୮୦ ଜଣ ଚାଷୀଙ୍କୁ ମିଳିଛି ୨୪୦୦ଟି ମହୁବାକ୍ସ ଯାହାର ସର୍ବାଧୀକ ମୂଲ୍ୟ ମାତ୍ର ୧୦ ଲକ୍ଷ ଟଙ୍କା ଭିତରେ ହେବ।

ତେହେଲେ ବାକି ୮ କୋଟି ୧୯ ଲକ୍ଷ ଟଙ୍କା ଗଲା କୁଆଡେ ? ଗରିବ ମହୁଚାଷୀଙ୍କ ପାଇଁ ଆବଂଟିତ ହୋଇଥିବା ଏହି ବିପୁଳ ଅର୍ଥକୁ ଯେପରି ଭାବେ ଲୁଟ କରାଯାଇଛି ଏହାର ତଦନ୍ତ ହେବା ନିହାତି ଆବଶ୍ୟକ।

ମହୁ ବାକ୍ସର ବଜାର ଦାମ ୧ ହଜାର ଟଙ୍କା ହୋଇଥିବା ବେଳେ ଏହି ବାବଦରେ ବାକ୍ସ ପିଛା ୩୦ ହଜାର ଟଙ୍କା ବିଲ ହୋଇଛି। ସେହିପରି ମହୁଚାଷୀଙ୍କୁ ତାଲିମ ଦେବା ବାବଦରେ ପ୍ରତି ଚାଷି ପିଛା ୫୦୦ ରୁ ୭୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିଲ ହୋଇଛି ଚାଷୀ ପିଛା ୮ ହଜାର ଟଙ୍କା।

ସେହିପରି ବିଧାନସଭାରେ ତା ୧୫/୦୯/୨୦୧୭ରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ଉତର ଅନୁସାରେ ୨୦୧୪ ରୁ ୨୦୧୭ ଭିତରେ ରାଜ୍ୟ ସରକାର ଖଦି ବୋର୍ଡକୁ ୩୯.୯୪ କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଖଦି ଓ ଗ୍ରାମଦ୍ୟୋଗ ଆୟୋଗ ୪୬.୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ପରି ଭାବରେ ସମୁଦାୟ ଚାରିଟି ଆର୍ଥିକ ବର୍ଷରେ ଖଦି ବୋର୍ଡକୁ ମିଳିଛି ୮୬.୨୨ କୋଟି ଟଙ୍କାର ଅନୁଦାନ।

ଏହି ୪ ଟି ଆର୍ଥୀକ ବର୍ଷରେ ଦରମା ବାବଦରେ ୨୬ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଚରଖା ତନ୍ତ କିଣା ଏବଂ ସୁତା କାଟିବା ତାଲିମ ବାବଦରେ ୩୫ ଲକ୍ଷ ଟଙ୍କା, ପଦର୍ଶନୀ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ମହୁ ଚାଷୀଙ୍କ ତାଲିମ ପାଇଁ ଖର୍ଚ୍ଚ ୧୦ ଲକ୍ଷ ଟଙ୍କା ହୋଇଥିବା ବେଳେ ବାକି ୫୮ କୋଟି ୬୪ ଲକ୍ଷ ଟଙ୍କାର ହିସାବ ମିଳୁନାହିଁ।

କିଛି ଅସାଧୁ ବିଜ୍ଞାପନକାରି ସଂସ୍ଥା ଏବଂ କନସାଲଟାନସି କମ୍ପାନୀମାନଙ୍କ ନାଁରେ ବିଲ କରି ଏହି ଟଙ୍କାକୁ ସିଧା ସିଧା ଚଳୁ କରିଛନ୍ତି ଖଦି ବୋର୍ଡର ଅଧ୍ୟକ୍ଷ ଏବଂ କିଛି ଅସାଧୁ କର୍ମଚାରୀ। ରାଜ୍ୟ ସରକାର ଖଦି ବୋର୍ଡର ଏହି ମହା ଦୁର୍ନୀତିର ଭିଜିଲାନସ ତଦନ୍ତ କରିବା ସହ ତେଜଶ୍ୱର ପରିଡାଙ୍କୁ ଖଦୀ ବୋର୍ଡ ଅଧ୍ୟକ୍ଷ ପଦରୁ ତୁରନ୍ତ ବିଦାକରି ରାଜ୍ୟରେ ଖଦି ଶିଳ୍ପକୁ ବଂଚାନ୍ତୁ। ନହେଲେ ଆଗାମି ଦିନରେ ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରିୟନାଥ ଆଚାର୍ଯ୍ୟ, ପ୍ରିତିଲତା ନାୟକ, କାହ୍ନୁଚରଣ ବେହୁରା ପ୍ରମୁଖ ଉପସ୍ଥିତି ଥିଲେ।

Leave a Reply

Your email address will not be published. Required fields are marked *