ଖଣ୍ଡୁଆଲମାଳି ଓ କେଳୁଆମାଲ ପାହାଡ ଧସୁଛି,୧୬ଗ୍ରାମବାସୀ ଆତଙ୍କିତ ।

କଳାହାଣ୍ଡି-୩୦/୦୭ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଆଦିବାସୀ ବହୁଳ ଥୁଆମୂଲ-ରାମପୁର ବ୍ଲକର କଣ୍ଡୁଆଲମାଳି ଓ କେଳୁଆମାଲ ପାହାଡରେ ବଡ ବଡ ଅତଡା ଖସିବା ଯୋଗୁଁ ଶହ ଶହ ଏକର ଜମିରେ ପଥର ଜମିଯିବା ନେଇ ଆଖପାଖର ୧୬ ଖଣ୍ଡ ଗ୍ରାମର ଲୋକେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଦୁବାସୀ ଅଧୁ୍ୟସିତ ଥୁଆମୂଲ-ରାମପୁର ବ୍ଲକର ଗୁଣପୁର ଗ୍ରାମପଂଚାୟତ ଅଧୀନସ୍ଥ ରଣପୁର,ପୁଲିଂପଦର,ଉସାମସକା,କିରକିଚା,ସୋରିଷବଣ୍ଡେଲ,ଦାବରୀଗୁଡା ଆଦି ଗାଁର ଚାଷଜମି ଓ ଘର ପାହାଡ ଧସିବା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ସେହିପରି କର୍ଲାପାଟ ଗ୍ରାମପଂଚାୟତର କର୍ଲାପାଟ,ଭେଜିଗୁଡା,ଜିଲ୍ଲାଗାଁ,ଅମଠାଗୁଡା,କୁଆଙ୍ଗ ଏବଂ ନାକରୁଣ୍ଡି ଗ୍ରାମପଂଚାୟତର ରାଇମାଲ,ଟୁରିଭେଜିଗୁଡା,ଝୁଡିଂଦର, ଖନ୍ଦଲା,ନାକରୁଣ୍ଡି ପ୍ରଭୃତି ଗାଁରେ ଏହି ପାହାଡ ଦ୍ୱୟରୁ ପଥର ଧସୁଥିବା ହେତୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।

ଏହି ପାହାଡ ଦ୍ୱୟରୁ ବଡ ବଡ ପଥର ଅତଡା ଖସିବା ଯୋଗୁଁ ଜମି ରେ ପଥର ଭର୍ତି ହୋଇଯାଇ ଏବେ ସେହି ପଥର ଅତଡା ଗାଁ ମୁହାଁ ହୋଇଥିବାରୁ ଆଗାମୀ ଦିନରେ ଗାଁ ସାରା ପଥର ଅତଡା ପଡି ଲୋକଙ୍କ ଧନଜୀବନ ହାନି ହେବାର ଆତଙ୍କ ଖେଲିଯାଇଥିବା ଜଣାପଡିଛି । ଚଳିତ ୨୦୧୭ ବର୍ଷ ଜୁଲାଇ ମାସ ୧୫ ତାରିଖ ପରେ ଯେଉଁ ଲଗାଣ ବର୍ଷା ହେଲା ସେହି ବର୍ଷାରେ ପାହାଡ ଉପରେ ଥିବା ବଡ ବଡ ଗଛ ସବୁ ଉପାଡି ହୋଇଯିବା ପରେ ପଥର ଗୁଡିକ ତଳକୁ ଖସୁଥିବା କୁହାଯାଉଛି । ଗତ ୧୭ ତାରିଖ ଦିନ ତିଳମାଳି ପାହାଡ ଧସିଯିବା ପରେ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ତଳଆମପଦର ସମିତି ସଭ୍ୟା ସୁମନି ବାଗଙ୍କ ସ୍ୱାମୀ ସନ୍ତୋଷ ବାଗ (୨୬) ପାହାଡ ମାଟିରେ ଚାପି ହୋଇଯାଇ ମୃତୁ୍ୟ ବରଣ କରିଥଲେ । ବର୍ତମାନ ଖଣ୍ଡୁଆଲମାଳି ଓ କେଲୁଆମାଳି ପାହାଡ ଧସିବା ପରେ ସେହି ଘଟଣାର ପୁନରାବୃତି ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ଭୟ ସୃଷ୍ଟି ହୋଇଯାଇଛି । ସାରା ରାତି ଅନିଦôା ହୋଇ ଲୋକେ ଅଘଟଣ ଆଶଙ୍କାରେ ସଜାଗ ହୋଇ ରହୁଥିବା ଜଣାପଡିଛି । ଏଭଲି ପ୍ରାକୃତିକ ଦୁର୍ବିପାକରେ ଜିଲ୍ଲା ପ୍ରଶାସନ ତରଫରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *