କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସଂପ୍ରତି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବୌଦ୍ଧ ଜିଲାରେ ଏକ କ୍ୟାନସର ପରାମର୍ଶ ଓ କେମୋଥେରାପି ଚିକିତ୍ସା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲାପାଳ ମଧୁସୁଦନ ମିଶ୍ର ଏହି ମାଗଣା କ୍ୟାନସର ପରାମର୍ଶ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ୧୮ ଜଣ କର୍କଟ ରୋଗୀଙ୍କ ସମେତ ତାଲିମ ପ୍ରାପ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଶିବିରରେ ମୁମ୍ବାଇର ସୁନାମଧନ୍ୟ କର୍କଟ ରୋଗ ବିଶେଷଜ୍ଞ ଡା. ଦିନେଶ ପାଣ୍ଡେରକର ଓ ବୁର୍ଲା ମେଡିକାଲ କଲେଜର କର୍କଟ ରୋଗ ବିଶେଷଜ୍ଞ ଡା. ଦୀପକ କୁମାର ପାଣିଗ୍ରାହୀ ଓ ବୌଦ୍ଧର ତାଲିମ ପ୍ରାପ୍ତ ଡାକ୍ତର ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କର୍କଟ ରୋଗରେ ପିଡିତ ରୋଗୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଅସାଧ୍ୟ କର୍କଟ ରୋଗର ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ତାଲିମପ୍ରାପ୍ତ ଡା. ପଟ୍ଟନାୟକଙ୍କ ନିକଟରେ ପରାମର୍ଶ କରିବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ବର୍ଷକୁ ୪ ରୁ ୫ ଥର ମାଗଣା ପରାମର୍ଶ ଶିବିର ଆୟୋଜିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *