ଖଡିଆଳ ସାପ୍ତାହିକ ବଜାର ଦୂରାବସ୍ଥା,ବ୍ୟବସାୟୀ ଓ ଗ୍ରାହକ ହନ୍ତସନ୍ତ

ଖଡିଆଳ/ନୂଆପଡା-୦୩.୭.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲାର ମୁଖ୍ୟ ସହର ହେଉଛି ଖଡିଆଳ । ଖଡିଆଳ ଅଞ୍ଚଳର ଜନସାଧାରଣଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଏକାଠି ହୋଇ ଜିନିଷପତ୍ରର କିଣାବିକା କରିବା ପାଇଁ ସାପ୍ତାହିକ ବଜାର ସ୍ଥାନୀୟ ହାଟପଦା ଠାରେ ଆରମ୍ଭ କରାଯାଇଛି । ହେଲେ ଏହି ସାପ୍ତାହିକ ବଜାରର ରକ୍ଷାଣାବେକ୍ଷଣ ଅଭାବ ସାଙ୍ଗକୁ ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ଉଭୟେ କେତ୍ରା ଓ ବିକ୍ରେତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏହି ସାପ୍ତାହିକ ବଜାରର ଦୂରବସ୍ଥା ପ୍ରତି ପ୍ରଶାସନର ତିଳେ ହେଲେ ନଜର ନାହିଁ । ଜିଲାର ବହୁପୁରୁଣା ତଥା ସର୍ବବୃହତ ସାପ୍ତାହିକ ବଜାର ହେଉଛି ଶୁକ୍ରବାର ଦିନରେ ବସୁଥିବା ଖଡିଆଳ ବଜାର । ଖଡିଆଳ ସହର ନୂଆପଡା ଜିଲାର କେନ୍ଦ୍ରବିନ୍ଦୁରେ ରହିଥିବା ହେତୁ ଏହି ସାପ୍ତାହିକ ବଜାର ଉପରେ ଅଞ୍ଚଳର ଶତାଧିକ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିିଣିବା ପାଇଁ ନିର୍ଭର କରିଥାନ୍ତି । ଏହି ବଜାର ବିଶେଷ ଭାବରେ ଗୋରୁ,ଛେଳ.ମେଣ୍ଢା କିଣାବିକା ପାଇଁ ପ୍ରସିଦ୍ଧି ଲାଭ କରିଛି । ଏଠାରେ ଏହି ବଜାର ସମେତ ପନିପରିବା,ମାଛ,ମସଲା,କୃଷିପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ସମେତ ସମ୍ବଳପୁରୀ କପଡା ମଧ୍ୟ ବିକ୍ରି ହୋଇଥାଏ । ଏହି ସାପ୍ତାହିକ ବଜାର ଖଡିଆଳ ଏନ୍.ଏ.ସି କର୍ତୃପକ୍ଷ ଓ ନିୟନ୍ତ୍ରିତ ବଜାର କମିଟୀ ପାଇଁ ଆୟର ଏକ ମାଧ୍ୟମ ଅଟେ । ହେଲେ ଦୋକାନୀଙ୍କ ପାଇଁ ସିମେଣ୍ଟ ପିଣ୍ଡା ଓ ଛାତର ବ୍ୟବସ୍ଥା ନଥିବାରୁ ବର୍ଷା ଦିନରେ ଉଭୟ ଦୋକାନୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ପାନୀୟ ଜଳର ଅଭାବ ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶ ରହିଥିବା ବେଳେ ଏହି ବଜାରକୁ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମିରହି କାଦୁଅ ଭରପୂର ହୋଇ ରହିଛି । ଏହି ବଜାରର ଏଭଳି ଅବ୍ୟବସ୍ଥା ଯୋଗୁଁ ବ୍ୟବସାୟୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଖଡିଆଳ ସହରର ସାପ୍ତାହିକ ବଜାର ବହୁପୁରୁଣା ହୋଇଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି । ଗତ କିଛି ବର୍ଷ ତଳେ ଏଠାରେ ମାର୍କେଟ କମପ୍ଲେକ୍ସ ନିର୍ମାଣ ସାଙ୍ଗକୁ ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡାମାନେ ମଧ୍ୟ ତିଆରି କରାଯାଇଥିଲା । ହେଲେ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମାର୍କେଟ କମପ୍ଲେକସ ଗୁଡିକ ଭାଙ୍ଗି ଏବେ ଭୂତକୋଠିରେ ପରିଣତ ହୋଇପଡିଛି । ଅପରପକ୍ଷେ ଖଡିଆଳ ଏନ୍.ଏ.ସି କର୍ତୃପକ୍ଷ ଓ ଆରଏମଏସି ମିଳିତ ଭାବରେ ସାପ୍ତାହିକ ବଜାରକୁ ଆସିଥିବା ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରୁଥିଲେ ହେଁ ଏହାର ଆନୁସାଙ୍ଗିକ ସୁବ୍ୟବସ୍ଥା ପାଇଁ ସେତିକି ତତ୍ପରତା ଦେଖାଉନଥିବାରୁ ଗ୍ରାହକ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଡିଆଳ ସାପ୍ତାହିକ ବଜାରରେ ଟିକସ ଅଦାୟ ନାଁରେ କର୍ତୃପକ୍ଷ ବ୍ୟବସାୟୀଙ୍କୁ ଲୁଟ୍ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ସାପ୍ତାହିକ ବଜାରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *