ଖଣି ଲିଜଧାରୀଙ୍କ ଉପରେ ଜରିମାନା ଆଦାୟ ନେଇ ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ ରାଜ୍ୟ ସରକାରଙ୍କର ବେଆଇନ ଖଣି ଉତ୍ତୋଳନକାରୀ ଲିଜଧାରୀଙ୍କ ପ୍ରତି ଅହେତୁକ ଅନୁକମ୍ପାକୁ ସ୍ପଷ୍ଟ କରୁଛି : ବିଜେପି

– ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେଉଁ ମୁହଁରେ ବନ୍ଦ ଖଣି ମାଲିକ ମାନେ ଜରିମାନା ଦେଇପାରି ନାହାନ୍ତି କହିବା ଭଳି ଶବ୍ଦ ପାଟିରେ ଉଚ୍ଚାରଣ କରୁଛନ୍ତି ?
– ତୃତୀୟ ମହଲାର ଛତ୍ରଛାୟା ତଳେ ଥିବା ଅଣ ଓଡିଆ ଖଣି ମାଲିକ ଓ ଖଣି ଖୋଳା କମ୍ପାନୀ ୬୦ : ୪୦ ଭାଗରେ ଅର୍ଥ ଭାଗବଂଟା କରି ଓଡିଶା ରାଜକୋଷ ନୁହେଁ ତୃତୀୟ ମହଲାର ଅଣ ଓଡିଆ ଅଫିସର ଓ ବିଜେଡିର ପାଣ୍ଠିକୁ ମଜବୂତ କରାଯାଉଛି
– ସୁପ୍ରୀମକୋର୍ଟ ରାୟର ଚଂଚକତାପୂର୍ଣ ତର୍ଜମା କରି ଏହାକୁ ୧୭ ହଜାର କୋଟି ଟଙ୍କାରେ ସୀମିତ କରିଛନ୍ତି
– ୧୭ ହଜାର କୋଟି ନୁହେଁ ୬୧ ହଜାର କୋଟି ଆଦାୟ ପାଇଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ ରାଜ୍ୟ ସରକାର
– ୬୧ ହଜାର କୋଟି ଟଙ୍କା ଆସିଲେ ଓଡିଶାର ପାନୀୟ ଜଳ, ସଡକ, ବିଜୁଳି, ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା ସମସ୍ୟା ସମାଧାନ ହୋଇ ପାରିବ

ଭୁବନେଶ୍ୱର, ତା. ୩୧/୦୧(ଓଡ଼ିଆ ପୁଅ): ଖଣି ଲିଜଧାରୀଙ୍କ ଉପରେ ଜରିମାନା ଆଦାୟ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ ରାଜ୍ୟ ସରକାରଙ୍କର ବେଆଇନ ଖଣି ଉତୋଳନକାରୀ ଲିଜଧାରୀଙ୍କ ପ୍ରତି ଅହେତୁକ ଅନୁକମ୍ପାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଗଣମାଧ୍ୟମକୁ କହିଛନ୍ତି।

ଯେତେବେଳେ ମାନ୍ୟବର ସୁପ୍ରିମ କୋର୍ଟ ବେଆଇନ ଖଣି ଉତୋଳନକାରୀ ମାନଙ୍କୁ କଠୋରତାର ସହିତ ଜରିମାନା ପ୍ରଦାନ ପାଇଁ ତାଗିଦ କରିବା ସହ ଜରିମାନା ନ ଦେଲେ ସରକାର ସମ୍ପତି ଜବତ କରି ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି, ସେତେବେଳେ ରାଜ୍ୟର ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେଉଁ ମୁହଁରେ ବନ୍ଦ ଖଣି ମାଲିକ ମାନେ ଜରିମାନା ଦେଇ ନାହାନ୍ତି କହିବା ଭଳି ଶବ୍ଦ ପାଟିରେ ଉଚ୍ଚାରଣ କରିଛନ୍ତି ବୋଲି ଶ୍ରୀମତୀ ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି ଯେ, ତୃତୀୟ ମହଲାର ଛତ୍ରଛାୟା ତଳେ ଥିବା ଅଣ ଓଡିଆ ଖଣି ମାଲିକ ଓ ଖଣି ଖୋଳା କମ୍ପାନୀ ୬୦ : ୪୦ ଭାଗରେ ଅର୍ଥ ଭାଗବଂଟା କରି ଓଡିଶା ରାଜକୋଷ ନୁହେଁ ତୃତୀୟ ମହଲାର ଅଣ ଓଡିଆ ଅଫିସର ଓ ବିଜେଡିର ପାଣ୍ଠିକୁ ମଜବୂତ କରିବା ପାଇଁ ଏପରି କରା ଯାଉଛି।

ଖୋଦ ରାଜ୍ୟ ସରକାର ରାଜ୍ୟରେ ୬୧ ହଜାର କୋଟି ଟଙ୍କାର ବେଆଇନ ଖଣି ଦୁର୍ନୀତି ନେଇ ଶାହ କମିଶନରେ ସତ୍ୟପାଠ ଦେବା ସହ ସଂପୃକ୍ତ କମ୍ପାନୀ ମାନଙ୍କୁ ନୋଟିସ ଜାରି କରିଥିଲା। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅପଭ୍ରଂଶ କରି ୬୧ ହଜାର କୋଟି ଟଙ୍କା ବଦଳରେ ୧୭ ହଜାର କୋଟି ଟଙ୍କାରେ ଜରିମାନାକୁ ସୀମିତ କରିବାକୁ ସରକାର ଷଡଯନ୍ତ୍ର କରିଛି। ଏହା ସହ ୧୭ କୋଟି ଟଙ୍କା ପରିସରରେ ଆସୁଥିବା କମ୍ପାନୀ ମାନଙ୍କ ମଧ୍ୟରୁ ଅନେକଙ୍କୁ ଅହେତୁକ ଅନୁକମ୍ପା ଓ ଖଣି ମନ୍ତ୍ରୀଙ୍କ ସହାନୁଭୁତିଶୀଳ ବୟାନ ପଛରେ ତୃତୀୟ ମହଲାର ପ୍ରଛନ୍ନ ହାତ ରହିଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *