ଖଣି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା – ଆବଶ୍ୟକୀୟ ଅନୁମତି ଓ ଅନୁମୋଦନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨୧-୯-୧୭ (ଓଡ଼ିଆ ପୁଅ) ନିଲାମ ହୋଇଥିବା ଖଣି ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ନିମନ୍ତେ ଗଠନ କରାଯାଇଥିବା ରାଜ୍ୟସ୍ତରୀୟ ସହାୟକ କମିଟିର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ନିଲାମ ହୋଇଥିବା ୫ଟି ଖଣି ବ୍ଲକ୍ ଗୁଡିକର ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ। ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା ଖଣି ଗୁଡିକ ନିମନ୍ତେ ଆବଶ୍ୟକୀୟ ଅନୁମୋଦନ ଓ ଅନୁମତି ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ତଦନୁଯାୟୀ ପଦକ୍ଷେପ ସ୍ଥିର କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପ୍ରତି କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରି ତଦନୁଯାୟୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ଏବଂ ଖଣି ଓ ଇସ୍ପାତ୍ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ମାସରେ ଅଧିକ ୬ଟି ଖଣି ନିଲାମ ନିମନ୍ତେ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଖଣି ଓ ଇସ୍ପାତ୍ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ ଜିଲ୍ଲାସ୍ଥିତ ଘୋରବରୁହାଣୀ-ସାଗସାହି ଲୁହାପଥର ଖଣି, ମାଲକାନଗିରି ଜିଲ୍ଲାର କୋଟ୍ଟ୍ମେଟ୍ଟା ଚୁନପଥର ଖଣି, କେନ୍ଦୁଝର ଜିଲ୍ଲାର ଲାସେର୍ଦା-ପାଚେରି ମାଙ୍ଗାନିଜ୍ ଖଣି, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ନେତ୍ରବନ୍ଧ ଲୁହାପଥର ଖଣି ପ୍ରକଳ୍ପ ଗୁଡିକର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା।

ଜଙ୍ଗଲ ଅନୁମତି, ପରିବେଶ ଅନୁମତି, ଖଣି ଖନନ ଯୋଜନା ଅନୁମୋଦନ, ବନ୍ୟଜନ୍ତୁ ପରିଚାଳନା ଯୋଜନା, ଜମି ଅଧିଗ୍ରହଣ, ଗ୍ରାମ ସଭା ଆୟୋଜନ, ଜମି ମାଲିକାନା ନାମଜାରି, ରେଲେଓ୍ୱ ସାଇଡିଂ, କାର୍ଯ୍ୟାରମ୍ଭ ଅନୁମତି ସମ୍ବନ୍ଧିତ ବିଷୟ ଗୁଡିକ ମୁଖ୍ୟତଃ ଆଲୋଚନାରେ ସ୍ଥାନ ପାଇଥିଲା।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଖଣି ଓ ଇସ୍ପାତ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ମୁଖ୍ୟ ବନ୍ୟ ଜନ୍ତୁ ସଂରକ୍ଷକ ଶ୍ରୀ ସନ୍ଦିପ ତ୍ରିପାଠୀ, ରାଜ୍ୟ ପ୍ରଦ୍ୟୁଷର ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ଖଣି ନିର୍ଦ୍ଦେଶକ ଶ୍ରୀ ଦୀପକ ମହାନ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ଅଭୟ ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *