ଓଡ଼ିଶା

ଖଣିଜ ପରିବହନ ଦର ବୃଦ୍ଧି ଦାବିରେ ଟ୍ରକ ଚଳାଚଳ ଠପ୍, ଦଲାଲ ମାଲେମାଲ, ଗାଡି ମାଲିକ ବେହାଲ

ଯୋଡା- ତା ୦୬/୦୬ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ) ମଙ୍ଗଳବାର ଠାରୁ ପରିବହନ ମୂଲ୍ୟ ବୃଦ୍ଧି ଦାବିରେ ଟ୍ରକ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିବା ଜଣାପଡିଛି। ତୈଳ ଦର ବୃଦ୍ଧି ସାଙ୍ଗକୁ ଟ୍ରକ ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି ଓ ଅତ୍ୟଧିକ ଟ୍ୟାକ୍ସ ବୃଦ୍ଧି ଫଳରେ ଟ୍ରକ ମାଲିକମାନେ ଅନେକ କ୍ଷତିର ସମ୍ମୁଖିନ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବିଭିନ୍ନ ଆର୍ଥôକ ସଂସ୍ଥାରୁ ଋଣ ନେଇ ଟ୍ରକ କିଣିଥିବା ମାଲିକମାନେ ଋଣ ପରିଷୋଧ କରିନପାରି ସେମାନଙ୍କର ଟ୍ରକ ବାର୍ଯ୍ୟାପ୍ତି ହେଉଥିବା ଅନେକ ନଜୀର ରହିଛି। ବାରମ୍ବାର ପରିବହନ ଦର ବୃଦ୍ଧି କରିବାକୁ ସେମାନେ ଦାବି କରିଆସୁଥିଲେ ମଧ୍ୟ କେହି ଏଥି ପ୍ରତି କର୍ଣ୍ଣପାତ କରିନାହାନ୍ତି। ଫଳରେ ଟ୍ରକ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ଟ୍ରକ ମାଲିକ ସଂଘ ନିଷ୍ପତି ନେଇଛି। ଏସ.ଏସ୍. ଲଜିଷ୍ଟିକ ନାମକ ଏକ ପରିବହନ ଠିକା ସଂସ୍ଥା ଯୋଡା ଖଣି କ୍ଷେତ୍ରର ଅଧିକାଂଶ ଖଣିରେ ପରିବହନ କାର୍ଯ୍ୟ ନେଇଥିବା ବେଳେ ଟ୍ରକ ମାଲିକମାନଙ୍କୁ ସିଧା ସଳଖ ସେମାନଙ୍କ ପରିବହନ ରାଶି ପୈଠ ନକରି ଜଣେ ଜଣେ ଦଲାଲ ମାଧ୍ୟମରେ ଏହା ପୈଠ କରିଥାନ୍ତି। ଫଳରେ ସମ୍ପୃକ୍ତ ଦଲାଲ ଜଣଙ୍କ ଟନ୍ ପ୍ରତି ୫୦ ଟଙ୍କା ନିଜର କମିଶନ ବାବଦକୁ ରଖିନେଇ ବଳକା ଅର୍ଥ ଟ୍ରକ ମାଲିକଙ୍କୁ ପୈଠ କରିଥାନ୍ତି। ଏହି ପ୍ରକ୍ରିୟା ଦିନେ କି ଅଧେ ନୁହେଁ ବର୍ଷ ବର୍ଷ ଧରି ଏ ଅଞ୍ଚଳରେ ପ୍ରଚଳିତ ଥିବା ବେଳେ ପ୍ରଶାସନ କିମ୍ବା ଟ୍ରକ ମାଲିକଙ୍କର ଏଥିରେ କୌଣସି ଆପତ୍ତି ନଥାଏ। ଏହି ସଂଘ ଅଧିନରେ ପ୍ରାୟ ୩ହଜାର ୫ଶହରୁ ଉର୍ଦ୍ଧ ଟ୍ରକ ପଞ୍ଜିକୃତ ହୋଇ କାର୍ଯ୍ୟ କରୁଥିବା ବେଳେ ଏ ବାବଦକୁ ଦୈନିକ ୭୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସମ୍ପୃକ୍ତ ଦଲାଲ ଜଣଙ୍କ କେବଳ କମିଶନ ବାବଦକୁ ପାଇଥାନ୍ତି। ଏହି ଦଲାଲ ଜଣଙ୍କର ପତିଆରା ଏତେ ମଜବୁତ ଯେ, ଟ୍ରକ ମାଲିକମାନେ ତାଙ୍କ ସମ୍ମୁଖରେ ମୁହଁ ଖୋଲିବାକୁ ମଧ୍ୟ ସାହାସ ଯୁଟାଇ ପାରିନଥାନ୍ତି। ଟ୍ରକ ମାଲିକ ମାନେ କେବଳ ପରିବହନ ଠିକାଦାର ଏସ୍.ଏସ୍. ଲଜିଷ୍ଟିକ୍ ନିକଟରେ ପରିବହନ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥାନ୍ତି। ସଂଘ କାର୍ଯ୍ୟାଳୟରେ ପରିବହନ ଠିକାଦାର ଏବଂ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର କର୍ମକର୍ତ୍ତାମାନେ ପରିବହନ ମୂଲ୍ୟ ବୃଦ୍ଧିର ପ୍ରାସଙ୍ଗିକତା ଉପରେ ଦୃଷ୍ଟିପାତ କରିଥିଲେ। ଠିକାଦାର ସେମାନଙ୍କ ପ୍ରସଙ୍ଗକୁ ଆଲୋଚନାକୁ ନେଇ ଟନ୍ ପ୍ରତି କେବଳ ୧ଟଙ୍କା ୫୦ ପଇସା ମୂଲ୍ୟ ବୃଦ୍ଧି ଘଟିଲେ ଏହାକୁ ଭରଣା କରାଯାଇପାରିବ ବୋଲି ଯୁକ୍ତି ବାଢିବା ସହ ଏଥି ପାଇଁ ସକ୍ଷମ ବୋଲି ଜଣାଇଥିଲେ। ହେଲେ ଏଥିରେ ଟ୍ରକ ମାଲିକମାନେ ସନ୍ତୁଷ୍ଟ ନହୋଇ ଟନ୍ ପ୍ରତି ୪ ଟଙ୍କା ହାରରେ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ। ସମ୍ପୃକ୍ତ ଠିକାଦାର ଏହାକୁ ଅଗ୍ରାହ୍ୟ କରିବାରୁ ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି। ତେବେ କେତେକ ଟ୍ରକ ମାଲିକଙ୍କର ଦୋମୁହା ନୀତି ଯୋଗୁଁ ସମ୍ପୃକ୍ତ ଦଲାଲ ଜଣଙ୍କ ମାଲେମାଲ ହେଉଥିବାବେଳେ ଟ୍ରକ ମାଲିକ ବେହାଲ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top